ପାଇକ ବିଦ୍ରୋହର ସ୍ମୃତି ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା : ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ ଦେବ ଅର୍ଥ, ବରୁଣେଇ ପାଦଦେଶରେ ହେବ ସ୍ମାରକୀ
ଭୁବନେଶ୍ୱର : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇ ପାଦଦେଶରେ ନିର୍ମାଣ ହେବ ସ୍ମୃତି ପ୍ରକଳ୍ପ। ଏଥି ପାଇଁ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଦେବ ୯୦ କୋଟି ଟଙ୍କା। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ର ଟ୍ରଷ୍ଟି ବୋର୍ଡ ବୈଠକରେ ଏ ନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ବରୁଣେଇ ସହ ପୁରୀର ବ୍ରହ୍ମଗିରି ଗଡ଼ ରୋଡ଼ଙ୍ଗଠାରେ ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜୁରାଟରେ ସର୍ଦ୍ଦାର ପଟେଲ୍ଙ୍କ ସ୍ମୃତିରେ ଓ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ସ୍ମୃତିରେ ନିିର୍ମତ ସ୍ମାରକୀ ପରି ବରୁଣେଇ ପାହାଡ଼ର ପାଦ ଦେଶରେ ସ୍ମାରକୀ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ଏଥି ନିମନ୍ତେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ୨୫ ଏକର ଜମି ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କୁ ପୂର୍ବରୁ ଅନୁରୋଧ କରାଯାଇଛି।
ଆଜିର ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ଟ୍ରଷ୍ଟ ଦ୍ୱାରା କରାଯାଉଥିବା ପ୍ରକଳ୍ପଗୁଡ଼ିକର କ୍ରିୟାନ୍ଵୟନ ନେଇ ଆଲୋଚନା କରାଯାଇଥିଲା। ଏଥିରେ ମୁମ୍ବାଇର କାନହେରି ଗୁମ୍ଫା, ବିହାରର ଅଶୋକ ପିଲାର, ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର, ବେଙ୍ଗାଲୁରୁର ଭୋଗନନ୍ଦିଶ୍ୱର ମନ୍ଦିର, ବିହାରର ଖାଜେଖାଲାନ ଘାଟ ଓ ପୋର୍ଟବ୍ଲେୟାରର ସେଲୁଲାର ଜେଲ୍ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ ଟ୍ରଷ୍ଟର ଆର୍ଥିକ ସହାୟତାରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି। ଗତ ଏପ୍ରିଲ୍ ୧ ଉତ୍କଳ ଦିବସ ଅବସରରେ ଏହି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା।