ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଜାତୀୟସ୍ତରରେ ନାଁ କରିଛି। ଓଡ଼ିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ଆଗରେ ରହିଛି। ୫୦ ବର୍ଷ ପୂରଣ କରିଥିବା ଓୟୁଏଟି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାରେ ଏକମାତ୍ର ସରକାରୀ ବିଶ୍ବବିଦ୍ୟାଳୟ ଭାବେ ସ୍ଥାନ ପାଇଥିଲା। ଗବେଷଣାର ଆଧୁନିକୀକରଣ ଓ ଚାଷୀଙ୍କ ଅନୁକୂଳ କୃଷି ଗବେଷଣା ଭିତ୍ତିକ ଜ୍ଞାନକୌଶଳକୁ ସମ୍ପ୍ରସାରଣକୁ ଏବେ ପ୍ରାଥମିକତା ଦିଆଯାଉଛି। ଏଭଳି ସମୟରେ କେତେଜଣ ପୂର୍ବତନ କର୍ମଚାରୀ ବିଶ୍ବବିଦ୍ୟାଳୟକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ଏଥିରୁ ନିବୃତ୍ତ ରୁହନ୍ତୁ। ଓୟୁଏଟିକୁ ବଦନାମ କରନ୍ତୁ ନାହିଁ ବୋଲି ଆଜି କୃଷକ ହଷ୍ଟେଲ୍ ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି କର୍ମଚାରୀ, ବୈଷୟିକ କର୍ମଚାରୀ ଓ ଶିକ୍ଷକମାନେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବବିଦ୍ୟାଳୟର ଜଣେ ପୂର୍ବତନ ଉପ କୁଳସଚିବଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ତିନି ଦିନ ତଳେ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ପଠାଯିବା ଓ ତାହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓୟୁଏଟି ବଦନାମ ମୁଣ୍ଡାଉଛି। କର୍ମଚାରୀମାନେ ବାଟରେ ମୁଣ୍ଡ ଟେକି ଚାଲିପାରୁ ନାହାନ୍ତି। ତେଣୁ ଘଟଣାର ତୁରନ୍ତ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ଯେଉଁ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ସେ ନିଜର ଚାକିରି କାଳ ମଧ୍ୟରେ ଅନେକ ଦୁର୍ନୀତିରେ ଲିପ୍ତ ରହିଛନ୍ତି। ଅନିୟମିତତା କରିଛନ୍ତି। ବିଶ୍ବବିଦ୍ୟାଳୟର ବହୁ କ୍ଷତି ହୋଇଛି। ଭବିଷ୍ୟତରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ଭୟରେ ସେ କୁଳପତିଙ୍କ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି। ବଦନାମ କରିବାକୁ ଉଦ୍ୟମ କରୁଛନ୍ତି।