ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ: ରାଜେନ୍ଦ୍ର ପ୍ରସାଦ ଶର୍ମା

ଡିଜି ପଢ଼ାଇଲେ ଶୃଙ୍ଖଳା ପାଠ, ଫେରାର ଅପରାଧୀଙ୍କୁ ଗିରଫ ପାଇଁ ୩୦ ଦିନ କଣ୍ଟ, ମାଫିଆଙ୍କ ଉପରେ କଡ଼ା ନଜର ପାଇଁ ନିର୍ଦେଶ

କଟକ: ସମ୍ବଲପୁର ଅଇଁଠାପାଲ୍ଲୀ ହାଜତ ମୃତ୍ୟୁ ପ୍ରସଂଗରେ ଉତ୍ତ୍ୟକ୍ତ ଲୋକ ଥାନା ଜାଳିବା ଘଟଣାରେ ପୁଲିସ ବିଭାଗ ଅଡ଼ୁଆରେ ପଡ଼ିଯାଇଛି । ଭବିଷ୍ୟତରେ ଯେଭଳି ଏ ପ୍ରକାର ପରିସ୍ଥିତିର ପୁନରାବୃତ୍ତି ନଘଟେ ସେଥିପାଇଁ ବିଭିନ୍ନ ରେଞ୍ଜର ଆଇଜି/ଡିଆଇଜି ଏବଂ ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ତାଗିଦ କରିଛନ୍ତି। ବିଭାଗର ୪୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଡାକ୍ତର ଶର୍ମା ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୃଙ୍ଖଳା ପାଠ ପଢ଼ାଇଛନ୍ତି । ସମ୍ବେଦନଶୀଳ ପ୍ରସଂଗରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପୁଲିସ ଅଫିସର କିଭଳି ଢଂଗରେ ମୁକାବିଲା କରିବେ, ଡିଜି ସେ ଦିଗରେ ପରାମର୍ଶ ଦେବା ସହ ରାଜ୍ୟରେ ମାଫିଆ ଏବଂ ଅପରାଧୀଙ୍କ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସେମାନଙ୍କୁ ଗିରଫ କରିବାକୁ ୩୦ ଦିନ ସମୟ ଧାର୍ଯ୍ୟ କରିଛନ୍ତି।

ଅଇଁଠାପଲ୍ଲୀ ଥାନାରେ ଚୋରି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅବିନାଶ ମୁଣ୍ଡାଙ୍କ ହାଜତ ମୃତ୍ୟୁ ଘଟଣାରେ ଉତ୍ତ୍ୟକ୍ତ ଲୋକେ ଗତ ୯ ତାରିଖରେ ଥାନା ଜାଳି ଦେଇଥିଲେ। ସେହି ଘଟଣାରେ ଅନେକ ତ୍ରୁଟିବିଚ୍ୟୁତି ସାମନାକୁ ଆସିଥିଲା। ପରିସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ପୁଲିସର ଦୁର୍ବଳତା ପଦାରେ ପଡ଼ିଯାଇଥିଲା। ତେଣୁ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନଘଟିବ ସେଥିପାଇଁ ଆଜି ଏ ପ୍ରକାର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପୁଲିସ ଡିଜି ଡାକ୍ତର ଶର୍ମା ବକ୍ସିବଜାରସ୍ଥିତ ପୁଲିସ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦିନ ପ୍ରାୟ ୧୧ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ସମସ୍ତ ରେଞ୍ଜ ଆଇଜି, ପୁଲିସ କମିସନର୍‌, ଡିସିପିି, ଜିଲ୍ଲା ଏସ୍‌ପିମାନଙ୍କ ସହ ଆଲୋଚନା କରିଥିଲେ। ସାଧାରଣ ଲୋକଙ୍କ ସହିତ ପୁଲିସ ଅଫିସର କିଭଳି ସୁସମ୍ପର୍କ ରକ୍ଷା କରିବେ, ସେ ନେଇ ଡିଜି ପରାମର୍ଶ ଦେଇଥିଲେ। ରାଜ୍ୟରେ ବିଭିନ୍ନ ସମୟରେ ଉପୁଜୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ସହିତ ବରିଷ୍ଠ ପୁଲିସ ଅଧିକାରୀ ଏହାର ନେତୃତ୍ୱ ନେବାକୁ ପରାମର୍ଶ ଦେଇଥିଲେ। ପର୍ଯ୍ୟାପ୍ତ ପରିମାଣର ଫୋର୍ସ ମହଜୁଦ ରଖିବା ସହିତ ତୁରନ୍ତ ଘଟଣାସ୍ଥଳରେ କିଭଳି ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବେ, ସେ କ୍ଷେତ୍ରରେ ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ବା କମିସନରେଟ୍‌ ପୁଲିସରେ କୌଣସି ବଡ଼ ଧରଣର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆଗୁଆ ତଥ୍ୟ ସଂଗ୍ରହ ପାଇଁ ଗୁଇନ୍ଦା ସୂଚନାକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ ବୋଲି ଡିଜି କହିଥିଲେ ।

ଏହାବାଦ୍‌ ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ଜିଲ୍ଲା ଓ୍ଵାରି ଏକ ସ୍ୱତନ୍ତ୍ର ଡ୍ରାଇଭ୍‌ ଏସ୍‌ପିମାନେ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଘଟଣାରେ ସମ୍ପୃକ୍ତ ଫେରାର ଆସାମୀଙ୍କୁ ଗିରଫ କରିବା, ଏନ୍‌ବିଡବ୍ଲୁ ଜାରି ହୋଇଥିବା ଅପରାଧୀଙ୍କୁ ଧରିବା ପାଇଁ ପଦକ୍ଷେପ ନେବା, ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇ ସେମାନଙ୍କୁ କାବୁ କରିବା, ସିଆର୍‌ପିସିର ଧାରା ୧୧୦ରେ ଅପରାଧୀଙ୍କୁ ଗିରଫ କରିବା, ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏନ୍‌ଏସ୍‌ଏ(ନ୍ୟାସ୍‌ନାଲ ସିକ୍ୟୁରିଟି ଆକ୍ଟ) ଲାଗୁ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ଗଂଜେଇ ମାଫିଆ, ବେଆଇନ ଆସ୍ତ୍ରଶସ୍ତ୍ର କାରବାର କରୁଥିବା ଅପରାଧୀ, ବେଆଇନ ବାଲି ଚାଲାଣ କରୁଥିବା ମାଫିଆ, ପଥର ଏବଂ କାଠ ମାଫିଆଙ୍କ ଉପରେ କଡ଼ା ନଜର ରଖିବା ସହିତ ସେମାନଙ୍କ କ୍ଷେତ୍ରରେ ପୁଲିସ ପ୍ରଶାସନ କଠୋର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ରେଞ୍ଜର ଆଇଜି କିମ୍ବା ଡିଆଇଜି ପାହ୍ୟାର ଅଧିକାରୀ ସମ୍ପୃକ୍ତ ଜିଲ୍ଲାର ଏସ୍‌ପିଙ୍କ କାର୍ଯ୍ୟଧାରା ଉପରେ ନଜର ରଖିବା ସହିତ ପର୍ଯ୍ୟାୟକ୍ରମେ ଅନୁଧ୍ୟାନ କରିବା ପାଇଁ ଡିଜି ଗୁରୁତ୍ୱ ଦେଇଛନ୍ତି । ୩୦ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ଜିଲ୍ଲା ଏସ୍‌ପି ଏବଂ କମିସନରେଟ୍‌ ପୁଲିସର ଡିସିପିଙ୍କ ମାସିକ କାର୍ଯ୍ୟ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରିବାକୁ ଡିଜି ନିଷ୍ପତ୍ତି ନେଇଛନ୍ତି।

ଆୟୋଜିତ ଭିଡିଓ କନ୍‌ଫରେନ୍‌ସିଂରେ ୯ଟି ରେଞ୍ଜର ଆଇଜି/ଡିଆଇଜି, ପୁଲିସ କମିସନର, ୩୨ ପୁଲିସ ଜିଲ୍ଲାର ଏସ୍‌ପି ସାମିଲ ହୋଇଥିଲେ। ଡିଜିଙ୍କ ସହିତ ପୁଲିସ ମୁଖ୍ୟାଳୟରେ ଏଡିଜି ସତ୍ୟଜିତ ମହାନ୍ତି, ସନ୍ତୋଷ ଉପାଧ୍ୟାୟ, ପ୍ରଣବିନ୍ଦୁ ଆଚାର୍ଯ୍ୟ, ଅରୁଣ ବୋଥ୍ରା, ସୌମେନ୍ଦ୍ର ପ୍ରୟଦର୍ଶୀ, ଆଇଜି ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର