ଓୟୁଏଟି କୁଳପତି-କୁଳାଧିପତିଙ୍କ କାର୍ଯ୍ୟାଳୟ ବିବାଦ : ଅସ୍ଥାୟୀ ଦାୟିତ୍ବରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି

ନୂତନ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ପଦବିରେ ରହିବେ, ଛୁଟିରେ ଗଲେ ଓୟୁଏଟି କୁଳପତି ପ୍ରଫେସର ପଶୁପାଳକ

ଭୁବନେଶ୍ବର : ବିବାଦ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ରାଜ୍ୟପାଳଙ୍କ ନିର୍ଦେଶକ୍ରମେ ପ୍ରଫେସର ପଟ୍ଟନାୟକ ଆଜି ଦାୟିତ୍ବ ନେଇଥିବା ଜଣାପଡ଼ିଛି। ଓୟୁଏଟିର ପ୍ରାଶାସନିକ କାର୍ଯ୍ୟ ସହ ନିୟମିତ ବୈଠକ, ସମ୍ମିଳନୀରେ ସେ ଯୋଗଦେବେ। ନୂତନ କୁଳପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଭିଜିଲାନ୍‌ସ ତଦନ୍ତ ଲାଗି ଗତ ନଭେମ୍ବର ମାସରେ ନିର୍ଦେଶ ଦିଆଯାଇଥିଲା। ଯାହାର ତଦନ୍ତ ଏବେ ବି ଜାରି ରହିଛି। ତଦନ୍ତରେ ପ୍ରଭାବ ପଡ଼ିବା ଆଶଙ୍କାରେ ଗତ ୨୫ ତାରିଖରେ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ପ୍ରଫେସର ପଶୁପାଳକଙ୍କୁ ଛୁଟିରେ ଯିବାକୁ ନିର୍ଦେଶ ଦିଆଯାଇଥିଲା। ପ୍ରଫେସର ପଶୁପାଳକଙ୍କ କାର୍ଯ୍ୟକାଳ ଆଉ ମାତ୍ର ୨୦ ଦିନ ବାକିଥିବା ବେଳେ ହଠାତ୍‌ ଏଭଳି ନିର୍ଦେଶ ଦିଆଯିବା ଶିକ୍ଷା‌କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଥିଲା। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ କୁହାଯାଇଥିଲେ ମଧ୍ୟ ସେ ଦୁଇ ଦିନ ହେଲା ଦାୟିତ୍ବ ଗ୍ରହଣ କରି ନଥିଲେ।

ସେପଟେ ପ୍ରଫେସର ପଶୁପାଳକ ଗତକାଲି କୁଳାଧିପତିଙ୍କ ସଚିବାଳୟକୁ ସିଧାସଳଖ ଟାର୍ଗେଟ କରିଥିଲେ। କେଉଁଭଳି ଭାବେ ଚାପ ପକାଯାଉଛି ତାହାର ଗୁମର ଖୋଲିଥିଲେ। ଏଥିସହ କହିଥିଲେ ଯେ ନୂତନ କୁଳପତି କାର୍ଯ୍ୟରେ ଯୋଗଦେବା ପରେ ସେ ଛୁଟିରେ ଯିବେ। କୁଳପତି ପ୍ରଫେସର ପଶୁପାଳକଙ୍କ ଏଭଳି ବକ୍ତବ୍ୟର ୨୪ ଘଣ୍ଟା ନ ପୂରୁଣୁ ରାଜଭବନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଆଇନ ବିଶେଷଜ୍ଞମାନଙ୍କୁ ଡକାଯାଇ ଆଜି ଦିନତମା‌ମ ଘନ ଘନ ବୈଠକ ହୋଇଥିଲା। ଓୟୁଏଟି ଆଇନ ଉପରେ ଆଲୋଚନା କରାଯିବା ପରେ ନିଷ୍ପତ୍ତି ହୋଇଥିଲା ଯେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଓୟୁଏଟିର ଭାରପ୍ରାପ୍ତ କୁଳପତି ଭାବେ ଅବସ୍ଥାପିତ କରାଯିବ। ନୂତନ କୁଳପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ସେ ଏହି ପଦବିରେ କାର୍ଯ୍ୟ କରିବେ। ନିର୍ଦେଶ ପାଇବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏକା ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଓୟୁଏଟି କୁଳପତି ଭାବେ କାର୍ଯ୍ୟ ତୁଲାଇବେ।

ଦାୟିତ୍ବ ଗ୍ରହଣ ପରେ ପ୍ରଫେସର ପଟ୍ଟନାୟକ ‘ସମ୍ବାଦ’କୁ କହିଛନ୍ତି ଯେ କୁଳାଧିପତିଙ୍କ ନିର୍ଦେଶକ୍ରମେ ଓୟୁଏଟିର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛି। ଖୁବ୍‌ଶୀଘ୍ର କାର୍ଯ୍ୟଭାର ଗ୍ରହଣ କରି ବିଶ୍ବବିଦ୍ୟାଳୟର ବିକାଶ ଲାଗି ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହେବି।

ସମ୍ବନ୍ଧିତ ଖବର