ଓଡ଼ିଆ ଲୋକଙ୍କୁ ସହାୟତା ଦେବାକୁ ଓଡ଼ିଶା ସରକାର ଚିଠି ଲେଖିଲେ

ଭୁବନେଶ୍ୱର : କେରଳରେ ଦେଖାଦେଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବହୁ ଓଡ଼ିଆ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ଏମର୍ଜେନ୍ସି ଅପରେସନ୍‌ ସେଣ୍ଟର୍‌ ପକ୍ଷରୁ ପାଣି ଘେରରେ ଥିବା ଓଡ଼ିଆ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେରଳ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇ ଏହି ତାଲିକା ପ୍ରଦାନ କରାଯାଇଛି। ଏଥିରେ ୬୯ ଜଣଙ୍କ ଓଡ଼ିଆଙ୍କ ନାମ ସହ ସେମାନଙ୍କ ଯୋଗାଯୋଗ ନମ୍ବର ଓ କେରଳରେ ରହୁଥିବା ସ୍ଥାନ ମଧ୍ୟ ଦର୍ଶାଯାଇଛି। ସେମାନଙ୍କୁ ଖାଦ୍ୟ, ପିଇବା ପାଣି ଓ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।

ବନ୍ୟା ଯୋଗୁଁ ଅଟକି ରହିଥିବା ଓଡ଼ିଆ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିସନ୍‌ କାର୍ଯ୍ୟାଳୟ ପକ୍ଷରୁ ହେଲ୍‌ପ୍‌ ଲାଇନ୍‌ ନଂ-୧୦୭୦ ଓ ୦୬୭୪-୨୫୩୪୧୭୭ ଜାରି କରାଯାଇଛି। କେରଳ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି ଓ ସେଠାରେ ଥିବା ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର