ପାଟଣାଗଡ଼ ପାର୍ସଲ ବୋମା ଘଟଣା : ରାୟପୁରରେ ଅଟୋ ଚାଳକ ଠାବ

କଟକ : କ୍ରାଇମବ୍ରାଞ୍ଚ ରିମାଣ୍ଡରେ ୩ ଦିନ କାଟି ସାରିଲେଣି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେର। କିନ୍ତୁ ଅଧିକ କିଛି ନୂଆ ତଥ୍ୟ ହାସଲ କରିବାରେ କ୍ରାଇମବ୍ରାଞ୍ଚ ଟିମ୍‌ ସଫଳ ହୋଇପାରୁ ନାହିଁ। ଆଜି ତୃତୀୟ ଦିନର ମାରାଥନ୍‌ ଜେରା ସମୟରେ ପୁଞ୍ଜିଲାଲ କିନ୍ତୁ ଅପେକ୍ଷାକୃତ ଦୁର୍ବଳ ହୋଇ ପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ୍‌ ଟିମ୍‌ ପୁଞ୍ଜିଲାଲଙ୍କ ଘରୁ ୨୫ରୁ ଅଧିକ ଅପରାଧ କାର୍ଯ୍ୟକଳାପ ସଂପର୍କିତ ବହି ଜବତ କରିଥିଲା। ଏହି ବହିଗୁଡିକୁ ବାରମ୍ବାର ପଢି କେଉଁ ଢଙ୍ଗରେ ଅପରାଧ ଘଟାଇଲେ ପ୍ରମାଣ ରହିବନି, ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇପାରିବେନି ସେ ସଂପର୍କରେ ନିଶ୍ଚିତ ହୋଇଥିବା ସ୍ୱୀକାର କରିଛନ୍ତି। ଏହା ସହିତ ଅପରାଧ ଘଟାଇବା ପରେ ପୁଲିସକୁ ସାମନା କରିବା, ନିଜର ଆଚାର ବ୍ୟବହାରରେ ନିୟନ୍ତ୍ରଣ ରଖିବା ଭଳି କୌଶଳ ମଧ୍ୟ ପୁଞ୍ଜିଲାଲ୍‌ ହାସଲ୍‌ କରିଥିଲେ। କିନ୍ତୁ ପ୍ରତିଶୋଧ ନେବାକୁ ଯାଇ ପୁଞ୍ଜିଲାଲ ଏଭଳି ଜଘନ୍ୟ କାଣ୍ଡ କରିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ୍‌ ଟିମ୍‌କୁ କହି ସାରିଥିଲେ ବି ଅପରାଧ ସଂପର୍କିତ ତଥ୍ୟ ପ୍ରମାଣ ଏବଂ ସାକ୍ଷୀ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ୍‌ ନାକେଦମ ହେଲାଣି।

ଘଟଣାର ସାକ୍ଷୀ ଭାବେ ରାୟପୁରର ଅଟୋ ଚାଳକ, ପାଟଣାଗଡ଼ର ବାଣ ଦୋକାନୀଙ୍କୁ ବିବେଚନା କରାଯାଉଛି। ଏଥିପାଇଁ କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ଯେଉଁ ଅଟୋରେ ପୁଞ୍ଜିଲାଲ ଛତିଶଗଡ଼ର ରାୟପୁରରେ ଥିବା କୋରିଅର୍‌ ସଂସ୍ଥାକୁ ଯାଇଥିଲେ, ସେହି ଅଟୋର ଚାଳକକୁ ରାୟପୁର ପୁଲିସ ଚିହ୍ନଟ କରିଥିବା ଖବର ମିଳିଛି। ତାକୁ ଜେରା କରିବା ସହିତ ଆବଶ୍ୟକ ହେଲେ ତାକୁ କଟକ ଆଣି ପୁଞ୍ଜିଲାଲ ସହ ମୁହାଁମୁହିଁ କରିବାକୁ କ୍ରାଇମବ୍ରାଞ୍ଚର ଏକ ୩ ଜଣିଆ ଟିମ୍‌ ଇତିମଧ୍ୟରେ ରାୟପୁର ଯାଇଛି। ଅନ୍ୟପଟେ ଆଉ ଏକ ଟିମ୍‌ ଏବେ ବଲାଙ୍ଗୀରରେ ଡେରା ପକାଇଛି। ପାର୍ସଲ ବୋମା ବିସ୍ଫୋରଣ କରିବା ପାଇଁ ନିଶ୍ଚିତ ହେବା ପରେ ପୁଞ୍ଜିଲାଲ ଦୀପାବଳି ପାଇଁ ବାଣ କିଣାରୁ ଆରମ୍ଭ କରିଥିଲେ ତାଙ୍କର ଅଭିଯାନ। ପୁଞ୍ଜିଲାଲ କେଉଁ ଦୋକାନରୁ ବାଣ କିଣିଥିଲେ, କେତେ ପରିମାଣର ବାଣ କିଣିଥିଲେ, ସେ ସବୁ ସଂପର୍କରେ ତଥ୍ୟ ପ୍ରମାଣ ସାଉଁଟିବାକୁ କ୍ରାଇମବ୍ରାଞ୍ଚ ଟିମ୍‌ ବାଣ ଦୋକାନୀଙ୍କୁ ଆଣିବାକୁ ଯାଇଛି। ଗୋଟିଏ ପଟେ ଅଟୋ ଚାଳକ ଏବଂ ଅନ୍ୟ ପଟେ ବାଣ ଦୋକାନୀ ଏବେ ପୁଞ୍ଜିଲାଲର ଅପରାଧର ଦୁଇ ପ୍ରମୁଖ ସାକ୍ଷୀ ଭାବେ ପରିଗଣିତ ହେଉଛନ୍ତି। ସେମାନଙ୍କ ସହ ମୁହାଁମୁହିଁ ଜେରାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି କ୍ରାଇମବ୍ରାଞ୍ଚ ଆଶା କରୁଛି।

ଏବେ ପୁଞ୍ଜିଲାଲ କ୍ରାଇମବ୍ରାଞ୍ଚର ୬ ଦିନିଆ ରିମାଣ୍ଡରେ ଥିବା ବେଳେ ରିମାଣ୍ଡ ଶେଷରେ ଆଉ ଅଧିକ ୩ ଦିନ ରିମାଣ୍ଡରେ ଆଣି ଜେରା କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଥିବା ସୂଚନା ମିଳିଛି। ପୁଞ୍ଜିଲାଲ ଘରୁ ଜବତ ବିଭିନ୍ନ ସାମଗ୍ରୀ ଭୁବନେଶ୍ୱର ଫୋରେନସିକ୍‌ ଲାବ୍ରୋଟୋରିକୁ ଯାଇଥିବା ବେଳେ ତାହାର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି। ପାଟଣାଗଡ଼ ତଥା ବଲାଙ୍ଗୀର ଅଞ୍ଚଳରେ ପୁଞ୍ଜିଲାଲର ଅପରାଧୀକ କାର୍ଯ୍ୟକଳାପର ସବୁ ରେକର୍ଡ ତଲାସ କରାଯାଉଛି। ତାର ଚୋରି, ଧମକ ଦେବା, ଗଣ୍ଡଗୋଳ କରିବା ଭଳି ଅଭିଯୋଗ ପୁଞ୍ଜିଲାଲ ବିରୋଧରେ ରହିଥିଲା ବୋଲି କୁହାଯାଉଥିବା ବେଳେ ଏ ସଂପର୍କିତ ନିର୍ଦ୍ଦିଷ୍ଟ ରେକର୍ଡ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ୍‌। ଏଥିପାଇଁ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ପୁଲିସର ସହାୟତା ଲୋଡିଛି।

କିନ୍ତୁ ଅପରାଧ ସଂପର୍କିତ ବିଭିନ୍ନ ବହି ପଢି, ଭିଡିଓ ଦେଖି ପୁଞ୍ଜିଲାଲ୍‌ ଅପରାଧ ଘଟାଇବା ପୂର୍ବରୁ ସବୁ ପ୍ରକାର ମାନସିକ ପ୍ରସ୍ତୁତି କରି ସାରିଥିଲେ। ଦୀପାବଳି ସମୟରେ ନିଜ ଯୋଜନାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ପରେପରେ ବାହାଘର ଖବର ପାଇବା ପରେ ସେହି ସମୟରେ ଅପରାଧ ଘଟାଇବାକୁ ଯୋଜନା ପ୍ରସ୍ତୁତ କରି ନିଜର କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲେ। ଭଇଁଷା ଜ୍ୟୋତି ବିକାଶ କଲେଜ୍‌ର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌ ରାୟପୁରର ସ୍କାଏ କିଙ୍ଗ୍‌ କୋରିଅର ସଂସ୍ଥା ଜରିଆରେ ପାର୍ସଲ ବୋମା ପଠାଇଥିଲେ। ଫେବ୍ରୁଆରି ୨୩ ତାରିଖ ଦିନ ଏହି ପାର୍ସଲ ଡେଲିଭରି ହେବା ପରେ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମା’ଙ୍କର ଜୀବନ ଯାଇଥିଲା। ପତ୍ନୀ ରିମା ସାହୁ ଗୁରୁତର ଆହତ ହୋଇଥିଲେ। ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ପୁଞ୍ଜିଲାଲର ରହିଥିବା ବିବାଦରୁ ସେ ଏଭଳି ପ୍ରତିଶୋଧ ପରାୟଣ ହୋଇଥିବା କୁହାଯାଉଛି।

ପୁଞ୍ଜିଲାଲଙ୍କୁ ନିଲମ୍ବିତ କର

ଭୁବନେଶ୍ୱର : ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ଜ୍ୟୋତି ବିକାଶ ଜୁନିଅର କଲେଜ, ଭଇଁସାର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ନିଲମ୍ବିତ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ତିଳୋତ୍ତମା ସେନାପତି ଆଜି ପାଟଣାଗଡ଼ର ଭଇଁସାସ୍ଥିତ ଜ୍ୟୋତି ବିହାର ଜୁନିଅର କଲେଜର ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି , ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ମିଳିଛି ଯେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଏକ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି। ସେ ଏବେ ପୁଲିସ କଷ୍ଟୋଡିରେ ଅଛନ୍ତି। ତେଣୁ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ।

ସମ୍ବନ୍ଧିତ ଖବର