ତାତି ଅସମ୍ଭାଳ : ଅଂଶୁଘାତ ଆଶଙ୍କା, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଥିବା ବେଳେ ସମୁଦାୟ ୧୩ଟି ସହରର ପାରଦ ୪୦ ଡିଗ୍ରି ଉପରେ ରହିଥିଲା। ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୪୪.୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ଭବାନୀପାଟଣା ଓ ଝାରସୁଗୁଡ଼ାର ତାପମାତ୍ରା ୪୪ ଡିଗ୍ରି ଉପରେ ରହିଛି। ଏଥିସହ ୪ଟି ସହରର ତାପମାତ୍ରା ୪୩ ଡିଗ୍ରି, ୨ ସହରର ତାପମାତ୍ରା ୪୨ ଡିଗ୍ରି, ଦୁଇଟି ସହରର ତାପମାତ୍ରା ୪୧ ଡିଗ୍ରି ଓ ଗୋଟିଏ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଏତେ ତାପମାତ୍ରାରେ ଅଂଶୁଘାତର ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୩ ଦିନ ପାଇଁ ଆଂଶୁଘାତ ସତର୍କତା‌ ଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ସେମିତି କୌଣସି ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଅସହ୍ୟ ହେବ। କିଛି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି କିମ୍ବା ତଦୂର୍ଧ୍ବ ରହିବ। ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଅଂଶୁଘାତର କାରଣ ହୋଇପାରେ। ଏଣୁ ରାଜ୍ୟର ୧୧ଟି ଜିଲ୍ଲା ପାଇଁ ଅଂଶୁଘାତ ସତର୍କତା ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଲା, ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀ, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି ଓ ଅନୁଗୁଳ। ଏହି ସବୁ ଜିଲ୍ଲାର ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଖରାକୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଲାଗାତାର ୪ ଦିନ ଧରି ୪୫ଡିଗ୍ରି ଉପରେ ରହିଥିବା ଟିଟିଲାଗଡ଼ର ତାପମାତ୍ରା ଆଜି ୪ ଡିଗ୍ରି କମିବା ସହ ଟିକେ ଆଶ୍ବସ୍ତି ମିଳିଛି। କିନ୍ତୁ ତାଳଚେର ପରେ ପରେ ବଲାଙ୍ଗୀର ୪୪.୮ ଡିଗ୍ରି, ଭବାନୀପାଟଣା ୪୪.୬ ଡିଗ୍ରି, ଝାରସୁଗୁଡ଼ାରେ ୪୪.୨ ଡିଗ୍ରି, ଅନୁଗୁଳ ୪୩.୫ ଡିଗ୍ରି, ସମ୍ବଲପୁର ୪୩.୪ ଡିଗ୍ରି, ହୀରାକୁଦରେ ୪୩.୩ ଡିଗ୍ରି, ବୌଦ୍ଧରେ ୪୩.୨ ଡିଗ୍ରି, ସୋନ୍‌ପୁର ତାପମାତ୍ରା ୪୨.୨, ମାଲକାନଗିରି ୪୨.୦, ଫୁଲବାଣୀ ୪୧.୪, ଟିଟିଲାଗଡ଼ ୪୧.୦ ଓ ସୁନ୍ଦରଗଡ଼ର ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର