ପାଟଣାଗଡ଼ ପାର୍ସଲ ବୋମା ମାମଲା : ରାୟପୁରରେ ଡେମୋ ଦେଖାଇଲା ପୁଞ୍ଜିଲାଲ୍‌

ଅଟୋ, ରିକ୍ସା ଚାଳକଙ୍କୁ ଡକାଇ ଚିହ୍ନଟ ପ୍ରକ୍ରିୟା

କଟକ/ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ରାୟପୁର ନିଆଯାଇଥିବା ବେଳେ ସେଠାରେ ସେ କିଭଳି ପାର୍ସଲ ପଠାଇଥିଲା, ତାହାର ଡେମୋ ଦେଖାଇଥିଲା। କ୍ରାଇମ୍‌ବ୍ରାଞ୍ଚର ୧୦ଜଣିଆ ଟିମ୍‌ ପୁଞ୍ଜିଲାଲ୍‌କୁ ଧର ଆଜି ଦିନ ୧ଟା ବେଳେ ରାୟପୁରରେ ପହଞ୍ଚିଥିଲେ। ତାକୁ ପ୍ରଥମେ ଡିଟିଡିସି କୋରିଅର୍‌ ସଂସ୍ଥାକୁ ନିଆଯାଇଥିଲା। ସେଠାରେ ସେ କିଭଳି ପହଞ୍ଚିଥିଲା, କାହା ସହ ଆଲୋଚନା କରିଥିଲା, ତାହା ଦେଖାଇଥିଲା। ପୁଞ୍ଜିଲାଲ ଆଜି ପାର୍ସଲ ପ୍ରେରଣର ଡେମୋ ଦେଖାଇସାରିବା ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସଂଧ୍ୟାରେ ରାୟପୁର ଅଟୋ ଆସୋସିଏସନ୍‌ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲା। ରାୟପୁରରେ ୮ହଜାର ଅଟୋ ରହିଥିଲାବେଳେ ସେମାନଙ୍କ ଭିତରୁ କିଏ ପୁଞ୍ଜିଲାଲ୍‌କୁ କୋରିଅର୍‌ ସଂସ୍ଥା ପର୍ଯ୍ୟନ୍ତ ନେଇଥିଲେ, ତାଙ୍କୁ ଚିହ୍ନଟ କରି ତଦନ୍ତରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।

ଗତ ୧୫ ଫେବ୍ରୁଆରିରେ ପୁଂଜିଲାଲ କଣ୍ଟାବାଞ୍ଜିରୁ ଟ୍ରେନ ଯୋଗେ ରାୟପୁର ଯାଇ ପ୍ରଥମେ ଦୁଇଟି ରିକ୍ସାରେ ଓ ପରେ ଅଟୋରେ ଯାଇ ପାର୍ସଲ କୋରିଅର କରିଥିଲା। ତେଣୁ ଏହି ଦୁଇ ରିକ୍ସା ଚାଳକ ଓ ଅଟୋ ଚାଳକକୁ ଚିହ୍ନଟ କରିଦେଲେ ମାମଲାରେ ଅଧିକ ପ୍ରମାଣ ଯୋଗାଡ଼ ହୋଇପାରିବ ବୋଲି ଆଶା କରାଯାଉଥିଲା। କ୍ରାଇମବ୍ରାଞ୍ଚକୁ ରିକ୍ସା ଓ ଅଟୋ ଚାଳକର ଠିକଣା ଓ ପରିଚୟ ମିଳି ନଥିବା ବେଳେ ସେଠାକାର ପୁଲିସ ସହାୟତାରେ ଅଟୋ ଓ ରିକ୍ସା ଚାଳକ ସଂଘର ସଦସ୍ୟମାନଙ୍କୁ ଡକାଇ ପୁଂଜିଲାଲର ଚିହ୍ନଟ ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଏହି ପ୍ରକ୍ରିୟା ସେଠାରେ ଆରମ୍ଭ କରିଥିଲେ ବି ରିକ୍ସା ଚାଳକ ଓ ଅଟୋ ଚାଳକର ଖୋଜଖବର ପାଇ ପାରୁ ନାହିଁ। ଯାହା କ୍ରାଇମବ୍ରାଞ୍ଚ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। କ୍ରାଇମବ୍ରାଞ୍ଚ ସହ ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମ୍‌ର ସଦସ୍ୟମାନେ ବି ରାୟପୁର ଯାଇଥିବା ଜଣାପଡିଛି। ଅନ୍ୟପଟେ ଦୁଇ ଜଣ ହ୍ୟାଣ୍ଡରାଇଟିଙ୍ଗ୍‌ ଏକ୍ସପର୍ଟଙ୍କ ଜରିଆରେ ପୁଞ୍ଜିଲାଲ୍‌ର ଡାଏରୀ ଯାଞ୍ଚ ଚାଲିଛି। ପୁଞ୍ଜିଲାଲ୍‌ର ରିମାଣ୍ଡ ସୋମବାର ଦିନ ଶେଷ ହେଉଛି। ସେହିଦିନ ତାକୁ ପୁଣି ଅଦାଲତରେ ହାଜର କରାଯିବ।

ସମ୍ବନ୍ଧିତ ଖବର