ଖରିଫ ପାଇଁ ୭୨୦୦ କୋଟିର ଶସ୍ୟଋଣ ଲକ୍ଷ୍ୟ

ନାମମାତ୍ର, କ୍ଷୁଦ୍ର, ଭାଗଚାଷୀ ସାମିଲ

ଭୁବନେଶ୍ୱର, : ୨୦୧୮ ବର୍ଷ ଏପ୍ରିଲ ମାସରୁ ଖରିଫ ଋତୁ ଆରମ୍ଭ ହୋଇଛି। ଏହି ଖରିଫରେ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ଧାନ ସହିତ ବିଭିନ୍ନ ଶସ୍ୟ ନିମନ୍ତେ ୭୨୦୦ କୋଟି ଟଙ୍କାର ଶସ୍ୟଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ସ୍ଥିର ହୋଇଛି। ଏଥିରେ ନାମମାତ୍ର, କ୍ଷୁଦ୍ର, ଭାଗଚାଷୀମାନଙ୍କୁ ବ୍ୟାପକ ସଂଖ୍ୟାରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଆଜି ଏ ନେଇ ସମବାୟ ବିଭାଗ ସଚିବ ରଞ୍ଜନା ଚୋପ୍ରା ସମସ୍ତ ଜିଲ୍ଲାପାଳଙ୍କୁ ଖରିଫ ଅଭିଯାନ ସଂପର୍କିତ ସବିଶେଷ ବିବରଣୀ ପଠାଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ୮୩ ପ୍ରତିଶତ ଚାଷୀ ନାମମାତ୍ର, କ୍ଷୁଦ୍ର। ଏଣୁ ସେମାନଙ୍କୁ ଯେତେଶୀଘ୍ର ଶସ୍ୟଋଣ ଦେଇହେବ, ତାହା କୃଷି ଉତ୍ପାଦନ ଏବଂ ଉତ୍ପାଦିକତା ବୃଦ୍ଧି କ୍ଷେତ୍ରରେ ସହାୟକ ହେବ। ୨୦୧୭ ଖରିଫ ଋତୁରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ମୋଟ ଶସ୍ୟଋଣର ୬୫ ପ୍ରତିଶତ ଅର୍ଥାତ୍‌ ୫୬୪୨.୬୧ କୋଟି ଟଙ୍କାର ଋଣ ୧୫ ଲକ୍ଷ ୮୭ ହଜାର ୧୩୭ଜଣ ଚାଷୀଙ୍କୁ ପ୍ରଦାନ କରିଥିଲେ। ଏହାବ୍ୟତୀତ, ଅନ୍ୟ ସମସ୍ତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, କମର୍ସିଆଲ୍‌ ବ୍ୟାଙ୍କଗୁଡ଼ିକ ୬ ଲକ୍ଷ ୩୦ ହଜାର ୫୫୬ଜଣ ଚାଷୀଙ୍କୁ ୩୬୨୬.୩୭ କୋଟିର ଋଣ ଦେଇଥିଲେ। ଏଥର ବିଭିନ୍ନ ଶ୍ରେଣୀର ବ୍ୟାଙ୍କଗୁଡ଼ିକୁ ଭିନ୍ନ ଭିନ୍ନ ଋଣ ଲକ୍ଷ୍ୟ ଦିଆଯିବ। ଏ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯିବ।

ରାଜ୍ୟରେ ଶସ୍ୟଋଣ ଅଭିଯାନକୁ ବ୍ୟାପକ କରିବା ପାଇଁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ସଚିବ ନିର୍ଦେଶ ଦେଇଛନ୍ତିି। ସେହିପରି କୃଷକ ସଂଖ୍ୟା, ଋଣ ପରିମାଣ ପ୍ରାଥମିକ ସମବାୟ ସମିତି(ପାକ୍‌ସ)ଓ୍ଵାରୀ ଏବଂ ଗ୍ରାମଓ୍ଵାରୀ ନିର୍ଧାରଣ କରାଯିବ। ସ୍ୱଳ୍ପମିଆଦି ଋଣ ସୁବିଧା ମହିଳାଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ, ଭାଗଚାଷୀଙ୍କୁ ନେଇ ଗଠିତ ଜେଏଲ୍‌ଜି ଏବଂ ଅନ୍ୟ ନାମମାତ୍ର, କ୍ଷୁଦ୍ର ଚାଷୀଙ୍କୁ ଯୋଗାଇଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପଶୁପାଳନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର