ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଗର୍ଜିଲେ ବିରୋଧୀ

ସରକାର ଓ ପୁଲିସକୁ ଟାର୍ଗେଟ୍‌, ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ଗର୍ଜନ କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଉଭୟ କଂଗ୍ରେସ ଏବଂ ବିଜେପି ସଭ୍ୟମାନେ ନାରୀ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ବିଫଳତା ବଖାଣିଥିଲେ। ପୁଲିସ ଥାନା ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଛି ବୋଲି ସାଂଘାତିକ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ ମୁଖିଆ, ଥାନାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବିରୋଧରେ ବର୍ଷିଥିଲେ। ଅନ୍ୟପକ୍ଷରେ ବିଜେଡି ବିଧାୟକମାନେ ପୁଲିସ ବିଭାଗର ଭଲକାମର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ସବୁ ଭଲ ଦିଗ ସଂପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।

ରାଜ୍ୟରେ ‘ମହିଳା ଓ ନାବାଳିକାଙ୍କ ପ୍ରତି ହିଂସା କ୍ରମଶଃ ବଢିଚାଲିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ’ ଶୀର୍ଷକ ଆଲୋଚନାରେ ବିରୋଧୀ କଂଗ୍ରେସ ଦଳ ମୁଲତବୀ ପ୍ରସ୍ତାବ ଦେଇଥିଲା। ବିରୋଧୀ ଦଳ ନେତା ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଓ ତାଙ୍କ ଅନୁପସ୍ଥିତି ସଂପର୍କରେ ନିଜ ଅସନ୍ତୋଷ ଝାଡିଥିଲେ। କହିଥିଲେ, ଆଇନଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ତଥ୍ୟ ଗୃହରେ ଅବତାରଣା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଭିନ୍ନ ସମୟରେ ବିରୋଧୀ ଦଳ ଅନେକ ପ୍ରସଙ୍ଗ ଉଠାଇଛି। ତାକୁ ସେ ଶୁଣୁନାହାନ୍ତି କି ଉତ୍ତର ଦେଉନାହାନ୍ତି। ଯଦି ତାଙ୍କ କାନରେ ଏସବୁ ବାଜନ୍ତା, ତେବେ ସେ ପ୍ରତିକ୍ରିୟା ରଖନ୍ତେ ବୋଲି ଶ୍ରୀ ମିଶ୍ର ତାତ୍ସଲ୍ୟ କରିଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ମାମଲାର ଉଦାହରଣ ଦେଇ ପୁଲିସ କିଭଳି ଆଚରଣ ପ୍ରଦର୍ଶନ କରୁଛି ତାର ଲମ୍ବା ତାଲିକା ରଖିଥିଲେ ଗୃହରେ। ଶ୍ରୀ ମିଶ୍ର କହିଥିଲେ, ଗୃହ ଚାଲିଥିବା ବେଳେ ନୀଳଗିରି ଓ ସୋରରେ ଅଭାବନୀୟ ଘଟଣା ଘଟିଲା। ଏ ନେଇ ଅବଗତ କରାଗଲାନି। ଯେହେତୁ ଗୃହରେ ଏ ପ୍ରସଙ୍ଗ ଉଠିଲା ତେଣୁ ପୁଲିସ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଧରିଛି। ବ୍ୟାଙ୍କ ଡକାୟତିଠାରୁ ଆରମ୍ଭ କରି ଦୁଷ୍କର୍ମ ଆଦି ଘଟଣାରେ ପୁଲିସ ନିଷ୍କ୍ରିୟତା ସଂପର୍କରେ ସେ ନିଜର ତୀବ୍ର ଅସନ୍ତୋଷ ପ୍ରକଟ କରିଥିଲେ।

ମାଓବାଦ ଘଟଣାକୁ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟତା ସହିତ ଯୋଡି ରାଜ୍ୟରେ ମାଓବାଦ କମିବା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ଶ୍ରୀ ମିଶ୍ର ଗ୍ରହଣ କରିନଥିଲେ। କହିଥିଲେ, ନିଜେ ସରକାର ହିଁ ସ୍ୱୀକାର କରିଛନ୍ତି ଯେ କିଛି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବଢିଛି। ଏହାବ୍ୟତୀତ ଦଣ୍ଡବିଧାନ ହାର ବୃଦ୍ଧି କ୍ଷେତ୍ରରେ ବାଟ ଓଗାଳୁଥିବା ସମସ୍ୟା ଉତ୍‌ଥାପନ କରିଥିଲେ। ଉତ୍ତରପ୍ରଦେଶ ଓ ଜମ୍ମୁକଶ୍ମୀର ମାମଲା ସଂପର୍କରେ ମଧ୍ୟ ଶ୍ରୀ ମିଶ୍ର ଉଦ୍‌ବେଗ ରଖିଥିଲେ।

କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ଦେବେନ୍ଦ୍ର ଶର୍ମା, ଜାକବ ପ୍ରଧାନ, ବିଜେପି ସଭ୍ୟ ବିଭୂତି ଭୂଷଣ ହରିଚନ୍ଦନ ଓ ରାଧାରାଣୀ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇ କହିଥିଲେ, ସରକାର ମା’କୁ ସମ୍ମାନ କଥା କହୁଛନ୍ତି, ମାତ୍ର ଏଠାରେ ମହିଳାମାନେ ନିର୍ଯାତିତ। ଦୈନିକ ୬ଟି ଦୁଷ୍କର୍ମ ଘଟଣା ଘଟୁଛି। ବର୍ଷକୁ ୬ ପ୍ରତିଶତ ଦଣ୍ଡବିଧାନ ହେଉଛି। କୁନ୍ଦୁଲି ପୀଡିତା ଦୁଷ୍କର୍ମ ଅଭିଯୋଗ ମାମଲାର ଅପରାଧୀ କିଏ ତାହା ଏ ପର୍ଯ୍ୟନ୍ତ ଜଣାପଡିଲାନି। ପ୍ରତିଦିନ ଝିଅମାନଙ୍କର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ପୂର୍ବତନ ଡିଜିଙ୍କ ଉଦାହରଣ ଦେଇ ବିଧାୟକ ଶ୍ରୀ ଶର୍ମା କହିଥିଲେ, ଦଣ୍ଡବିଧାନ ପରେ ଅଧିକାରୀଙ୍କୁ ପୁରସ୍କୃତ କରାଯାଉଛି। ଥାନାରେ ଅଭିଯୋଗ କଲେ କେଉଁ ଦଳର ବୋଲି ଥାନାଧିକାରୀ ପଚାରୁଛନ୍ତି। ଥାନା ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଛି, କେବଳ ପତାକା ଲଗାଇବା ବାକି ଅଛି। ବିଧାୟିକା ରାଧାରାଣୀ ପଣ୍ଡା କୁନ୍ଦୁଲିଠାରୁ ଆରମ୍ଭ କରି ଇତିଶ୍ରୀ, ବେବିନା, ମାଧବୀଲତା ପ୍ରସଙ୍ଗ ଉଠାଇଥିଲେ।

ଅନ୍ୟପକ୍ଷରେ ସରକାରୀ ଦଳ ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକ, ସମୀର ରଂଜନ ଦାଶ, ମହେଶ ସାହୁ ଓ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଆଲୋଚନାରେ ଭାଗ ନେଇ କହିଥିଲେ, ଜାତୀୟସ୍ତରରେ ଯେଭଳି ଘଟଣା ଘଟୁଛି ସେଥିରେ ବେଟି ବଚାଓ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଅମିତାଭ ବଚ୍ଚନ ବି ନିନ୍ଦା କଲେଣି। ଏ ଦୃଷ୍ଟିକୋଣରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ମହିଳା ସୁରକ୍ଷାକୁ ସରକାର ନିଶ୍ଚିତ କରିଛନ୍ତି। ଏସବୁ ଘଟଣାରେ କେହି ଉତ୍ସବ ମନାଉନାହାନ୍ତି କି ମାମଲାକୁ ଘୋଡାଇନାହାନ୍ତି। ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପ୍ରତିଟି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ ପୁଲିସ ଶାସକ ଦଳ ବିଧାୟକଙ୍କ କଥା ବି ଶୁଣୁନି। ପୁଲିସକୁ ସମ୍ପୂର୍ଣ୍ଣ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏପରିସ୍ଥଳେ ଥାନା ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଥିବା ନେଇ ଯାହା ବିରୋଧୀ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଅମୂଳକ ବୋଲି ସରକାରୀ ଦଳ ପକ୍ଷରୁ ଯୁକ୍ତି ରଖାଯାଇଥିଲା। ବିଧାୟକମାନେ ପରିସଂଖ୍ୟାନ ଦେଇ ସରକାରଙ୍କ ପ୍ରତିଟି ଘଟଣାର ପଦକ୍ଷେପ ସଂପର୍କରେ ତଥ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର