କରିଲୋପାଟଣା, (ସବ୍ୟସାଚୀ ସ୍ୱାଇଁ): ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ କଂଗ୍ରେସ, ବିଜେଡି ଓ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି ନିର୍ବାଚନମଣ୍ଡଳୀ ଦୀର୍ଘ ୪୦ ବର୍ଷ ଧରି ଅଣ କଂଗ୍ରେସ କବ୍ଜାରେ ରହି ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୦୧୪ ନିର୍ବାଚନରେ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ୮୯ ହଜାର ୮୫୩ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଜୟନ୍ତ ମହାନ୍ତି ୪୨ ହଜାର ୧୩୮ ଖଣ୍ଡ ଓ ବିଜେପି ପ୍ରାର୍ଥୀ ମାନସ ମହାନ୍ତି ୨୧ ହଜାର ୭୯୮ ଖଣ୍ଡ ଭୋଟ ପାଇଥିଲେ । ତେବେ ଗତ ନିର୍ବାଚନରେ ବିଧାୟକ ଶେଷ ମୁହୂର୍ତରେ ଟିକେଟ ହାତେଇଥିଲେ ମଧ୍ୟ ୪୭ ହଜାର ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।
ତେବେ ୨୦୧୯ ନିର୍ବାଚନ ବିଜେଡି ପାଇଁ ଜିତିବାର ସୁବିଧା ଥିଲେ ବି ଆଶାୟୀଙ୍କ ଲମ୍ବା ତାଲିକା ହିଁ ଦଳକୁ ସଂକଟରେ ପକାଇବ ବୋଲି ଅନୁମାନ କରାଯାଉଛି। ବିଧାୟକ ବେଦପ୍ରକାଶ ଏଥରକ ବି ବିଜେଡି ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ, ବିଜେଡି ରାଜ୍ୟ ସଂପାଦକ ରବି ସାମଲ, ଖଦି ଓ ଗ୍ରାମୋେଦ୍ୟାଗ ବୋର୍ଡ ସଭାପତି ତେଜେଶ୍ୱର ପରିଡା, ବିଜେଡି ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ, ଅଧ୍ୟାପକ ଅଜୟ ରାଉତ ପ୍ରମୁଖ ଦାବିଦାର ଅଛନ୍ତି।
ସେହିପରି ପାଟକୁରାରେ କଂଗ୍ରେସ ଦୀର୍ଘ ୪୦ ବର୍ଷ ଧରି ପରାଜୟବରଣ କରି ଆସୁଛି । ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରତ୍ୟେକ ନିର୍ବାଚନରେ ପାର୍ଥୀ ପରିବର୍ତନ କରିବା ଓ ସର୍ବୋପରି ୨୦୦୪ରେ ଏହି ଆସନକୁ ଓଜିପିକୁ ଛାଡ଼ି ଦେବା ଫଳରେ କଂଗ୍ରେସ କର୍ମୀମାନେ ବିଜେଡିକୁ ଆଦରି ନେଇଥିଲେ। ହେଲେ ଗତ ୨୦୧୪ ନିର୍ବାଚନରେ ପ୍ରାକ୍ତନ ଚଳଚିତ୍ର ନିଗମ ଅଧ୍ୟକ୍ଷ ତଥା ପିସିସି ସଂପାଦକ ଜୟନ୍ତ ମହାନ୍ତି କଂଗ୍ରେସ ପ୍ରାର୍ଥୀ ହୋଇ ନିଜର ଦୃଢ ସଂଗଠନ ବଳରେ ୪୨ ହଜାର ଭୋଟ ପାଇ ଦୀର୍ଘ ୪୦ ବର୍ଷର ରେକର୍ଡ ଭଙ୍ଗ କରିଥିଲେ । ନିର୍ବାଚନ ପର ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ବଳରେ ଲୋକଙ୍କ ନିକଟତର ହୋଇ ପାରିଛନ୍ତି । ତେବେ ଆସାନ୍ତା ନିର୍ବାଚନରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆପାତତଃ ଘୋଷଣା କରିଥିବା ନେଇ ଜଣାପଡୁଛି । ତେବେ ଦୀର୍ଘଦିନ ବଳହୀନ ହୋଇ ପଡିଥିବା କଂଗ୍ରେସ ଚଳିତ ନିର୍ବାଚନରେ ପୁଣି ବଳ କଷିବା ନେଇ ସଜବାଜ ହେଉଛି ।
ସେହିପରି ବିଜୟ ମହାପାତ୍ର ବିଜେପି ଛାଡିବା ପରେ ପାଟକୁରାରେ ବିଜେପି ସଂଜ୍ଞାହୀନ ହୋଇପଡିଛି । ପଦ୍ମରୁ ପାଖୁଡା ଖସିବା ପରି ମନେ ହେଉଛି । ଗତ ନିର୍ବାଚନରେ ଇଂ ମାନସ ମହାନ୍ତି ବିଜେପିରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟଙ୍କ ପ୍ରଭାବ ଯୋଗୁଁ ବିଜେପିରେ କୋଣଠେସା ହୋଇ ପଡିଥିଲେ। ବର୍ତ୍ତମାନ ବିଜୟଙ୍କ ଇସ୍ତଫା ପରେ ପାଣିପାଗ ବଦଳି ଯାଇଛି ସିନା ଆହୁରି ନୂଆ ମୁହଁର ଆବିର୍ଭାବ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ନୂତନ କରି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା। ବିଜେପି ଉତ୍କଳଙ୍କୁ ଏଠାରୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି। ଅନ୍ୟମାନଙ୍କ ମଧ୍ୟରେ, ଶ୍ରମିକ ନେତା ଅଶୋକ ତ୍ରିପାଠୀ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ , କଳ୍ୟାଣୀ ନାୟକ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି।
ମୋଟାମୋଟି କହିବାକୁ ଗଲେ, ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ବିଜେଡି ଏକପ୍ରକାର ମଜଭୁତ ସ୍ଥିତିରେ ରହିଥିଲେ ମଧ୍ୟ କଂଗ୍ରେସ ନିଜ ସ୍ଥିତି ସଜାଡ଼ିବାରେ ଜୋର୍ଦାର୍ ଉଦ୍ୟମ ଚଳାଇଛି। ଅପରପକ୍ଷେ, ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେପିକୁ ଉତ୍ସାହିତ କରିଛି। ପାଟକୁରାରେ ଥିବା ସମୁଦାୟ ୭ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେପି ୩ଟି ଜୋନ୍ରେ ବିଜୟ ହାସଲ କରିଥିଲା। ଏପରିକି ଡେରାବିଶ ପଚାଂୟତ ସମତି ଅଧ୍ୟକ୍ଷ ପଦ ପାଇଁ ବି ବିଧାୟକଙ୍କ ମନୋନୀତ ପାର୍ଥୀଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । କିନ୍ତୁ ବରିଷ୍ଠ ନେତା ବିଜୟଙ୍କ ଇସ୍ତଫା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ୧୯୮୦ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଜୟ ଏହି ନିର୍ବାଚନମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଳସେଚନ ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ବି ଥିଲେ। ମାତ୍ର, ୨୦୦୦ ମସିହାରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ବିଜୟଙ୍କ ବିପକ୍ଷରେ ଯାଇଥିଲା ଏବଂ ଏହାପରଠାରୁ ସେ ବିଜୟ ହାସଲ କରିପାରିନାହାନ୍ତି। ଏପରିକି, ପରାଜୟରୁ ବର୍ତ୍ତିବା ପାଇଁ ସେ ଗତ ନିର୍ବାଚନରେ ମହାକାଳପଡ଼ାରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ମଧ୍ୟ ପରାସ୍ତ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜୟ ଏପର୍ଯ୍ୟନ୍ତ ରଣନୀତି ନର୍ଧାରଣ କରିନଥିବାରୁ ଆଗାମୀ ନିର୍ବାଚନର ରୂପରେଖ ଓ ଫଳାଫଳ ଆକଳନ କରିବା ସହଜ ହେଉନାର୍ହି। ଏହାସତ ଯେ, ବିଜେଡି ,ବିଜେପି ବିଜୟରେ ‘ବି’ (ବିଜୟ) ଫାକ୍ଟର ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯଦିଓ କଂଗ୍ରେସ୍ ବି ବେଶ୍ ଆଶାବାଦୀ ରହିଛି।