ପୁରୀ : ଆଜି କାର୍ତ୍ତିକ ମାସ ପହିଲି ପଞ୍ଚୁକରୁ ବିଭ୍ରାଟ ଦେଖାଯାଇଛି। ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ(ଠିଆକିଆ) ବେଶରେ ବିଳମ୍ବ ଘଟିଛି। ବେଶ ବିଳମ୍ବ ଯୋଗୁଁ ପଞ୍ଚୁକର ପ୍ରଥମ ଦିନରେ ଭକ୍ତ ଅବଢା ନ ପାଇ ନିରାଶ ହୋଇଛନ୍ତି। ଆଜି ବେଶ ବିଳମ୍ବ କାରଣରୁ ପ୍ରଥମ ଭୋଗମଣ୍ଡପ ସନ୍ଧ୍ୟା ୬ଟା ପରେ ଉଠିଥିଲା। ପଞ୍ଚୁକର ଏ ପ୍ରକାର ବିଭ୍ରାଟ ଯୋଗୁଁ ହଜାର ହଜାର ଭକ୍ତ ଅବଢା ପାଇ ପାରି ନଥିଲେ। ହବିଷ୍ୟାଳିମାନେ ମଧ୍ୟ ଉପବାସ ରହିବାକୁ ପଡିଥିଲା। ସିଂହାରୀ ସେବକମାନେ ବେଶ କରିବାରେ ବିଳମ୍ବ କରିବାରୁ ନୀତି ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଆଜି ଅବକାଶ ପରେ ବେଶ କରିବାକୁ ପାଳିଆ ସେବକ ଯାଇଥିଲେ। ତେବେ ବେଶ କରିବାକୁ ତିନି ଜଣ ପାଳିଆ ସେବକ ହିଁ ଯାଇଥିଲେ। ସାଧାରଣତଃ ତିନି ଜଣ ପାଳିଆ ସେବକଙ୍କ ସହିତ ଅନ୍ୟ ସେବକ (ପାଳିନଥିବା ସିଂହାରୀ ସେବକ) ବେଶରେ ସହଯୋଗ କରିଥାନ୍ତି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କ ଡବଲ ପାଳିଆ ପୁରସ୍କାର ବନ୍ଦ କରିଥିବା କାରଣରୁ କେବଳ ପାଳିଥିବା ସେବକ ମାନେ ମହାପ୍ରଭୁଙ୍କ ବେଶ କରାଇଥିଲେ। ଏହି କାରଣରୁ ବେଶରେ ବିଳମ୍ବ ଘଟିଥିଲା। ଫଳରେ ମହାପ୍ରଭୁଙ୍କ ଅନ୍ୟ ନୀତିରେ ବିଳମ୍ବ ଘଟିଥିଲା। ସିଂହାରି ସେବକମାନେ ସହଯୋଗ କରି ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମହାପ୍ରଭୁଙ୍କ ଠିଆକିଆ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିବାବେଳେ ପ୍ରଥମ ଭୋଗମଣ୍ଡପ ଉଠିବାରେ ବିଳମ୍ବ ଘଟିଥିବାରୁ ଆନନ୍ଦବଜାରରେ ଭକ୍ତ ଅବଢା ପାଇ ପାରି ନଥିଲେ। ଫଳରେ ଅବଢା ପାଇଁ ଅପେକ୍ଷା କରିଥିବା ହଜାର ହଜାର ଶ୍ରଦ୍ଧାଳୁ ଫେରି ଯାଇଥିଲେ। ଆଜି ବିଭିନ୍ନ ସ୍ଥାନରୁ ଅବଢା ପାଇଁ ବରାଦ ଦେଇଥିବା ଭକ୍ତମାନେ ମଧ୍ୟ ନିରାଶ ହୋଇଥିଲେ। କାର୍ତ୍ତିକ ମାସ ପ୍ରଥମ ସୋମବାର ଥିବାରୁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପଞ୍ଚୁକର ପ୍ରଥମ ଦିନରୁ ଏଭଳି ବିଭ୍ରାଟ ଉପୁଜିଥିବାରୁ ଆସନ୍ତା ୪ ଦିନ ନୀତି ଶୃଙ୍ଖଳିତକୁ ନେଇ ମଧ୍ୟ ଆଶଙ୍କା ଉପୁଜିଛି।