ମହାପ୍ରଭୁଙ୍କ ନୀଳାଦ୍ରି ବିଜେ : ନୀଳକନ୍ଦରରେ ଲୀଳାମୟ
ରସଗୋଲା ଖୁଆଇ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ, ରାତି ସାଢ଼େ ୮ଟା ସୁଦ୍ଧା ରତ୍ନବେଦୀରେ ଚତୁର୍ଦ୍ଧା ମୂର୍ତି
ପୁରୀ : ଆଷାଢ଼ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି ଲୀଳାମୟ ଠାକୁର। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୂଢ଼ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲି ଝୁଲି ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ଫାଟି ପଡ଼ିଛି। ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ପରମ୍ପରା ଅନୁଯାୟୀ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ସେପଟେ ସଅଳ ପହଣ୍ଡିରେ ବି ଏଥର ରେକର୍ଡ଼ ହୋଇଛି। ନୀର୍ଘଣ୍ଟ ନୀତିର ଦେଢ଼ ଘଣ୍ଟା ପୂର୍ବରୁ ରାତି ସାଢ଼େ ୮ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତି ରତ୍ନବେଦୀରେ ବିଜେ ହୋଇଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୀଳାଦ୍ରି ବିଜେ ଉପଲକ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ତିନି ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ ପରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହୋଇଥିଲା। ପରେ ସକାଳ ଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା। ବେଶ ଶେଷ ପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯାଇଥିଲା। ସାଢ଼େ ୩ଟାରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ରାମ-କୃଷ୍ଣ, ମଦନମୋହନ ଏବଂ ତାଙ୍କ ପରେ ସୁଦର୍ଶନ ନୀଳାଦ୍ରି ବିଜେ କରିଥିଲେ। ଅପରାହ୍ଣ ୪ଟା ୫୦ରେ ବଡ଼ଠାକୁର ବଳଭଦ୍ରଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା। ରତ୍ନବେଦୀରେ ବଡ଼ଠାକୁର ବିଜେ କରିବା ପରେ ସଂଧ୍ୟା ୬ଟାରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ମା’ ସୁଭଦ୍ରା ରତ୍ନବେଦୀରେ ବିଜେ କରିବା ପରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କର ରାତି ୬ଟା ୪୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଚାରମାଳ ଉପରେ ତିନି ଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା।
ମହାପ୍ରଭୁଙ୍କ ଘୋଷ ଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ବିମୁଖ ଥିଲେ। ଏହି କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ଶିକାର ହୋଇଥିଲେ। ଚାହାଣୀ ମଣ୍ଡପରୁ ମା’ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ନୀଳାଦ୍ରି ବିଜେ ପୂର୍ବରୁ ସହଚରୀମାନଙ୍କ ଦ୍ବାରା ସିଂହଦ୍ୱାରକୁ ବନ୍ଦ କରି ଦେଇଥିଲେ। ଏହି ନୀତି ପାଳନ ଲାଗି କିଛି ସମୟ ପାଇଁ ସିଂହଦ୍ୱାର ବନ୍ଦ ରଖାଯାଇଥିଲା। ପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କିନ୍ତୁ ଜଗମୋହନକୁ ପ୍ରବେଶ କରିବା ପରେ ପୁଣି ଥରେ ଜୟବିଜୟ ଦ୍ୱାରଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ ମହାପ୍ରଭୁ। ବଡ଼ଦେଉଳ ଜୟବିଜୟ ଦ୍ୱାରକୁ ଠାକୁରଣୀଙ୍କ ସହଚରୀମାନେ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ସହଚରୀଙ୍କ ମଧ୍ୟରେ ଲୋକ ପାରମ୍ପରିକ ବଚନିକା ପରେ ଜୟବିଜୟ ଦ୍ୱାର ଖୋଲିଥିଲା। ନୀଳାଦ୍ରି ବିଜେର ଅନ୍ୟତମ ବିଶେଷତ୍ବ ଥିଲା ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ ମାନଭଞ୍ଜନ କରିଥିଲେ। ଏଠାରେ ପରମ୍ପରା ମୁତାବକ ରସଗୋଲା ଭୋଗ ଲାଗି ହୋଇଥିଲା। ଏହା ପୂର୍ବରୁ ମହାପ୍ରଭୁ ରଥରେ ବିଜେ କରିଥିବା ବେଳେ ସେଠାରେ ଭକ୍ତମାନେ ରସଗୋଲା ଭୋଗ ଲାଗି କରାଇଥିଲେ। ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବା ପାଇଁ ରସଗୋଲା ଭୋଗ ଲାଗିର ବିଶ୍ୱାସ ଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ନବବିବାହିତ ଏଠାରେ ରସଗୋଲା ଭୋଗ ଲଗାଇବାର ଦେଖିବାକୁ ମିଳିଥିଲା।