ସୀମା ବିବାଦକୁ ନେଇ ଗୃହ କମିଟିର ତନାଘନା : ହାଜର ହୋଇ ରିପୋର୍ଟ ଦେବେ ଜିଲ୍ଲାପାଳ, ଆର୍‌ଡିସି

ରାଜସ୍ୱ ମନ୍ତ୍ରୀ, ସଚିବଙ୍କ ଉପସ୍ଥିତିରେ ତର୍ଜମା ହେବ, ୧୦ଟି ଜିଲ୍ଲାରେ ଉତ୍କଟ ହେଲାଣି ସୀମା ବିବାଦ

0 35

ଭୁବନେଶ୍ୱର : ମହାନଦୀ, ପୋଲାଭରମ୍‌ ଆଦି ପ୍ରକଳ୍ପକୁ ନେଇ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶା ସରକାରଙ୍କ ବିବାଦ ସଙ୍ଗିନ୍‌ ମୋଡରେ ପହଞ୍ଚିଛି। ଏହାକୁ ନେଇ ରାଜ୍ୟରେ ବଡ଼ ଧରଣର ଆନ୍ଦୋଳନ ଚାଲିଛି। ଠିକ୍‌ ଏମିତି ଏକ ସମୟରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟ ଓଡ଼ିଶା ସୀମାକୁ ମାଡ଼ିବସିବା ଲାଗି ଯେଉଁ ଚକ୍ରାନ୍ତ ଚଳାଇଛନ୍ତି, ତାର ଦୃଢ ମୁକାବିଲା ପାଇଁ ଆଜି ସୀମା ବିବାଦ ସଂକ୍ରାନ୍ତ ବିଧାନସଭା ଗୃହ କମିଟି ଅଣ୍ଟା ଭିଡିଛି। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ବସିଥିବା ଏ ସଂକ୍ରାନ୍ତରେ ବୈଠକରେ ଆଜି ତନାଘନା ହୋଇଥିଲା। ନିଷ୍ପତ୍ତି ହୋଇଛି, ରାଜ୍ୟର ସମସ୍ତ ସୀମା ବର୍ତୀ ଜିଲ୍ଲାପାଳଙ୍କୁ ଆସନ୍ତା ବୈଠକରେ ଡକାଯିବ ଓ କେଉଁ ରାଜ୍ୟ ସହିତ ବିବାଦ କିଭଳି ସ୍ତରରେ ରହିଛି, ରାଜ୍ୟ ସରକାର ଏହା ଉପରେ କି ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଗୃହ କମିଟି ତର୍ଜମା କରିବ। କେବଳ ସେତିକି ନୁହେଁ, ଏହି ବୈଠକକୁ ଆର୍‌ଡିସି, ରାଜସ୍ୱ ସଚିବ ଓ ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ଡକାଯିବାକୁ ନିଷ୍ପତ୍ତି ହୋଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସୀମା ବିବାଦ ଉଗ୍ର ରୂପ ଧାରଣ କରୁଥିବା ପରିପ୍ରେକ୍ଷୀରେ ୨୦୦୬ ମସିହା ଅଗଷ୍ଟ ୧୨ ତାରିଖରେ ତତ୍କାଳୀନ ବାଚସ୍ପତି ସୀମା ବିବାଦ ସଂକ୍ରାନ୍ତରେ ଏକ ଗୃହ କମିଟି ଗଠନ କରିଥିଲେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଗୃହ କମିଟି ସେବେଠାରୁ ପ୍ରତିବର୍ଷ ଗଠନ କରାଯାଇଛି। ହେଲେ ଏ କମିଟିର ବୈଠକ କିନ୍ତୁ ନିୟମିତ ବସିପାରୁନାହିଁ। ୨୦୧୪-୧୫ ମସିହାରେ ଗୋଟିଏ ଥର ମାତ୍ର ବୈଠକ ବସିଥିଲା। ସେ ବୈଠକରେ ବୋରାମୁଠା ଓ କୋଟିଆ ଗ୍ରାମପୁଞ୍ଜ ସଂପର୍କରେ ଆଲୋଚନା ହୋଇଥିଲା। ସେହିଭଳି ଗଞ୍ଜାମ ଓ ରାୟଗଡା ଜିଲ୍ଲା ସୀମାରେ ଥିବା ବିବାଦ ନେଇ ମଧ୍ୟ କମିଟି ଉଦ୍‌ବେଗ ପ୍ରକାଶ କରିଥିଲେ। ବାଲେଶ୍ୱର ଜିଲ୍ଲାର ୮ଟି ଗାଁ, ମୟୂରଭଂଜ ଜିଲ୍ଲାର ୧୦ଟି ଗାଁ ଏବଂ କେନ୍ଦୁଝର ଜିଲ୍ଲାର ୫ଟି ଗାଁ କୁ ନେଇ ଲାଗି ରହିଥିବା ସୀମା ବିବାଦ ସଂପର୍କରେ କମିଟି ଆଲୋଚନା କରିଥିଲେ। ଏହାବ୍ୟତୀତ ସେ ସମୟରେ ସୁବର୍ଣ୍ଣରେଖା ନଦୀରୁ ଯେଭଳି ବେଆଇନ ବାଲି ଚାଲାଣ ହେଉଛି, ସେ ସଂକ୍ରାନ୍ତରେ ମଧ୍ୟ କମିଟି ବୈଠକରେ ଗୁରୁତ୍ୱାରୋପ କରିଥିଲା।

୧୫ତମ ବିଧାନସଭାର ତୃତୀୟ ଅଧିବେଶନର ଶେଷ ଦିନରେ ଅର୍ଥାତ୍‌ ୨୦୧୫ ମାର୍ଚ୍ଚ ୩୧ତାରିଖରେ ବାଚସ୍ପତି ପୁଣି ଥରେ ଏହି କମିଟି ଗଠନ କରିଥିଲେ। ପରବର୍ତୀ ସମୟରେ ୨୦୧୬ ମାର୍ଚ୍ଚ ୧୬, ୨୦୧୭ ମାର୍ଚ୍ଚ ୩୧ ଓ ୨୦୧୮ ମେ’ ପହିଲାରେ ଏହି କମିଟି ଗଠନ କରାଯାଇଥିଲା। ପୂର୍ବରୁ କମିଟି ବିବାଦ ସଂପର୍କରେ ଆର୍‌ଡିସି ମାନଙ୍କ ଠାରୁ ରିପୋର୍ଟ ମାଗିଥିଲେ। ମାତ୍ର ଏ ରିପୋର୍ଟ ଏଯାଏ ହସ୍ତଗତ ହୋଇନାହିଁ।

ଆଜି ୨୦୧୮-୧୯ ବର୍ଷ ପାଇଁ କମିଟିର କାର୍ଯ୍ୟ ଖସଡା ପ୍ରସ୍ତୁତି ସଂପର୍କରେ ଆଲୋଚନା ବେଳେ ଝାରସୁଗୁଡାର ବ୍ରଜରାଜନଗର ସମେତ ଅନ୍ୟାନ୍ୟ ଜିଲ୍ଲାର ସୀମା ବିବାଦ ନେଇ ମଧ୍ୟ ସଭ୍ୟମାନେ ଆଲୋଚନା କରିଥିଲେ। ଏଠାରେ ପ୍ରକାଶଥାଉକି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ନୂଆପଡା, ବଲାଙ୍ଗୀର, ମୟୂରଭଂଜ, ବାଲେଶ୍ୱର ଆଦି ଜିଲ୍ଲାରେ ସୀମା ବିବାଦ ଉଗ୍ର ରୂପ ଧାରଣ କଲେଣି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶ ସରକାର ପ୍ରବେଶ କରି ବାରମ୍ବାର ନିଜ ଦଖଲରେ ଥିବା ପ୍ରମାଣ କରୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ସମାନ୍ତରାଳ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏପଟେ ନୂଆପଡାରେ ଛତିଶଗଡ଼ ସରକାର ଦାଦାଗିରି ଆରମ୍ଭ କରିଦେଲେଣି। ସଂପୃକ୍ତ ସରକାର ନୂଆପଡାର କିଛି ଅଞ୍ଚଳର ଜମିକୁ ନିଜର ବୋଲି ସାବ୍ୟସ୍ତ କରି ଦାନୀକର୍ଣ୍ଣଙ୍କ ଭଳି ବାଣ୍ଟିବା ଆରମ୍ଭ କରିଛନ୍ତି। ଏ ନେଇ ଖବର ପ୍ରକାଶ ପରେ ଏବେ ନୂଆପଡା ଜିଲ୍ଲା ପ୍ରଶାସନ ସେଠାରେ ତଦନ୍ତ ଆରମ୍ଭ କରିଛନ୍ତି। ସେହିଭଳି ଛତିଶଗ଼ଡର ଇସ୍ପାତ କାରଖାନାକୁ ନେଇ ବ୍ରଜରାଜନଗରରେ ସ୍ଥିତି ଗମ୍ଭୀର ହେଉଥିବା ସୂଚନା ମିଳିଛି। ତେବେ ଆସନ୍ତା ବୈଠକରେ ଜିଲାପାଳମାନେ ଉପସ୍ଥିତ ରହି, ସେମାନଙ୍କ ଜିଲ୍ଲାର ବିବାଦ ସଂପର୍କରେ ଜଣାଇବା ପରେ କମିଟି ଆବଶ୍ୟକ ପଦକ୍ଷେପ ଲାଗି ନିର୍ଦେଶ ଦେଇପାରେ।

ତେବେ ଉଦ୍‌ବେଗର ବିଷୟ ହେଉଛି, ସୀମା ବିବାଦ ଭଳି ଏକ ସଙ୍ଗିନ୍‌ ବିଷୟରେ କିନ୍ତୁ ବିଧାୟକମାନେ ଯେଭଳି ତତ୍ପରତା ପ୍ରକାଶ କରିବା କଥା ଆଜିର ବୈଠକରେ ତାହା ଦେଖାଯାଇନାହିଁ। କମିଟିର ପ୍ରଥମ ବୈଠକର ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ସୀମା ବିବାଦ ଗୃହ କମିଟିରେ ୩୩ଜଣ ସଭ୍ୟ ଥିବା ବେଳେ ଆଜିର ଏହାର ଏକ ତୃତୀୟାଂଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.