ସିଏଜି ରିପୋର୍ଟରେ ଧାନକିଣା ଦୁର୍ନୀତି : ୪୩ ଭୂତ ଚାଷୀ, ୩୯ ଲକ୍ଷ ଟଙ୍କା ହେର୍‌ଫେର୍‌, ମାର୍କଫେଡ୍‌ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ

ରାଜନଗର : କେନ୍ଦ୍ରାପଡ଼ା ମାର୍କଫେଡ୍‌ ଦୁର୍ନୀତି ଘଟଣାର ପର୍ଦ୍ଦାଫାସ୍‌ କରିଛନ୍ତି ସିଏଜି। ୪୩ ଜଣ ଭୂତଚାଷୀଙ୍କ ନାଁରେ ଧାନ କିଣା ଯାଇଥିବାବେଳେ ଏଥିରେ ୩୮ ଲକ୍ଷ ୭୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ସିଏଜି ତାଙ୍କ ରିପୋର୍ଟରେ ମାର୍କଫେଡ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କୌଣସି କାରଣ ନ ଥାଇ ମାର୍କଫେଡ୍‌ ଟାର୍ଗେଟ ପ୍ରତ୍ୟାହାର ଓ ଶେଷ ମୁହୂର୍ତରେ ଟାର୍ଗେଟ ଦିଆଯିବା ଦୁର୍ନୀତିର ମୁଖ୍ୟ କାରଣ ବୋଲି ସ୍ପଷ୍ଟ କରିଛନ୍ତି।

୨୦୧୫-୧୬ ଖରିଫଋତୁରେ ମାର୍କଫେଡ ପକ୍ଷରୁ ଜିଲ୍ଲାର ପଟ୍ଟାମୁଣ୍ତାଇ ଓ ରାଜନଗର ବ୍ଲକରେ ଧାନକିଣା ନାଁରେ ଦୁର୍ନୀତି ହୋଇଥିଲା। ଏହି ଦୁର୍ନୀତିରେ ସ˚ପୃକ୍ତ ଥିବା ମାର୍କଫେଡର ମ୍ୟାନେଜର ମନୋର˚ଜନ ବିଶ୍ବାଳ ନିଲମ୍ବିତ ହୋଇଥିବା ବେଳେ ମିଲର୍‌ ନାଁରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଏହି ଧାନକିଣା ଦୁର୍ନୀତିରେ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ସ˚ପୃକ୍ତି ଦାବି କରି ବିଧାୟକ ଅ˚ଶୁମାନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହି ଦୁର୍ନୀତିରେ ବିଧାୟକଙ୍କ ସ˚ପର୍କୀୟମାନେ ଭୂତଚାଷୀ ହୋଇ ଧାନ ଦେଇଛନ୍ତି ଓ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେଡି ଦାବି କରିଥିଲା। ଏହାକୁ ନେଇ ଉଭୟ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭାରେ ଏ ପ୍ରସଙ୍ଗ ଉଠିଥିଲା। ମାର୍କଫେଡ ଧାନକିଣା ଦୁର୍ନୀତିର ତଦନ୍ତ କରି ରିପୋର୍ଟ ଦେବା ପାଇଁ ବିରୋଧୀ ଦଳ ନେତା ନରସ˚ିହ ମିଶ୍ର ସିଏଜିକୁ ଚିଠି ଲେଖିଥିଲେ।

ଇତ୍ୟବସରରେ, ଜିଲ୍ଲାରେ ୨୦୧୫-୧୬ ଖରିଫ ଋତୁରେ ଧାନକିଣା ଦୁର୍ନୀତିର ଅଡିଟ କରି ସିଏଜି ରିପୋର୍ଟ ପ୍ରଦାନ କରିଛନ୍ତି। ଅଡିଟ ରିପୋର୍ଟରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ମାର୍କଫେଡ ପକ୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷରେ ୫ହଜାର ମେଟ୍ରିକ ଟନ୍‌ ଚାଉଳ ଅର୍ଥାତ ୭୪୬୨.୬୯ ମେଟ୍ରିକ ଟନ ଧାନ କିଣିବା ପାଇଁ ୨୦୧୬ ଜାନୁଆରି ୧୩ରେ ଟାର୍ଗେଟ ଦିଆଯାଇଛି। କୌଣସି କାରଣ ନ ଦର୍ଶାଇ ୨୦୧୬ ମାର୍ଚ୍ଚ ୧୪ରେ ଟାର୍ଗେଟ ପ୍ରତ୍ୟାହାର କରିନିଆଯାଇଥିଲା। ସେତେବେଳକୁ ୨୫.୭ ମେଟ୍ରିକ ଟନ ଧାନ କିଣା ସରିଥିଲା। ସେତେବେଳର ମାର୍କଫେଡ ମ୍ୟାନେଜରଙ୍କ ଚିଠି ପରେ ସେହି ବର୍ଷ ମାର୍ଚ୍ଚ ୧୯ ତାରିଖରେ ୧ହଜାର ମେଟ୍ରିକ ଟନ ଚାଉଳ ଅର୍ଥାତ ୧୪୯୨.୫୩ ମେଟ୍ରିକ ଟନ ଧାନ କିଣିବାକୁ ଟାର୍ଗେଟ ଦିଆଗଲା। ଖରିଫ ଧାନକିଣାର ଶେଷ ତାରିଖ ୩୧ ମାର୍ଚ୍ଚ ଥିବା ବେଳେ ପ୍ୁ‌ନର୍ବାର କୌଣସି କାରଣ ନ ଥାଇ ମାର୍ଚ୍ଚ ୨୫ରେ ଆଉ ହଜାର ଟନ୍‌ ଚାଉଳ ସ˚ଗ୍ରହ ପାଇଁ ଟାର୍ଗେଟ ଦିଆଗଲା। ମାର୍ଚ୍ଚ ୩୧ରେ ୨୪୩୧୫.୪୫ କୁଇ˚ଟାଲ ଧାନ ସ˚ଗ୍ରହ ହୋଇଥିବା ନେଇ ରିପୋର୍ଟ ଦିଆଯାଇଥିଲା। ମାତ୍ର ସ୍ପେଶାଲ ସ୍କ୍ବାଡ୍‌ ଯାଞ୍ଚ କରିବା ପରେ ୨୧ ହଜାର କୁଇ˚ଟାଲ ଧାନ ସ˚ଗ୍ରହ ହୋଇଥିବା ଜଣାପଡିଥିଲା। ମାତ୍ର ଧାନକିଣା ରେଜିଷ୍ଟରରେ କୃଷକଙ୍କ ଦସ୍ତଖତ ନ ଥିବା ଅଡିଟ ରିପୋର୍ଟରେ ଦର୍ଶାଯାଇଛି। ୧୬୩ ଜଣ ଚାଷୀ ଏହି ଧାନ ଦେଇଛନ୍ତି। ସେମାନଙ୍କ ମଧୢରୁ ୪୩ଜଣ ଭୂତଚାଷୀ। ସେମାନଙ୍କ ମଧ୍ୟରୁ ବିଦ୍ୟୁତଲତା ମହାପାତ୍ର, ପ୍ରତାପ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ପ୍ରଧାନ, ପ୍ରସନ୍ନ କୁମାର ରାଉତ, ବସନ୍ତ କୁମାର ରାୟ, ଗୋକୁଳ ଚନ୍ଦ୍ର ଦାସ, କ୍ଷେତ୍ରବାସୀ ପ୍ରଧାନ, ବିମଳ ପ୍ରସାଦ ପାତ୍ର, ଶୈଳେନ୍ଦ୍ର କୁମାର ବିଶ୍ବାଳ, ଦିଗାମ୍ବର ସାହାଣୀ, ଶରତ କୁମାର ସାହୁ, ନିତ୍ୟାନନ୍ଦ ଦାସ ପ୍ରମୁଖ ୧୩ ଜଣ ଚାଷୀ ‘କୃଷକ ପରିଚୟପତ୍ର’ରେ ପଂଜୀକୃତ ହୋଇ ନ ଥିବା ବେଳେ ସେମାନଙ୍କଠାରୁ ଧାନ କିଣାଯାଇଥିବା ଦର୍ଶାଯାଇଛି।

ସେହିଭଳି, ୯ ଜଣ ଚାଷୀଙ୍କ ବଳକା ଧାନ ନ ଥିବା ବେଳେ ସେମାନଙ୍କଠାରୁ ଧାନକିଣା ଯାଇଛି। ୨୧ଜଣ ଚାଷୀ ପୋର୍ଟାଲରେ ପ୍ରଦର୍ଶିତ ଧାନଠାରୁ ଅଧିକ ଧାନ ଦେଇଛନ୍ତି। ଏହି ୪୩ଜଣ ଭୂତଚାଷୀଙ୍କ ଠାରୁ ଧାନକିଣା ବାବଦରେ ୩୮ଲକ୍ଷ ୭୩ ହଜାର ୩୧୨ ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର