କ୍ୟାବିନେଟ୍‌ ବୈଠକରେ ୩ ପ୍ରସ୍ତାବକୁ ମଞ୍ଜୁରି : ସଚିବାଳୟ କର୍ମଚାରୀଙ୍କୁ ଖୁସି କଲେ ସରକାର

ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି । ନିର୍ବାଚନକୁ ଯିବା ପୂର୍ବରୁ ଯେପରି ସଚିବାଳୟ କର୍ମଚାରୀମାନେ ଅସନ୍ତୁଷ୍ଟ ନ ହୁଅନ୍ତି, ସେଥିପାଇଁ ସରକାର ସୋମାନଙ୍କର ବହୁ ଦିନର ଦାବି ପୂରଣ କରିଛନ୍ତି । ଏଣିକି ସଚିବାଳୟ ସହାୟକ ଉପ ବିଭାଗ ଅଧିକାରୀ (ଏଏସ୍‌ଓ) ପଦବିରୁ ଉପ ବିଭାଗ ଅଧିକାରୀ (ଏସ୍‌ଓ) ପଦବିକୁ ପଦୋନ୍ନତି ପାଇବାକୁ ହେଲେ ୧୨ ବର୍ଷର ଅଭିଜ୍ଞତା ନୁହେଁ ୮ବର୍ଷର ଅଭିଜ୍ଞତା ଦରକାର। ଏ ନେଇ ଓଡ଼ିଶା ସଚିବାଳୟ ସେବା ( ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତାବଳୀ ) ନିୟମ ୨୦୧୬ରେ ସଂଶୋଧନ କରିଛନ୍ତି ସରକାର । ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ପ୍ରସ୍ତାବ ସହ ମୋଟ୍ ୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ, ଏଏସ୍‌ଓ ପଦବିରୁ ଏସ୍‌ଓ ପଦବିକୁ ପଦୋନ୍ନତି ପାଇଁ ପୁରୁଣା ନିୟମରେ ମୂଳ ପଦବିର ଚାକିରିର ଅଭିଜ୍ଞତାକୁ ୯ବର୍ଷରୁ ୧୨ ବର୍ଷକୁ ବୃଦ୍ଧି କରାଯାଇଥିଲା । ସେହିପରି ଉପଶାସନ ସଚିବ, ଯୁଗ୍ମ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ ପଦବିକୁ ପଦୋନ୍ନତି ପାଇଁ ଅନୁଶାସନ ସଚିବ, ଉପ ଶାସନ ସଚିବ ଓ ଯୁଗ୍ମ ଶାସନ ସଚିବ ପାହ୍ୟାରେ ୩ ବର୍ଷର ଚାକିରି ଅଭିଜ୍ଞତା ନେଇ ନିୟମ ରଖାଯାଇଥିଲା । ମୂଳ ଏଏସଓ ପଦବିରେ ଦୀର୍ଘ ବର୍ଷ ଧରି ଅଭିଜ୍ଞତା ଥାଇ ବି ଉଚ୍ଚ ପଦବିକୁ ପଦୋନ୍ନତି ପାଇଁ ଥିବା ଅଭିଜ୍ଞତା ସର୍ତ୍ତାବଳୀ ଯୋଗୁଁ ସଚିବାଳୟ ସେବା ବର୍ଗରେ ବହୁ ସଂଖ୍ୟକ ପଦୋନ୍ନତି ଭିତ୍ତିକ ପଦବି ଖାଲି ପଡ଼ିବା ସହ ସାଧାରଣ ସେବା ବାଧାପ୍ରାପ୍ତ ହେଉଥିଲା । ଏହାସହିତ ପଦୋନ୍ନତି ଭିତ୍ତିକ ପଦବି ଖାଲି ଥାଇ ବି ସଚିବାଳୟ ସେବା ବର୍ଗ ଅଧିକାରୀମାନେ ସମୟାନୁସାରେ ପଦୋନ୍ନତି ପାଇ ପାରିଲେ ନାହିଁ । ସେମାନଙ୍କ ଭିତରୁ କେତେକ ପଦୋନ୍ନତି ନ ପାଇ ଅବସର ଗ୍ରହଣ କରିଗଲେ । ଏ ନେଇ ସଚିବାଳୟ ସେବା ସଂଘ ସର୍ତ୍ତାବଳୀ ସଂଶୋଧନ କରି ଅଭିଜ୍ଞତା ଅବଧିକୁ କମାଇବା ପାଇଁ ବାରମ୍ବାର ସରକାରଙ୍କ ପାଖରେ ଦାବି କରିଆସୁଥିଲା ।

ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ଅନୁଶାସନ ସଚିବ ପଦବିରୁ ଉପଶାସନ ସଚିବ ଏବଂ ଉପଶାସନ ସଚିବ ପଦବିରୁ ଯୁଗ୍ମ ଶାସନ ସଚିବ ପଦବିକୁ ପଦୋନ୍ନତି ପାଇଁ ଥିବା ଚାକିରି ଅଭିଜ୍ଞତାକୁ ୩ ବର୍ଷରୁ କମାଇ ୧ ବର୍ଷକୁ ହ୍ରାସ କରିଛନ୍ତି । ଖାଲି ସେତିକି ନୁହେଁ, ସଚିବାଳୟ ସେବାରେ ଅତିରିକ୍ତ ଶାସନ ସଚିବକୁ ପଦୋନ୍ନତି ପାଇଁ ଥିବା ୩ ବର୍ଷ ଚାକିରି ଅଭିଜ୍ଞତା ସର୍ତ୍ତକୁ ସମ୍ପୂର୍ଣ୍ଣ ସରକାର ଉଠାଇଦେଇଛନ୍ତି । କେବଳ ଯୁଗ୍ମ ଶାସନ ସଚିବ ପଦବିରୁ ଅତିରିକ୍ତ ଶାସନ ସଚିବ ପଦବିକୁ ପଦୋନ୍ନତି କେବଳ ଯୋଗ୍ୟତା ଓ ବରିଷ୍ଠତା ଆଧାରରେ ପ୍ରଦାନ କରାଯିବ । ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ସରକାର ପୂରଣ କରିଥିବା ସଚିବାଳୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ସେହିପରି ହାଲୁକା ମୋଟର ଯାନ ଚଳାଉଥିବା ସରକାରୀ ଡ୍ରାଇଭର ( ନିଯୁକ୍ତି ଓ ସେବା ସର୍ତ୍ତ ) ନିୟମାବଳୀ ୨୦୧୩ରେ ସଂଶୋଧନ କରାଯିବା ସହ ଓଡ଼ିଶା ପୁଲିସ ସେବା ( ନିଯୁକ୍ତି ଓ ସେବା ସର୍ତ୍ତ ) ନିୟମାବଳୀ ୨୦୧୩ ଓ ଓଡ଼ିଶା ସଶସ୍ତ୍ର ପୁଲିସ ସେବା ( ନିଯୁକ୍ତ ଓ ସେବା ସର୍ତ୍ତ ) ନିୟମାବଳୀ ୨୦୧୩ରେ ସଂଶୋଧନ କରିଛନ୍ତି ସରକାର।

ସମ୍ବନ୍ଧିତ ଖବର