ସହିଦ ସପ୍ତାହ ପାଇଁ ହାଇଆଲର୍ଟ : ସହିଦସ୍ତମ୍ଭ ସ୍ଥାପନ କଲେ ନକ୍ସଲ
ସରକାରୀ ବସ ଚଳାଚଳ ବନ୍ଦ, ଚିତ୍ରକୋଣ୍ଡାରେ ମାଓ ପୋଷ୍ଟର
ମାଲକାନଗିରି : ଆଜି ଠାରୁ ଆରମ୍ଭ ହୋଇଛି ନକ୍ସଲ ସହିଦ ସପ୍ତା। ମାଲକାନଗିରି ସମେତ ସୀମାନ୍ତ ଛତିଶଗଡ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ନକ୍ସଲ ଧୁମଧାପରେ ପାଳନ କରୁଥିବା ସୂଚନା ମିଳିଛି। ଦୁର୍ଗମ ଗ୍ରାମ ଗୁଡିକରେ ନକ୍ସଲ ବୈଠକ କରି ଲୋକଙ୍କୁ ସରକାରୀ ବିରୋଧୀ ମନ୍ତବ୍ୟ ଦେବା ସହ ନକ୍ସଲ ସେମାନଙ୍କ ପାଇଁ ସବୁବେଳେ ଲଢି ଆସୁଥିବା ପ୍ରକାଶ କରୁଛନ୍ତି। ଏପରିକି ସହିଦ ସପ୍ତାହ ପୂର୍ବରୁ କିଛି ଦିନ ତଳେ ବିଚ୍ଛିନ୍ନାଞ୍ଚଳର ଦୁର୍ଗମ ଜଂଗଲରେ ମାଓବାଦୀ ଏକ ବିରାଟ ମେଳି କରିଥିଲେ। ଏଥିରେ ଏକ ହଜାରରୁ ଉର୍ଦ୍ଧ୍ୱ ନକ୍ସଲ ସମେତ ହଜାର ହଜାର ସଂଖ୍ୟାରେ ମାଓ ସମର୍ଥକ ଉପସ୍ଥିତ ଥିଲେ। ୨ ବର୍ଷ ତଳେ ଅକ୍ଟୋବର ୨୪ ତାରିଖ ଦିନ ରାମାଗୁଡା ଜଂଗଲରେ ପୋଲିସ ଏନକାଉଣ୍ଟରରେ ସହିଦ ହୋଇଥିବା ସଂଗ୍ରାମୀ ସାଥୀଙ୍କ ଉଦେଶ୍ୟରେ ସହିଦ ଦିବସ ପାଳନ କରାଯିବା ନେଇ ଆହ୍ଵାନ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟଦିଗରେ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। କାଁ ଭାଁ ଘରୋଇ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ଦୁର୍ଗମ ଅଂଚଳରେ ପୋଲିସ ଓ ବିଏସଏଫ କମ୍ବିଂକୁ ଜୋରଦାର କରୁଥିଲେ ମଧ୍ୟ ନକ୍ସଲ ଏହି ଦିବସକୁ ଆଡମ୍ବରରେ ପାଳନ କରୁଥିବା ଖବର ମିଳୁଛି। ସହିଦ ଦିବସ ପରିପ୍ରେକ୍ଷିରେ ଚିତ୍ରକୋଣ୍ଡାର ଦୁର୍ଗମ ଅଂଚଳରେ ନକ୍ସଲ ପୋଷ୍ଟର ଦ୍ୱାରା ସହିଦ ସପ୍ତାହ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି। ବ୍ଲକ ସାରା ମାଳ ମାଳ ପୋଷ୍ଟର ଛାଇ ଯାଇଛି। ଲୋକେ ପୋଷ୍ଟର ଦେଖି ଭୟଭିତ ହୋଇଛନ୍ତି। କାଲିମେଳା ଅଂଚଳରେ ମଧ୍ୟ କାଲିମେଳା ଆଂଚଳିକ ଦଲମ ପକ୍ଷରୁ ନକ୍ସଲ ପୋଷ୍ଟର ମାରିଛନ୍ତି।
ସେହିପରି କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବାଲିଗୁଡ଼ା-ତୁମୁଡ଼ିବନ୍ଧ ରାସ୍ତା ଖମଣଖୋଲ ଓ ବିଡ଼ିଆପଙ୍ଗାରେ ପୋଷ୍ଟର ଲଗାଯାଇଛି। ଆଦିବାସୀଙ୍କୁ ଶୋଷଣ ଓ ପୁଲିସର ଦମନଲୀଳାକୁ ବିରୋଧ କରିବା ଏବଂ ମାଓବାଦୀଙ୍କ ମୃତ୍ୟୁକୁ ସହିଦ ଦିବସ ଭାବେ ପାଳନ କରିବା ନିମନ୍ତେ ପୋଷ୍ଟରରେ ଆହ୍ଵାନ ଦିଆଯାଇଛି। ଫୁଲବାଣୀ ଓ ବାଲିଗୁଡାରୁ ଅନ୍ୟ ସ୍ଥାନକୁ ଯାଉଥିବା ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି। ମାଓବାଦୀଙ୍କ ସହିଦ ସପ୍ତାହ ପାଳନକୁ ନେଇ କନ୍ଧମାଳରେ ହାଇ ଆଲର୍ଟ ଜାରି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗାଡ଼ି ମୋଟର ଯାଞ୍ଚ ସହ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି।
ସୀମାନ୍ତରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
କୋରାପୁଟ/ମାଲକାନଗିରି : ସହିଦ ସପ୍ତାହର ପ୍ରଥମ ଦିନରେ ଓଡ଼ିଶା ସୀମାନ୍ତ ଆନ୍ଧ୍ରରେ ମାଓବାଦୀଙ୍କ ହିଂସାକାଣ୍ଡ। ବିଶାଖାପାଟଣା ଜିଲ୍ଲା ଜି.କେ ବେଦି ମଣ୍ଡଳ ସୁକବୋଇ ଗ୍ରାମର ଜୟରାମ ହନ୍ତାଳଙ୍କୁ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଛନ୍ତି ମାଓବାଦୀ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଜୟରାମ ଶୋଇଥିବା ବେଳେ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ। ଘରୁ ଡାକି ନେଇ କୁମକୁମପଲି ଛକରେ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଯିବା ପୂର୍ବରୁ ଜୟରାମ ପୋଲିସ ଇନଫର୍ମର ଥିବାରୁ ମୃତ୍ୟୁଦଣ୍ଡ ଦିଆ ଯାଇଥିବା ତେଲୁଗୁ ଭାଷାରେ ଲିଖିତ ଏକ ଚିଠି ଶବ ନିକଟରେ ଛାଡ଼ି ଯାଇଥିଲେ।