ବାଘଠୁ ଅଧିକ ହିଂସ୍ର ବିଜେଡି ସରକାରଙ୍କ ପୁଲିସ

ଭୁବନେଶ୍ବ : ସାତକୋଶିଆର ସୁନ୍ଦରୀ ବାଘୁଣୀ ଅପେକ୍ଷା ଓଡ଼ିଶା ବିଜେଡି ସରକାରଙ୍କ ପୁଲିସ ବାହିନୀ ଅଧିକ ହିଂସ୍ର ହୋଇ ଉଠିଛନ୍ତି ବୋଲି ଆଜି ବିଜେପି ଅଭିଯୋଗ ଆଣିଛି। ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାତକୋଶିଆ ବୁଲି ଆସିବା ପରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହା କୁହାଯାଇଛି। ପୁଲିସ ମିଥ୍ୟା ମୋକଦ୍ଦମା କରି ସାଧାରଣ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟରେ ଗିରଫ କରିବା ସହ ଭୟର ବାତାବରଣ ସୃଷ୍ଟି କରୁଛି। ଦୁଇ ଦୁଇଟି ଜୀବନ ଯିବା ସତ୍ତ୍ବେ ଆଜିଯାଏ କୌଣସି ନିର୍ବାଚିତ ପ୍ରତିନିଧି ସାତକୋଶିଆ ନ ଯିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି। ସାତକୋଶିଆ ଅନ୍ତର୍ଗତ ହାତୀବାରି ଗାଁର ବୃଦ୍ଧା କୈଳାସଙ୍କୁ ବାଘ ମାରିବା ଘଟଣାକୁ ସରକାର ଅଗ୍ରାହ୍ୟ କରିଥିଲେ। ବାଘ ଆକ୍ରମଣ ନୁହେଁ ବରଂ ଜଙ୍ଗଲର ଅନ୍ୟ ହିଂସ୍ରଜନ୍ତୁଙ୍କ ଆକ୍ରମଣରେ କୈଳାସଙ୍କର ମୃତ୍ୟୁ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ସେହିଭଳି ଅକ୍ଟୋବର ୨୧ରେ ଟାଇଁସ ଗାଁର ବୃଦ୍ଧ ତ୍ରିନାଥ ସାହୁ ମଧ୍ୟ ବାଘୁଣୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ଏହା ସତ୍ତ୍ବେ ମଧ୍ୟ କୌଣସି ନିର୍ବାଚିତ ପ୍ରତିନିଧି କିମ୍ବା କୌଣସି ଅଧିକାରୀ ଉକ୍ତ ଗାଁକୁ ବୁଲି ଗଲେ ନାହିଁ। ଲୋକମାନେ ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନ କଲେ ପୁଲିସ ସେମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଗିରଫ କରୁଛି। ବ୍ରିଟିଶ ସରକାରଙ୍କ ପୁଲିସଠାରୁ ନବୀନ ସରକାରଙ୍କ ପୁଲିସ ବଳି ଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ସାତକୋଶିଆ ଗସ୍ତ କରିଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର