ବିଧାନସଭାରେ ଉଠିଲା ଚକଡ଼ା ପୋକ, ନିଯୁକ୍ତି ପ୍ରସଙ୍ଗ

ଭୁବନେଶ୍ୱର : ଚାଷୀ ପ୍ରସଙ୍ଗକୁ ନେଇ ଆଜି ଶୂନ୍ୟକାଳରେ ବିଧାନସଭା ସରଗରମ ହୋଇଥିଲା। ସମ୍ବଲପୁରରେ ଚକଡ଼ା ପୋକର ଦୌରାତ୍ମ୍ୟରୁ ଆରମ୍ଭ ହୋଇ ସରିଥିଲା ଓୟୁଏଟି ଛାତ୍ରଛାତ୍ରୀଙ୍କ ନିଯୁକ୍ତି ପ୍ରସଙ୍ଗରେ। ଉଭୟ ଘଟଣାରେ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ ବିଧାୟକ। ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ରବି ନାରାୟଣ ନାଏକ ରବି ଋତୁରେ ଚକଡ଼ା ପୋକ ପ୍ରସଙ୍ଗ ଉଠାଇ କହିଥିଲେ, ସମ୍ବଲପୁରର ଅଧିକାଂଶ ଚାଷ ଜମିରେ ଚକଡ଼ା ପୋକ ଲାଗିଗଲେଣି। ମାନେଶ୍ୱର ଆଦି ଅଞ୍ଚଳରେ ଚାଷୀ ନାହିଁନଥିବା ଦୁର୍ଦଶା ଭିତରେ ଗତି କରୁଛନ୍ତି। ଖରିଫ୍‌ ଋତୁରେ ହୋଇଥିଲା। ସାଧାରଣତଃ ରବି ଋତୁରେ ହୁଏ ନାହିଁ। ମାତ୍ର ଏଥର ଚକଡ଼ା ପୋକ ବ୍ୟାପକ ଫସଲ ନଷ୍ଟ କରିସାରିଲେଣି। କୃଷି ଅଧିକାରୀଙ୍କ ପାଖରେ ଔଷଧ ଅଛି, ମାତ୍ର ଚାଷୀଙ୍କୁ ଦିଆଯାଇନାହିଁ।

ବିଧାୟକ ଶ୍ରୀ ନାଏକ ଆହୁରି କହିଥିଲେ, ଜମନକିରା ବ୍ଲକରେ୨୬ ଦିନ ହେଲାଣି ଚାଷୀମାନେ ୪ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି। ସରକାର ସେମାନଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ଠିକ୍‌ ସମୟରେ ଦେଉନାହାନ୍ତି। ୨୦ ଟଙ୍କା, ୫୪ ଟଙ୍କା ଏମିତି ଦିଆଯାଇଛି। ସଂଶୋଧିତ ହାରରେ ସେମାନଙ୍କୁ ଇନ୍‌ପୁଟ୍‌ ଦେବାର ଆବଶ୍ୟକତା ରହିଛି। ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଥିଲେ, ଗତ ଖରିଫ୍‌ରେ ଚକଡ଼ା ପୋକ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ସରକାର ଏବେଠାରୁ ସତର୍କ ନ ହେଲେ ସ୍ଥିତି ଅସମ୍ଭାଳ ହେବ।

ଅନ୍ୟପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗ ଉଠାଇ କହିଥିଲେ ଯେ ସାରା ରାଜ୍ୟରେ କୃଷି ବିଭାଗରେ ଶହ ଶହ ସଂଖ୍ୟାରେ ପଦବି ଖାଲି ଥିଲେ ହେଁ ସରକାର ନିଯୁକ୍ତି ଦେଉନାହାନ୍ତି। ଏଥିପାଇଁ ତିନି ଦିନ ହେଲା ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ମନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଉ, ସେଠାକୁ ଯାଇ ଆଲୋଚନା କରିବା ସହିତ ନିଯୁକ୍ତି ବ୍ୟବସ୍ଥା କରନ୍ତୁ। ସେହିପରି ବିଜେପି ବିଧାୟକ ବସନ୍ତ ପଣ୍ଡା ଓ ବିଜେଡି ବିଧାୟକ ସୁବ୍ରତ ତରାଇ ମଧ୍ୟ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ।

ସମ୍ବନ୍ଧିତ ଖବର