ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ୍ ରିଟେନ୍ ଓ୍ଵାଲ୍ ରଡ୍ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇ ଜେଲ୍ରେ ଥିବା ପଣ୍ଡା ଇନ୍ଫ୍ରାର ଦୁଇ ନିର୍ଦେଶଙ୍କ ପ୍ରତାପ କିଶୋର ପଣ୍ଡା ଓ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ ଆଜି ସର୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ୨ଜଣ ଜାମିନଦାର ଓ ୫୦ ହଜାର ଟଙ୍କାର ବେଲବଣ୍ଡ୍ରେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ସେମାନେ ପ୍ରତି ୧୫ ଦିନରେ ଥରେ ତଦନ୍ତକାରୀ ଅଫିସରଙ୍କୁ ଭେଟି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ସର୍ତ ରହିଛି। ସେହିପରି ତଦନ୍ତକାରୀ ଅଫିସର କିମ୍ବା ସାକ୍ଷୀମାନଙ୍କୁ କୌଣିସ ପ୍ରକାର ଚାପ ନପକାଇବା ପାଇଁ ବେଲ୍ବଣ୍ଡ୍ରେ ଉଲ୍ଲେଖ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉ କି, ବମିଖାଲ ଓଭରବ୍ରିଜ୍ ନିର୍ମାଣରେ ତ୍ରୁଟି ଯୋଗୁଁ ଗତ ମେ ୩ ତାରିଖରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାର ଯାଞ୍ଚ ପରେ କେସ୍ ନଂ-୧୧୪ ଓ ଦଫା ୩୦୪/ ୩୩୭/୩୩୮/୩୪ରେ ସମ୍ପୃକ୍ତ ୧୦ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୁଲିସ ମେ ୪ ତାରିଖରେ କମ୍ପାନି ଏମ୍ଡି ପ୍ରତାପ କିଶୋର ପଣ୍ଡା ଓ ୧୦ ତାରିଖରେ ସହଯୋଗୀ ପ୍ରଶାନ୍ତ ପାଢ଼ୀଙ୍କୁ ଗିରଫ କରିଥିଲା। ସଂସ୍ଥାର ୨ ନିର୍ଦେଶକଙ୍କ ସମେତ ୧୦ ଜଣଙ୍କ ନାଁରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ସେମାନେ ହେଲେ ସନ୍ତୋଷ କୁମାର ପଣ୍ଡା, ସୁଜାତା ପଣ୍ଡାଙ୍କ ସମେତ ପ୍ରୋଜେକ୍ଟ ମ୍ୟାନେଜର୍ ନିରଜ କୁମାର ଶର୍ମା, ପୂର୍ବତନ ପ୍ରୋଜେକ୍ଟ ମ୍ୟାନେଜର୍ ବିପୁଲ ଚକ୍ରବର୍ତୀ, ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ସାହୁ, ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ଆର୍ ଆଣ୍ଡ ବି ଡିଭିଜନ୍-୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ ଓ ବିରଞ୍ଚି ନାରାୟଣ ଜେନା ।