ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଚେକିଂ କଡାକଡି ଯୋଗୁଁ ଜରିମାନା ଭୟରେ ପିପିଲିକୁ ଆସୁନି ବସ୍, ଅଟୋ ବି ଚାଲୁନି; ଲୋକେ ହନ୍ତସନ୍ତ

ପିପିଲି : ନୂଆ ମୋଟର ଯାନ ଆଇନ–୨୦୧୯ ସେପ୍ଟେମ୍ବର ପହିଲା ତାରିଖ ଠାରୁ ସାରା ଦେଶରେ ଲାଗୁ ହେବା ପରେ ଗାଡି ଧରପଗଡକୁ ଜୋରଦାର କରାଯାଇଛି। ଥାନା ପୁଲିସ ଠାରୁ ଆରମ୍ଭ କରି ପରିବହନ ବିଭାଗ ପକ୍ଷରୁ କାଗଜପତ୍ର ଯାଂଚ କଡାକଡି କରାଯିବା ସହ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ନୂଆ ଆଇନରେ ଧାର୍ଯ୍ୟ ହୋଇଥିବା ଜରିମାନା ପରିମାଣ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ବୁଧବାର ଭୁବନେଶ୍ବରଠାରେ ଜଣେ ନିୟମ ଉଲଂଘନକାରୀ ଅଟୋଚାଳକ ଠାରେ ବଡ ଧରଣର ଜରିମାନା ଲାଗିଯିବାର ଖବର ସମସ୍ତେ ଜାଣିବା ପରେ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପିପିଲି ତଥା ଏହାର ଆଖପାଖ ଅଂଚଳରୁ ଦୈନିକ ତିନିଶହରୁ ଅଧିକ ଅଟୋ ଭୁବନେଶ୍ବର ଚଳାଚଳ କରିଥାଏ। କିଛି ଅଟୋ ପିପିଲି–ଭୁବନେଶ୍ବର ମଧ୍ୟରେ ଓ ଅନ୍ୟ କେତେକ ରାଜଧାନୀ ସହର ମଧ୍ୟରେ ଚଳାଇ ରାତିରେ ଘରକୁ ଫେରିଥାନ୍ତି। ଚେକିଂ କଡାକଡି ହେବା ପରେ ଏହି ସବୁ ଅଟୋ ଆଉ ରାଜଧାନୀ ଯାଉନାହାନ୍ତି। ପିପିଲି ବଜାର ମଧ୍ୟ ଦେଇ ଯାତ୍ରୀବାହୀ ବସ ଚଳାଚଳ କମ୍ ଥିବାରୁ ଗତ ତିନି/ଚାରି ଦିନ ହେବ ପିପିଲି ରୁ ରାଜଧାନୀ ଅଭିମୁଖେ ଯିବାକୁ ରହୁଥିବା କର୍ମଜୀବୀ ମହିଳା ପୁରୁଷ, କଲେଜ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାରେ ପଡିଛନ୍ତ୍ରି। ଘଂଟାଘଂଟା ଧରି ବସକୁ ଅପେକ୍ଷା କରିବାକୁ ପଡୁଛି। ବହୁ ସମୟ ବ୍ୟବଧାନରେ ଯଦିବା ଗୋଟିଏ ବସ୍‌ ଆସୁଛି ତାହା ପ୍ୟାକ୍ ଥିବା ଯୋଗୁଁ ପିପିଲି ବଜାରରେ ରଖୁନାହିଁ। ରାସ୍ତାରେ, ରାଜଧାନୀରେ ପୁଲିସ, ଆରଟିଓ, ଟ୍ରାଫିକ ପୁଲିସର ଚଢାଉ ଜୋରଦାର ଥିବାରୁ ବସକୁ ଅପେକ୍ଷା କରି ରହୁଥିବା ବ୍ୟକ୍ତିମାନେ ନିଜର ବାଇକ ଥାଇ ସୁଦ୍ଧା ନେବାକୁ ଭୟ କରୁଛନ୍ତି। କିଛି ଲୋକଙ୍କର କାର୍ ଥାଇ ମଧ୍ୟ ସେମାନେ ତାହା ନେବାକୁ ନିରାପଦ ମନେ କରୁନାହାନ୍ତି।

ସେହିପରି ପିପିଲିରୁ ରାଜଧାନୀକୁ ଯାତ୍ରୀବାହୀ ଅଟୋ ଚେକିଂ ଭୟରେ ଯାଉନାହାନ୍ତି। ରିଜର୍ଭରେ ଅଟୋ ନେବା ପାଇଁ କହିଲେ ମଧ୍ୟ ଜରିମାନା ଗଣିବା ଡରରେ କେହି ଯାଉନାହାନ୍ତି। ଫଳରେ ପିପିଲି ଲୋକେ ଭୁବନେଶ୍ବର ଯିବା ଓ ଆସିବାରେ ବଡ ସମସ୍ୟାରେ ପଡିଛନ୍ତି। କଲେଜ ଛାତ୍ରଛାତ୍ରୀମାନେ ବସ୍‌ଷ୍ଟାଣ୍ତରୁ ଘରକୁ ଫେରିଯାଉଛନ୍ତି। ଚାକିରିଆମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବାହାର ଉପରେ ଗୁରୁତ୍ବାରୋପ କରୁଥିବାବେଳେ ପିପିଲି ଯାତ୍ରୀ କିପରି ଏହି ପବ୍ଲିକ ଟ୍ରାନ୍ସପୋର୍ଟ ର ଫାଇଦା ପାଇବେ ସେଦିଗରେ ସକାରୀବାବୁମାନେ ବିଶେଷକରି ପରିବହନ ବିଭାଗ ଅଧିକାରୀମାନେ ଦୃଷ୍ଟି ଦେବା ଜରୁରୀ ବୋଲି ଲୋକମାନେ ଦାବି କରୁଛନ୍ତି। ଏପରି ଅବସ୍ଥାରେ ପିପିଲି ନିକଟ ଦାଣ୍ତମୁକୁନ୍ଦପୁର ଭୋଗୁଆବାଙ୍କ ଓ ଟୋଲପ୍ଲାଜା ନିକଟ ପିପିଲି ବଜାର ରାସ୍ତା ସଂଯୋଗ ରାସ୍ତାଠାରେ ପୋଲିସ ଉପସ୍ଥିତ ରହି ଯାତ୍ରୀବାହୀ ବସ୍‌ଗୁଡିକୁ ପିପିଲିବଜାର ମଧ୍ୟ ଦେଇ ଛାଡିଲେ ବସ୍‌ କର୍ମଚାରୀଙ୍କ ମନମାନୀରୁ ପିପିଲି ଯାତ୍ରୀ ବର୍ତନ୍ତେ ଓ ସହଜ ଯିବା ଆସିବା ସମ୍ଭବ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର