ଭୁବନେଶ୍ୱର: ସର୍ବଦଳୀୟ ସ୍ମୃତିସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୋଟିଏ ମଞ୍ଚରେ ଭେଟ ହେଲେ ନବୀନ-ନିରଂଜନ-ଧର୍ମେନ୍ଦ୍ର

ଭୁବନେଶ୍ୱର: ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସର୍ବଦଳୀୟ ସ୍ମୃତିସଭାରେ ବାଜପେୟୀଙ୍କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆୟୋଜକ ବିଜେପି ଓ ବିରୋଧୀ କଂଗ୍ରେସୀ ନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ଅନ୍ୟ ଦଳର ବରିଷ୍ଠ ନେତାମାନେ ମଧ୍ୟ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।  ସ୍ମୃତିସଭା ଅବସରରେ ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି।

କିଏ କ’ଣ କହିଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ଦକ୍ଷ ରାଜନେତା ଓ କବି। ବାଜପେୟୀଙ୍କ ଦୃଦୟ ଉଦାର ଓ ପ୍ରଶସ୍ତ ଥିଲା।  
କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଭାରତୀୟ ରାଜନୀତିରେ ଅଟଳ ବିହାରୀ ବାଜପେୟୀ ଥିଲେ ଧ୍ରୁବତାରା। ସେଥିପାଇଁ ସେ ଲୋକପ୍ରିୟ ହୋଇପାରିଥିଲେ। 
ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ବାଜପେୟୀଙ୍କ ଭାଷଣ ଶୈଳୀ ବିରଳ। ବାଜପେୟୀଙ୍କ କେହି ବି ଶତ୍ରୁ ନଥିଲେ।

ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଗୁରୁବାର ସନ୍ଧ୍ୟାରେ ପୁରୀ ମହୋଦଧିରେ ବିସର୍ଜନ କରାଯାଇଥିଲା। ବିଧି ଅନୁସାରେ ଶ୍ରାଦ୍ଧ ଅର୍ପଣ ଓ ପୂଜାର୍ଚ୍ଚନା କରାଯିବା ପରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଚିତାଭସ୍ମକୁ ମହୋଦଧିରେ ବିସର୍ଜନ କରାଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନୂଆଦିଲ୍ଲୀ ଅଶୋକା ରୋଡ଼ଠାରେ ଅନୁଷ୍ଠିତ ଏକ ସମାରେହରେ ବୁଧବାର ଏହି ଅସ୍ଥି କଳସ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ। ଅଟଳଙ୍କ ଅସ୍ଥି କଳସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା।

ସମ୍ବନ୍ଧିତ ଖବର