ଆଇନଜୀବୀ ଆନ୍ଦୋଳନ ୨୦ ଯାଏ ବଢ଼ିଲା

ଆଇନ ମନ୍ତ୍ରୀଙ୍କ ସହିତ ଆଲୋଚନା

କଟକ : ୨୦୧୮, ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ଦିନ ୧ଟା ବେଳେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ହଲରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ଦାବି ସଦସ୍ୟମାନେ ଦୋହରାଇଥିଲେ। ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ରାଜ୍ୟର ଅନ୍ୟ ସମସ୍ତ ଆଇନଜୀବୀ ସଂଘ ଗୁଡିକୁ ମଧ୍ୟ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ଗତ କାଲି ଆଇନଜୀବୀଙ୍କ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଆଇନ ମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିବା ସୂଚନା ମିଳିଛି। ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ। ପୂର୍ବ ନିଷ୍ପତ୍ତି ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ବେଳେ କୌଣସି ମହକିଲଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରିବାକୁ ଦିଆଯିବ ନାହିଁ। ଏଥି ସହିତ କୌଣସି ନୂଆ ମାମଲା ଦାୟର କରାଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସଂପାଦକ ରଂଜନ ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସଂପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର୍‌ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସଂପାଦକ ପ୍ରଦୀପ ପରିଡାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ଆଜି ସକାଳୁ ଆଇନଜୀବୀଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବ ନିକଟରେ ଥିବା କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଟ୍ରେଜେରି, ଅବକାରୀ ଅଧୀକ୍ଷକ, ଆରଟିଓ, ବୋର୍ଡ ଅଫ୍‌ ରେଭିନ୍ୟୁ, ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉପରେ ପଡିଥିଲା। ଏହି ସବୁ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଅନ୍ୟପକ୍ଷରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନକୁ ସମର୍ଥନ କରି ଓଡ଼ିଶା ନୋଟାରି ମହାସଂଘ ସହିିତ ମୋହରିରି ଓ ଷ୍ଟାମ୍ପ ଭେଣ୍ଡରମାନେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବୋଲି କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀ ପତି ସୂଚନା ଦେଇଛନ୍ତି। ଆଇନଜୀବୀଙ୍କ ଆନ୍ଦୋଳନ ୨୦ ଦିନ ଧରି ଚାଲିଥିବା ବେଳେ ବିଚାରାଧୀନ ମାମଲା ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ହାଇକୋର୍ଟ େଓ୍ଵବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୧ ହଜାର ୭୯୧ଟି ମାମଲା ବିଚରାଧୀନ ରହିଛି।

ସମ୍ବନ୍ଧିତ ଖବର