ହକି ବିଶ୍ୱ କପ୍‌ ପାଇଁ କେନ୍ଦ୍ରରୁ ମିଳିବନି ଆର୍ଥିକ ସହାୟତା

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱ କପ୍‌-୨୦୧୮ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭୁବନେଶ୍ୱରରେ ଆୟୋଜନ କରାଯାଉଛି। ଏହି କ୍ରୀଡ଼ା ପାଇଁ କେନ୍ଦ୍ର ସରକାର ଆଦୌ ଅନୁଦାନ ଦେଉ ନାହାନ୍ତି। ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଏହି ସୂଚନା ଦେଲା ପରେ ଏହାକୁ ନେଇ କେନ୍ଦ୍ର-ରାଜ୍ୟ ବିବାଦର ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଛି।

ସାଂସଦ ଝୀନ ହିକ୍‌କାଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କୌଣସି ଅନୁଦାନ ଦିଆଯାଇ ନ ଥିବା ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ସେ କହିଛନ୍ତି, କେନ୍ଦ୍ରର ନୈତିକ ଦାୟିତ୍ୱ ରହିବା ଆବଶ୍ୟକ। ଯେତେବେଳେ କୌଣସି ରାଜ୍ୟ ଏକ ଆନ୍ତର୍ଜାତିକ କ୍ରୀଡ଼ାର ଆୟୋଜନ କରେ, ତାହା ଦେଶ ପାଇଁ ଗର୍ବର ବିଷୟ ହୋଇଥାଏ। କେନ୍ଦ୍ର ସରକାର ଭାରତୀୟ ଅଲମ୍ପିକ୍‌ ସଂଘ ସହାୟତାରେ ସଂପୃକ୍ତ ରାଜ୍ୟକୁ ଅନୁଦାନ ଦେଇପାରିବେ। କିନ୍ତୁ ହକି ବିଶ୍ୱକପ୍‌ ପାଇଁ କୌଣସି ସହାୟତା ନ ମିଳିବା ଦୁଃଖର ବିଷୟ। ଏହା କୌଣସି ରାଜନୈତିକ ବିଷୟ ନୁହେଁ। ଏହାକୁ ସରକାରୀ ଭାବେ ଆୟୋଜନ କରାଯାଉଛି। ଓଡ଼ିଶା ସରକାର ସବୁ ସହଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର