ନବଜାତ ଶିଶୁମୃତ୍ୟୁ ହାରରେ ଓଡ଼ିଶା ୧ ନମ୍ବର

ଭୁବନେଶ୍ୱର : ନବଜାତକ ଶିଶୁମୃତ୍ୟୁ, ଅପପୁଷ୍ଟି, ଅଳ୍ପ ଓଜନ ଓ କୁପୋଷଣ କ୍ଷେତ୍ରରେ ଓଡ଼ିଶାର ବିକଳ ସ୍ଥିତି ବୟାନ କରିଛି ସାମ୍ପଲ୍‌ ରେଜିଷ୍ଟ୍ରେସନ ସର୍ଭେ (ଏସ୍‌ଆରଏସ୍‌)ର ୨୦୧୬ ରିପୋର୍ଟ। ରେଜିଷ୍ଟ୍ରାର୍‌ ଜେନେରାଲ୍‌ ଓ ଜନଗଣନା କମିସନରଙ୍କ ତଥ୍ୟ ଆଧାରିତ ଏହି ସର୍ଭେ ଅନୁସାରେ ଓଡ଼ିଶା ନବଜାତକ ଶିଶୁ ମୃତ୍ୟୁ (ନିଓ ନାଟାଲ ମୋର୍ଟାଲିଟି ରେଟ୍‌) କ୍ଷେତ୍ରରେ ସମଗ୍ର ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି।

ଜାତୀୟ ସ୍ତରରେ ନବଜାତ ଶିଶୁମୃତ୍ୟୁ ହାର ୨୪ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୩୨ ପ୍ରତିଶତ ରହିଛି। ଜନ୍ମରୁ ପ୍ରଥମ ୨୮ଦିନ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କୁ ନବଜାତକ ଶିଶୁମୃତ୍ୟୁ ଭାବରେ ବିବେଚନା କରାଯାଇଥାଏ। ୨୦୧୬ମସିହାରେ ରାଜ୍ୟରେ ୮.୩ଲକ୍ଷ ଶିଶୁ ଜନ୍ମଲାଭ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜନ୍ମର ପ୍ରଥମ ୨୮ ଦିନ ମଧ୍ୟରେ ୨୬ହଜାରରୁ ଊର୍ଧ୍ୱ ଶିଶୁ ମୃତ୍ୟୁବରଣ କରିଥିବା ରିପୋର୍ଟ କହୁଛି।

ସେହିପରି ଏସ୍‌ଆର୍‌ଏସ୍‌ର ରିପୋର୍ଟ ଅନୁସାରେ ରାଜ୍ୟରେ ଶିଶୁ ମୃତ୍ୟୁହାର (ଆଇଏମ୍‌ଆର୍‌) ୪୪ପ୍ରତିଶତ ରହିଛି। ଜାତୀୟସ୍ତରରେ ଏହା ୩୪ ପ୍ରତିଶତ। ଜନ୍ମରୁ ପ୍ରଥମ ଏକ ବର୍ଷ ମଧ୍ୟରେ ମୃତ୍ୟୁ ହେଉଥିବା ଶିଶୁଙ୍କ ସଂଖ୍ୟାକୁ ନେଇ ଆଇଏମ୍‌ଆର୍‌ ସ୍ଥିର ହୋଇଥାଏ। ଜନ୍ମରୁ ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ମୃତ୍ୟୁ ହେଉଥିବା ଶିଶୁଙ୍କ ହାର ରାଜ୍ୟରେ ୫୦ପ୍ରତିଶତ ରହିଛି। ଜାତୀୟ ସ୍ତରରେ ଏହି ହାର ୩୯ପ୍ରତିଶତ। ଏହି ରିପୋର୍ଟ ଅନୁସାରେ ଜନ୍ମରୁ ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ୨୦୧୬ ମସିହାରେ ୪୧,୦୦୦ରୁ ଊର୍ଧ୍ୱ ଶିଶୁ ପ୍ରାଣ ହରାଇଛନ୍ତି। ନିକଟରେ ନୀତି ଆୟୋଗ ପକ୍ଷରୁ ମଧ୍ୟ ଏହି କ୍ଷେତ୍ରରେ ପ୍ରକାଶ ପାଇଥିବା ରିପୋର୍ଟରେ ରାଜ୍ୟର ସ୍ୱାସ୍ଥ୍ୟସେବା ଅସୁସ୍ଥ ଥିବା ଦର୍ଶାଇଥିଲା। ଓଡ଼ିଶା ୧୬ନମ୍ବର ର‍୍ୟାଙ୍କ୍‌ରୁ ୧୮କୁ ଖସିଆସିଥିଲା। ଆଜି ଏସ୍‌ଆର୍‌ଏସ୍‌ ର ରିପୋର୍ଟକୁ ନେଇ ଗବେଷଣାମୂଳକ ସଂସ୍ଥା ସିଦ୍ଧ ଡେଭଲେପ୍‌ମେଣ୍ଟ୍‌ ରିସର୍ଚ୍ଚ କନସଲ୍‌ଟାନ୍ସି (ଏସ୍‌ଡ଼ିଆର୍‌ସି) ଡାଟା ଫର୍‌ ଚେଞ୍ଜ ନାମରେ ପ୍ରକାଶିତ ପ୍ରଥମ ଇନ୍‌ଫୋଗ୍ରାଫିକ୍ସ୍‍ରେ ଏହି ରିପୋର୍ଟ ପ୍ରଦାନ କରିଛି।

ଏଥିରେ ଦର୍ଶାଯାଇଛି ଯେ ରାଜ୍ୟ ସରକାର ଏହି କ୍ଷେତ୍ରରେ ଯେଭଳି ଢଙ୍ଗରେ କାର୍ଯ୍ୟ କରୁଛନ୍ତି ତାହା ମାଧ୍ୟମରେ କୁପୋଷଣକୁ କେବଳ ୨୬.୬ପ୍ରତିଶତକୁ କମାଯାଇପାରିବ। ମାତ୍ର ୨୦୨୫ସୁଦ୍ଧା ଏହାକୁ ୨୦ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ରାଜ୍ୟ ସରକାର ଶିଶୁଙ୍କ କ୍ଷେତ୍ରରେ ଅଳ୍ପ ଓଜନର ହାରକୁ ୨୦୨୦ ସୁଦ୍ଧା ୨୦.୭ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହି ବେଗରେ କାର୍ଯ୍ୟ କଲେ ତାହା ମାତ୍ର ୩୧.୧ ପ୍ରତିଶତରେ ପହଞ୍ଚିପାରିବ। ସରକାରଙ୍କର ଏହି ପ୍ରଚେଷ୍ଟା ୨୦୨୫ ସୁଦ୍ଧା ୨୧.୧ପ୍ରତିଶତକୁ କମାଇପାରିବ। ମାତ୍ର ଏହା ୪.୯ ପ୍ରତିଶତକୁ କମାଇବାର ଲକ୍ଷ୍ୟ ରଖାଯାଇଛି। ଗୋଷ୍ଠୀସ୍ତରରେ ଶିକ୍ଷା, ରାଜନୈତିକ ଇଛାଶକ୍ତିର ଅଭାବ, ପାନୀୟ ଜଳ, ପରିଚ୍ଛନ୍ନତା, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ବ୍ୟାପକ ସଚେତନତାର ଅଭାବ କାରଣରୁ ଏପରି ଉଦ୍‌ବେଗଜନକ ସ୍ଥିତି ଉପୁଜୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅମୂଲ୍ୟ ରତ୍ନ ନନ୍ଦ (ଆଇଏଏସ୍‌) ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏସ୍‌ଆରଏସ୍‌ ପକ୍ଷରୁ ପ୍ରତିବର୍ଷ ଏହିଭଳି ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରିଥାଏ।

ସମ୍ବନ୍ଧିତ ଖବର