ପୁଞ୍ଜି ପାଇଁ ଦିଲ୍ଲୀରେ ନବୀନ : ନିବେଶକଙ୍କୁ ଭେଟିଲେ ଅଧିକାରୀ, ରୋଡ୍‌ ସୋ’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ମେକ୍‌ ଇନ୍‌ ଓଡ଼ିଶାକୁ ସଫଳ କରିବାକୁ ପ୍ରୟାସ ଜାରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶା ପ୍ରତି ପୁଞ୍ଜିପତିଙ୍କ ଆକର୍ଷଣ ବଢାଇବା ଲାଗି ବୁଧବାର ସେ ସେଠାରେ ଶିଳ୍ପପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରୋଡ୍‌ ସୋରେ ମଧ୍ୟ ନବୀନ ଯୋଗଦେବେ। ଏପଟେ ଚଳିତବର୍ଷ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ଅନୁଷ୍ଠିତ ହେବ। ପୂର୍ବ ସଂସ୍କରଣ ଭଳି ଏହାକୁ ସଫଳ କରିବା ପାଇଁ ସରକାରୀ ପ୍ରୟାସ ଜୋରଦାର କରାଯାଇଛି। ମଙ୍ଗଳବାର ଏଥିପାଇଁ ନୂଆଦିଲ୍ଲୀଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁରୋପୀୟ ଦେଶ ଗୁଡ଼ିକର ବାଣିଜ୍ୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ବରିଷ୍ଠ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଯୋଗଦେଇଥିଲେ। ବୈଠକରେ ଶ୍ରୀ ଚୋପ୍ରା ପ୍ରତିନିଧିମାନଙ୍କୁ କହିଛନ୍ତି, ରାଜ୍ୟରେ ଏକ ପ୍ରଗତିଶୀଳ ଶାସନ ବ୍ୟବସ୍ଥା ଚାଲିଥିବାରୁ ପୂର୍ବ ଭାରତରେ ଓଡ଼ିଶା ଏବେ ଏକ ନିର୍ମାଣ କେନ୍ଦ୍ର ଭାବେ ଉଭା ହୋଇଛି। ଜାତୀୟ ହାର ଠାରୁ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଅଧିକ ରହିଛି। ରାଜ୍ୟରେ ବ୍ୟବସାୟ ଅନୁକୂଳ ନୀତି ସହିତ ବିଶ୍ୱଶ୍ରେଣୀର ଭିତ୍ତିଭୂମି ଉପଲବ୍ଧ ହେଉଥିବାରୁ ବିଶ୍ୱର ବିଭିନ୍ନ ଭାଗର ନିବେଶକମାନେ ଓଡ଼ିଶା ସମ୍ପର୍କରେ ଅନୁକୂଳ ମତାମତ ଦେଉଛନ୍ତି। ସେ କହିଥିଲେ, ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେବାଲାଗି ରାଜ୍ୟରେ ସିଙ୍ଗଲ ଓ୍ଵିଣ୍ଡୋ ପୋର୍ଟାଲ କରାଯାଇଛି। ଏଥିସହିତ ତ୍ତତ୍ସର୍ଗୀକୃତ ଏବଂ କ୍ଷେତ୍ରଭିତ୍ତିକ କ୍ଲଷ୍ଟର ସ୍ଥାପନ କରାଯାଇଛି। ୧ ଲକ୍ଷ ଏକରର ଜମି ବ୍ୟାଙ୍କ ଗଠନ କରାଯାଇଛି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଗଢ଼ି ଉଠିବା ପାଇଁ ସରକାର ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଶ୍ରୀ ଚୋପ୍ରା ପ୍ରତିନିଧିମାନଙ୍କୁ ଏହି ଅବସରରେ ବିସ୍ତତ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟକୁ ପୁଞ୍ଜି ନିବେଶର ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ଲାଗି ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିରେ ଭୁବନେଶ୍ୱରଠାରେ ୨୦୧୬ରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଦେଶର ବିଦେଶର ଏକାଧିକ କମ୍ପାନି ଯୋଗଦେଇ ୨ ଲକ୍ଷ ୩ ହଜାର ୨୭୦ କୋଟି ଟଙ୍କା ନିବେଶ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଏହି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀରେ ନିବେଶ ପାଇଁ ପ୍ରସ୍ତାବ ଦେଇଥିବା ଶିଳ୍ପ ପ୍ରତିଷ୍ଠାନ ଓ ଉଦ୍ୟୋଗୀମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ଭେଟି ଆଲୋଚନା କରୁଛନ୍ତି। ନିବେଶ ପ୍ରସ୍ତାବ ଗୁଡ଼ିକ କିଭଳି ବାସ୍ତବରେ ପରିଣତ ପରିଣତ ହେବ ତାହାକୁ ଗୁରୁତ୍ୱ ଦେଉଛନ୍ତି। ପୂର୍ବରୁ ମୁମ୍ବାଇରେ ନିବେଶକମାନଙ୍କୁ ରାଜ୍ୟ ସରକାର ଭେଟି ସାରିଛନ୍ତି। ଆଗାମୀ ଦିନରେ କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସମେତ ଅନ୍ୟାନ୍ୟ ସ୍ଥାନରେ ନିବେଶକମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟକୁ ନିବେଶ ଆଣିବା ଲାଗି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଥିବା ଇପିକଲ ବା ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଓ ନବେଶ ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀରେ ଆସିଥିବା ୨ ଲକ୍ଷ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ ମଧ୍ୟରୁ ଅତିକମ୍‌ରେ ଦେଢ଼ ଲକ୍ଷ କୋଟି ଟଙ୍କା ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ କିଭଳି ନିବେଶ ହେବ ତାହା ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି। ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀରେ ଆସିଥିବା ସମୁଦାୟ ପ୍ରସ୍ତାବ ମଧ୍ୟରୁ ଧାତବ ଏବଂ ଖଣିଜ କ୍ଷେତ୍ରକୁ ସର୍ବାଧିକ ୯୭,୯୧୧ କୋଟି ଟଙ୍କାର ପ୍ରସ୍ତାବ ଆସିଛି। ଏହା ପଛକୁ ଭିତ୍ତିଭୂମି କ୍ଷେତ୍ରକୁ ୩୮,୪୪୩ କୋଟି, ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରକୁ ୨୯,୯୩୨ କୋଟି ଟଙ୍କାର ପ୍ରସ୍ତାବ ଆସିଛି। ସେହିଭଳି ଏହା ପଛକୁ ସାର, ରସାୟନ, ପ୍ରେଟ୍ରୋରସାୟନ ଏବଂ ପ୍ଲାଷ୍ଟିକ୍‌ କ୍ଷେତ୍ରକୁ ୨୭୦୨୩ କୋଟି ଟଙ୍କାର ପ୍ରସ୍ତାବ ଆସିଛି। ଅନ୍ୟ ଯେଉଁ କ୍ଷେତ୍ରଗୁଡ଼ିକୁ ଆଖିଦୃଶିଆ ନିବେଶ ପ୍ରସ୍ତାବ ଆସିଛି ସେଗୁଡ଼ିକ ମଧ୍ୟରେ ମ୍ୟାନୁଫାକ୍‌ଚରିଂ ବା ନିର୍ମାଣ (୨୬୮୫ କୋଟି), ପର୍ଯ୍ୟଟନ (୨୦୭୬ କୋଟି), ଖାଦ୍ୟ ପ୍ରକ୍ରିୟାକରଣ (୨୧୦୧ କୋଟି), ଆଇଟି ଏବଂ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍‌ ଡିଜାଇନ ଓ ନିର୍ମାଣ (୧୫୦୦ କୋଟି), ବୟନ ଓ ହସ୍ତତନ୍ତ (୧୭୨ କୋଟି) ରହିଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ଭିଜନ ୨୦୨୫ ପ୍ରସ୍ତୁତ ହୋଇଛି ସେଥିରେ ମଧ୍ୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଏହି ନିବେଶ ଆକୃଷ୍ଟ କରି ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହି ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଲା ଆଇଟି ଓ ଇଲେକ୍‌ଟ୍ରୋନିକ୍ସ ମ୍ୟାନୁଫାକ୍‌ଚରିଂ, ଆନୁଷଙ୍ଗିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ଏବଂ ବୟନ ଓ ପୋଷାକ ଶିଳ୍ପ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି କୁହାଯାଇଛି, ଭିଜନ୍‌-୨୦୨୫ରେ ଶିଳ୍ପ ବିକାଶକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବା ସହିତ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର