୫ ଦିନ ମଧ୍ୟରେ ଓଡ଼ିଶାରେ ଦିନକୁ ୧ ହଜାର କରୋନା ନମୁନା ପରୀକ୍ଷା କରାଯିବ : ବାଗଚୀ

ଭୁବନେଶ୍ୱର :ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ କରୋନା ପରୀକ୍ଷା ଆରମ୍ଭ କରିବା ଉପରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଆଇସିଏମଆରର ଅନୁମତି ପରେ ଖୁବଶୀଘ୍ର ବ୍ରହ୍ମପୁର ମେଡିକାଲ କଲେଜ ଓ ବୁର୍ଲା ମେଡିକାଲ କଲେଜରେ ପରୀକ୍ଷଣ ଆରମ୍ଭ କରାଯିବ । ବର୍ତ୍ତମାନ ରାଜ୍ୟର ୩ଟି ସ୍ଥାନ ଏମ୍ସ, ଆରଏମଆରସି ଓ କଟକ ବଡ଼ ମେଡିକାଲରେ ଦୈନିକ ପ୍ରାୟ ୩୦୦ଟି ନମୁନା ପରୀକ୍ଷା କରାଯାଉଛି । ଆସନ୍ତା ୫ ଦିନ ମଧ୍ୟରେ ଏହାକୁ ୧ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ ଟାକ୍ସଫୋର୍ସର ମୁଖପାତ୍ର ସୁବ୍ରଚ ବାଗଚୀ କହିଛନ୍ତି ।
ରାଜ୍ୟରେ ମୋଟ ୭ଟି ସ୍ୱତନ୍ତ୍ର କୋଭିଡ୧୯ ହସପିଟାଲ ଖୋଲାଯାଇଛି । ସେଗୁଡ଼ିକ ହେଉଛି ଭୁବନେଶ୍ୱରର କିମ୍ସ ହସପିଟାଲ ଓ ସମ ହସପିଟାଲ, କଟକର ଅଶ୍ୱିନୀ ହସପିଟାଲ, ଯାଜପୁରର ଟାଟା ହସପିଟାଲ, କେନ୍ଦୁଝରର ଟାଟା ହସପିଟାଲ,ପୁରୀର ଆଇଡିଏଚ ଓ ରାଉରକେଲାର ହାଇ-ଟେକ ମେଡିକାଲ କଲେଜ । ମିଳିତଭାବେ ଏସବୁ ସ୍ୱତନ୍ତ୍ର କୋଭିଡ୍୧୯ ହସପିଟାଲ ଗୁଡ଼ିକରେ ୧୪୯୭ଟି ଶଯ୍ୟା ଅଛି ବୋଲି ସେ କହିଛନ୍ତି ।
ଆଜି ରାଜ୍ୟ ସରକାରଙ୍କ ୩ୟ କୋଭିଡ୧୯ ହସପିଟାଲ ସୋଆ କ୍ୟାମ୍ପସ-୨ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ହସପିଟାଲରେ ୫୦୦ଟି ଶଯ୍ୟା ଓ ୨୦ଟି ଆଇସିୟୁ ରହିଛି । ଏମସିଏଲ ସହଯୋଗିତାରେ ଏହା ନିର୍ମାଣ କରାଯାଇଛି ।

ସମ୍ବନ୍ଧିତ ଖବର