ଡିଜି ପାହ୍ୟାକୁ ଉନ୍ନୀତ ହୋଇପାରନ୍ତି ସୁନୀଲ ରାୟ

ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ ଯୋଜନା

ଗୁଇନ୍ଦା, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଉପରେ ସମସ୍ତଙ୍କ ଆଖି

ଭୁବନେଶ୍ୱର : ୧୯୮୨ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଅଗ୍ନିଶମ ସଂସ୍ଥା ମୁଖ୍ୟ ବିନୟ ବେହେରା ଆସନ୍ତା ୩୧ ତାରିଖରେ ଅବସର ନେବେ। ଏଥିସହିତ ଆଇପିଏସ୍‌ସ୍ତରରେ ଏକ ବ଼ଡ଼ ଧରଣର ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଖବର ଅନୁସାରେ, ଶ୍ରୀ ବେହେରା ଅବସର ନେବା ପରେ ଡିଜି ପାହ୍ୟାରେ ଆଉ ଗୋଟିଏ ପଦବି ଖାଲି ପଡିବ। ଓଡ଼ିଶାରେ ଡିଜି ପାହ୍ୟାରେ ୨ଟି କ୍ୟା଼ଡର ଓ ୨ଟି ଅଣ କ୍ୟାଡର ଏହିଭଳି ୪ଟି ପଦବି ରହିଛି। ଏହି ପାହ୍ୟାରେ ୪ଜଣ ଅଫିସର ଥିଲେ। ଏବେ ଶ୍ରୀ ବେହେରାଙ୍କ ପରେ ସରକାର ଏହି ପାହ୍ୟାକୁ ପଦୋନ୍ନତି ଦେବା ଲାଗି ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଫିସରଙ୍କୁ ବିଚାରକୁ ନେଇପାରନ୍ତି। ଏହି ବ୍ୟାଚ୍‌ରେ ତିନିଜଣ ଅଫିସର ଅଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ସୁନିଲ କୁମାର ବଂଶଲ ଓ ସୁରେନ୍ଦ୍ର ପନଓ୍ଵାର କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଏଭଳି ପରିପ୍ରେକ୍ଷୀରେ ଦ୍ୱିତୀୟ ସ୍ଥାନରେ ଥିବା ଗୁଇନ୍ଦା ନିର୍ଦେଶକ ସୁନୀଲ ରାୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ସମ୍ଭାବନା ଅଧିକ। ଅନ୍ୟଜଣଙ୍କୁ ପ୍ରୋଫର୍ମା ପ୍ରମୋସନ ଦିଆଯାଇପାରେ। ଅଗ୍ନିଶମ ମୁଖ୍ୟ ଡିଜି କ୍ୟାଡର ପଦବି ହୋଇଥିବାରୁ ସରକାର ପୂର୍ବତନ ଡିଜି କନଓ୍ଵର ବ୍ରଜେଶ ସିଂହ ଯିଏ କି ଏବେ ଓଡ଼ିଶା ସଡ଼କ ପରିବହନ ନିଗମ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସରକାର ଏଠାକୁ ବଦଳି କରିବେ ନା ଶ୍ରୀ ରାୟଙ୍କୁ ଏହି ଆସନ ମିଳିବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି।

ଅନ୍ୟପକ୍ଷରେ ଶ୍ରୀ ରାୟଙ୍କ ପଦୋନ୍ନତି ପଦେ ଗୁଇନ୍ଦା ନିର୍ଦେଶକ ପଦବି ଖାଲି ପଡିବ। ସେହିଭଳି କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଭଳି ସରକାରଙ୍କ ଦୁଇ ପ୍ରମୁଖ ସଂସ୍ଥାର ମୁଖିଆ ଆସନରେ ସରକାର ଟାଣୁଆ ତଥା ବିଶ୍ୱସ୍ତ ଅଫିସର ନିଯୁକ୍ତି ଦେବାକୁ ବିଚାର କରୁଛନ୍ତି। ଉଭୟ ପଦବିରେ ଡିଜି ପାହ୍ୟାର ଅଫିସର ଥିଲେ। ହେଲେ ଡାକ୍ତର ରାଜେନ୍ଦ୍ର ଶର୍ମା ପୁଲିସ ମୁଖିଆ ଓ ବିଜୟ ଶର୍ମା ଜେଲ୍‌ ମୁଖିଆ ଭାବେ ନିଯୁକ୍ତି ପାଇବା ପରେ ଏହି ପଦବି ଉପରେ ବହୁ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ଆଖି ରହିଛି। ହେଲେ ଆସନ୍ତାବର୍ଷ ନିର୍ବାଚନ ଥିବରୁ ଏହି ତିନିଟି ପଦବି ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଏହାସହିତ ଏଡିଜି, ଆଇଜି ଓ ଡିଆଇଜିସ୍ତରର କିଛି ଅଧିକାରୀଙ୍କ ଚୌକି ବଦଳିପାରେ। କମିସନରେଟ୍‌ ପୁଲିସକୁ ଆଉ ଟିକେ ସଶକ୍ତ କରିବାକୁ ସରକାର ବିଚାର କରୁଥିବା ପରିପ୍ରେକ୍ଷୀରେ ଆଉ ଜଣେ ଅଭିଜ୍ଞ ଅଧିକାରୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଇପାରେ। ଖୁବ୍‌ଶୀଘ୍ର ୧୯୮୪ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଅଫିସର ରମେଶ ପ୍ରସାଦ ସିଂ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସ୍‌ପି ଆଶିଷ ସିଂହଙ୍କର ଦୁଇମାସ ପରେ ପଦୋନ୍ନତି ହେବ। ଉଭୟ ଡିଆଇଜି ପାହ୍ୟାକୁ ଉନ୍ନୀତ ହେବେ। ସେହିଭଳି ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ଉତ୍ତରାଞ୍ଚଳ ରେଂଜ ଆଇଜି ବିନୟତୋଷ ମିଶ୍ର ଓ ପଶ୍ଚିମାଞ୍ଚଳ ରେଞ୍ଜ ଆଇଜି ସୁଶାନ୍ତ ନାଥ ଆସନ୍ତାବର୍ଷ ପଦୋନ୍ନତି ପାଇବେ। ଉଭୟ ଅଧିକାରୀଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିପାରେ। ଏଭଳି ପରିସ୍ଥିତିରେ ସରକାର ସେମାନଙ୍କୁ ଏବେଠାରୁ ବଦଳି କରି ଆଣିବେ କିମ୍ବା ଏହି ଚାରି ଅଧିକାରୀଙ୍କୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପଦୋନ୍ନତି ସତ୍ତ୍ୱେ ବି ଅଟକାଇ ରଖିବେ, ତାହା ସ୍ପଷ୍ଟ ହୋଇନାହିଁ। ଏହା ବ୍ୟତୀତ କିଛି ଜିଲ୍ଲାରେ ଏସ୍‌ପିଙ୍କ ବିରୋଧରେ ସରକାରଙ୍କ ପାଖରେ ସଙ୍ଗିନ ଅଭିଯୋଗ ରହିଛି। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ବଦଳି ଦାବିରେ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାର ଏସ୍‌ପି ଓ ଜିଲ୍ଲାପାଳଙ୍କ ମଧ୍ୟରେ ସଂପର୍କ ଭଲ ନଥିବା ଘଟଣା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉତ୍ତରାଞ୍ଚଳ ରେଂଜ ଅଧୀନସ୍ଥ ଗୋଟିଏ ଜିଲ୍ଲାର ଏସ୍‌ପିଙ୍କ ବିରୋଧରେ ମଧ୍ୟ ସରକାରଙ୍କ ଧାରଣା ବେଶ୍‌ ଭଲ ନାହିଁ। ତେବେ ଏସବୁ ଜିଲ୍ଲାର ଏସ୍‌ପିଙ୍କୁ ବଦଳାଇବେ ନା ଆଉ କିଛି ସମୟ ଦିଆଯିବ, ସେ ନେଇ ମଧ୍ୟ ତର୍ଜମା ଚାଲିଛି।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଡିଜି ପଦବିରେ ଡାକ୍ତର ରାଜେନ୍ଦ୍ର ଶର୍ମା ଯୋଗ ଦେବା ପରେ ଏଯାଏ ସେ ତାଙ୍କ ଟିମ୍‌ ଗଠନ କରିନାହାନ୍ତି। ଆସନ୍ତାବର୍ଷ ନିର୍ବାଚନ ସମ୍ଭାବନା ଥିବାରୁ ଡିଜିଙ୍କ ପାଇଁ ଚ୍ୟାଲେଞ୍ଜ ଅଧିକ ରହିଛି। ଠିକ୍‌ ଏମିତି ଏକ ସମୟରେ ରାଜ୍ୟରେ ମାଓବାଦୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଏଣୁ ଡିଜି ଯଦି ଏକ ଭଲ ଟିମ୍‌ ଗଠନ କରିନପାରିଲେ, ତେବେ ଏସବୁକୁ ସାମ୍ନା କରିବା କାଠିକର ପାଠ ହୋଇପାରେ।

ସମ୍ବନ୍ଧିତ ଖବର