ଓଏଏସ୍‌-ଓଏଫ୍‌ଏସ୍‌ ନିଯୁକ୍ତିରେ ଦୁର୍ନୀତି!

କ୍ୟାବିନେଟ୍‌ ସ୍ୱୀକୃତି ନାହିଁ, ମୁଖ୍ୟ ସଚିବ ଦେଇଦେଲେ ନିର୍ଦ୍ଦେଶ

ରାଜ୍ୟପାଳ, ମୁଖ୍ୟ ବିଚାରପତିଙ୍କୁ ଅଭିଯୋଗ

କଟକ : କ୍ୟାବିନେଟ୍‌ର ସ୍ୱୀକୃତି ନାହିଁ। ନିର୍ଦ୍ଧାରିତ କ୍ୟାଡର୍‌ ସଂଖ୍ୟା ଅନୁଯାୟୀ ପଦବି ଖାଲି ନାହିଁ। କିନ୍ତୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ବଳରେ ଦେଇ ଦିଆଗଲା ନିଯୁକ୍ତି। ତାହାକୁ ନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରାଗଲା ନାହିଁ କି କ୍ୟାବିନେଟର ଅନୁମୋଦନ ନିଆଗଲା ନାହିଁ। ଏଭଳି ବେଆଇନ ଢଙ୍ଗରେ ୭୩ଟି ଓଏଏସ୍‌ ଏବଂ ୯୩ଟି ଓଏଫ୍‌ଏସ୍‌ ପଦବିରେ ନିଯୁକ୍ତି ହୋଇଛି। ବେଆଇନ ନିଯୁକ୍ତି ବଳରେ ପାଖାପାଖି ୯ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ ହୋଇଛି। ସରକାରୀ ପ୍ରଥମ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ପାଇଁ ହୋଇଥିବା ଏଭଳି କେଳେଙ୍କାରୀ ସଂପର୍କରେ ତଥ୍ୟପ୍ରମାଣ ସହ ରାଜ୍ୟପାଳ, ସୁପ୍ରିମକୋଟ୍‌ର୍ ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶନ ସହ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିଥିଲା। କିନ୍ତୁ ପରୀକ୍ଷା ପରିଚାଳନା ବିଳମ୍ବିତ ହୋଇଥିବା ବେଳେ ୨୦୦୯, ଫେବ୍ରୁଆରି ୨୮ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ପ୍ରଶାସନିକ ସେବା କ୍ୟାଡର ପୁର୍ନଗଠନ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଥିଲା। ଓଏଏସ୍‌ ଏବଂ ଓଏଫ୍‌ଏସ୍‌ ପଦବିରେ ନିଯୁକ୍ତି ପାହ୍ୟାକୁ ଦ୍ୱିତୀୟ ଶ୍ରେଣୀ ବଦଳରେ ପ୍ରଥମ ଶ୍ରେଣୀ (କନିଷ୍ଠ ବର୍ଗ) ପାହ୍ୟାରେ ପରିଣତ କରାଯାଇଥିଲା। ଏଭଳି ସ୍ଥିତିରେ ଓଏଏସ୍‌ କ୍ୟାଡର ପଦବି ସଂଖ୍ୟା ୯୮୪ ଏବଂ ଓଏଫ୍‌ଏସ୍‌ ପଦବି ସଂଖ୍ୟା ୪୫୦ ଧାର୍ଯ୍ୟ କରାଯାଇଥିଲା। ପୂର୍ବରୁ ଏହି ପଦବିରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ସଂଖ୍ୟାକୁ ମିଶାଇ ସେତେବେଳେ ଓଏଏସ୍‌ ଅଫିସରଙ୍କ ସଂଖ୍ୟା ରହିଥିଲା ୧୪୧୬ ଏବଂ ଓଏଫ୍‌ଏସ୍‌ ଅଫିସରଙ୍କ ସଂଖ୍ୟା ରହିଥିଲା ୫୧୭। କ୍ୟାଡର ପୁର୍ନଗଠନ ହେବାରୁ ସେହି ସମୟରେ ଓଏଏସ୍‌ ପଦବିରେ କୌଣସି ଖାଲି ନଥିବା ବେଳେ ଓଏଫ୍‌ଏସ୍‌ ପଦବି ଖାଲି ଥିଲା ୧୧୪। ଅନ୍ୟପଟେ କିନ୍ତୁ ୨୦୦୬ରେ ଯେଉଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେଥିରେ ୭୩ଟି ଓଏଏସ୍‌ ଏବଂ ୨୦୭ ଓଏଫ୍‌ଏସ୍‌ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା।

ସେହି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୭୩ଟି ଓଏଏସ୍‌ ଓ ୨୦୭ ଓଏଫ୍‌ଏସ୍‌ ପଦବି ପୂରଣ ପାଇଁ ନିଷ୍ପତ୍ତି ନିଆଗଲା। ଅର୍ଥାତ କ୍ୟାଡର ସଂଖ୍ୟା ଠାରୁ ଅଧିକ ୭୩ଟି ଓଏଏସ୍‌ ଏବଂ ୯୩ଟି ଓଏଫ୍‌ଏସ୍‌ ପଦବିରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇ ନିଆଗଲା। ଏହି ନିଷ୍ପତ୍ତିକୁ କିନ୍ତୁ ପରବର୍ତ୍ତୀ ସମୟରେ କ୍ୟାବିନେଟ୍‌ ଅନୁମୋଦନ ପାଇଁ ରଖାଗଲା ନାହିଁ। ଭବିଷ୍ୟତରେ ଖାଲି ପଡିବାକୁ ଥିବା ପଦବି ପୂରଣ ନକରି ଏହାକୁ ସେଥିରେ ଧିରେଧିରେ ଖାପ ଖୁଆଇ ନେବାକୁ ଅଲିଖିତ ନିର୍ଦ୍ଦେଶ ଜାରି କରାଗଲା। ୨୦୧୦ରେ ଏଭଳି ବେଆଇନ ଭାବେ ୧୬୬ଟି ପ୍ରଥମ ଶ୍ରେଣୀ ପାହ୍ୟାରେ ହୋଇଥିବା ନିଯୁକ୍ତି ସଂପର୍କିତ ତଥ୍ୟ ଏବେ ସାମନାକୁ ଆସିଛି। ଏ ସଂପର୍କରେ ଆଇନଜୀବୀ ଜ୍ୟୋତିକାନ୍ତ ମହାନ୍ତି କହିଛନ୍ତି ଯେ କ୍ୟାବିନେଟ୍‌ ବିନା ଅନୁମୋଦନରେ ମୁଖ୍ୟ ଶାସନ ସଚିବ ଏଭଳି ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେବା ସଂପୂର୍ଣ୍ଣ ବେଆଇନ। ତେଣୁ ସେହି ସମୟରେ ପୂରଣ ହୋଇଥିବା ପଦବି ଆଦୌ ବୈଦ୍ଧ ନୁହେଁ। କେଉଁ ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି, ବେଆଇନ ଭାବେ ରାଜକୋଷରୁ ଦରମା ବାବଦକୁ ଯେଉଁ ୯ କୋଟି ଟଙ୍କା ବ୍ୟୟ ହେଲାଣି, ତାହାକୁ କାହାଠାରୁ ଭରଣା କରାଯିବ, ସେ ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର