ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ପବନ: ଜଣେ ମୃତ

ବାଲେଶ୍ୱର : ପିଛା ଛାଡ଼ୁନି କାଳବୈଶାଖୀ। ଆଜିକୁ ପ୍ରାୟ ଦୁଇ ସପ୍ତାହ ହେଲା କ୍ରମାଗତ ଭାବେ ଦାଉ ସାଧୁଛି। ସକାଳେ ପାଗ ଶୁଖିଲା ରହୁଥିବାବେଳେ ଅପରାହ୍ଣ ବେଳକୁ ଆକାଶରେ ଘୋଟି ଆସୁଛି କଳାହାଣ୍ଡିଆ ମେଘ। ଘନଘନ ବିଜୁଳି ଓ ବଜ୍ରପାତ ସାଙ୍ଗକୁ ମାଡ଼ି ଆସୁଛି ଝଡ଼ ପବନ। ଏହାପରେ ଆରମ୍ଭ ହୋଇଯାଉଛି ପ୍ରବଳ ବର୍ଷା। ଏମିତିିକି ବେଳେବେଳେ ବେଶ୍‌ ରାତି ପର୍ଯ୍ୟନ୍ତ ଲାଗି ରହୁଛି ବର୍ଷା ଓ ପବନ। ଗତ କେତେଦିନ ହେଲା ଉତ୍ତର ଓଡ଼ିଶାର ୩ଟି ଯାକ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ଲାଗି ରହିଛି କାଳବୈଶାଖୀର ଏଭଳି ତାଣ୍ଡବ। ଚୈତ୍ର ପରେ ବୈଶାଖ ମାସରେ ଏମିତି ପାଗ ଲୋକଙ୍କ ମନରେ ସୃଷ୍ଟି କରୁଛି ବର୍ଷାଋତୁର ଭ୍ରମ।

ଆଜି ଅପରାହ୍ଣରେ ମଧ୍ୟ ଉତ୍ତର ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ଣ ପ୍ରାୟ ସାଢ଼େ ୪ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୧୦ଟା ଯାଏ ଲାଗି ରହିଥିବା ବର୍ଷା ଓ ପବନ ୩ଟି ଯାକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରରେ ଗଛ ପଡ଼ି ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଆହତ ହୋଇଛନ୍ତି। ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଗଛ ଉପଡ଼ି ଓ ଗଛ ଡାଳ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବହୁ ଅଞ୍ଚଳ ଏବେବି ଅନ୍ଧାରରେ ରହିଛି। ଅନୁରୂପ ଭାବେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଯୋଗୁଁ ବହୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଛି। ବିଦ୍ୟୁତ ତାର ଛିଡ଼ି ବିଦ୍ୟୁତ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର