ପପୁ ପମ୍‌ପମ୍‌ଙ୍କୁ ଆଗୁଆ ଜାମିନ

କଟକ : କଟକ ସଦର ଥାନାରେ ରୁଜୁ ମାମଲାରେ ସିନେ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀ ଓ ତାଙ୍କ ସହଯୋଗୀ ଗୀତୁ ଓରଫ ପ୍ରଦୀପ୍ତ କୁମାର ସ୍ୱାଇଁଙ୍କୁ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଏସ୍‌.ସି.ପରିଜାଙ୍କୁ ନେଇ ଗଠିତ ଖଣ୍ଡପୀଠ ପପୁ ଓ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଆଗତ ପୃଥକ ଆବେଦନର ଶୁଣାଣି କରି ଉଭୟଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିବା ବେଳେ ସୁମିତ ଶେଖର ପଟ୍ଟନାୟକ ତାଙ୍କୁ ସହାୟତା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ସଦର ଥାନାରେ ଫ୍ରେଣ୍ଡସ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟର ବବିତା କର ୨୦୧୮, ଏପ୍ରିଲ ୨ରେ ପପୁ ପମ୍‌ ପମ୍‌ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଏପ୍ରିଲ ୧ ତାରିଖ ରାତିରେ ହୋଟେଲ ଦୟାଲରେ ସେ ରାତ୍ରିଭୋଜନ ପାଇଁ ବସିଥିବା ବେଳେ ପପୁ ପମ୍‌ ପମ୍‌, ଗୀତୁ ଓ ସେମାନଙ୍କ ଅନ୍ୟ ୩ ଜଣ ସହଯୋଗୀ ସେଠାରେ ପହଞ୍ଚି ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଫ୍ରେଣ୍ଡସ ଫାଉଣ୍ଡେସନ୍‌ ପପୁଙ୍କ ବିରୋଧରେ ମାମଲା କରିଥିବାରୁ ପପୁଙ୍କ ପକ୍ଷରୁ ବାରମ୍ବାର ଧମକ ଅସୁଥିଲା। ଘଟଣା ଦିନ ପପୁ ଓ ତାଙ୍କ ସହଯୋଗୀ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ ବୋଲି ଏତଲାକାରିଣୀ ଅଭିଯୋଗ କରିଥିଲେ। ଏ ନେଇ ସଦର ଥାନା ପୁଲିସ ଆଇପିସିର ଦଫା ୨୯୪, ୫୦୬, ୫୦୭, ୫୦୯ ଓ ୩୪ରେ ପପୁ, ଗୀତୁ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ଗିରଫଦାରୀ ଏଡାଇବା ପାଇଁ ଗତ ସପ୍ତାହରେ ପପୁ ଓ ଗୀତୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର