୩ ଦିନ ମଧ୍ୟରେ ଯୁକ୍ତ୨ ପରୀକ୍ଷା ଫଳ

ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କୁ ଏବିଭିପିର ଦାବିପତ୍ର

ଭୁବନେଶ୍ୱର : ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳକୁ ଚାତକ ପରି ଚାହିଁ ରହିଛନ୍ତି ସାରା ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ କର୍ତୃପକ୍ଷ। ଅନ୍ୟପକ୍ଷରେ ପରୀକ୍ଷା ଫଳ ବାହାରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କିମ୍ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଜୁନ୍‌ ପ୍ରଥମ ସପ୍ତାହରେ ଫଳ ବାହାରିବ ବୋଲି ପରିଷଦର ଅଧିକାରୀମାନେ କହୁଥିବା ବେଳେ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଗୋଟିଏ ଦିନ ମଧ୍ୟରେ ଫଳ କିଭଳି ପ୍ରକାଶ ପାଇବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ଭିତରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ତେଣୁ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ନ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବିଳମ୍ବ ହେଉଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ଦାବିପତ୍ର ଦିଆଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ୨୦ ଦିନ ହେଲା ପ୍ରକାଶ ପାଇସାରିଲାଣି। ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବି ପ୍ରକାଶ ପାଇ ସାରିଥିବା ବେଳେ ସିଏଚ୍‌ଏସ୍‌ଇର କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ରେଜଲ୍ଟ ନ ବାହାରିବା ନୈରାଶ୍ୟଜନକ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରୁ ଠେଲି ଦିଆ ନ ଯାଇ ଯଥାଶୀଘ୍ର ଫଳ ପ୍ରକାଶ କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି। ନ ହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ କହିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଜୁନ୍‌ ୭ କିମ୍ବା ୮ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବାର ବହୁତ ସମ୍ଭାବନା ରହିଛି। ଯେହେତୁ ଜୁନ୍‌ ପ୍ରଥମ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ପରିଷଦ ପକ୍ଷରୁ କୁହାଯାଇଥିଲା ସେହି ଅନୁଯାୟୀ ଜୁନ୍‌ ୭ରେ ରେଜଲ୍ଟ ବାହାରିପାରେ। ଯଦି ସେଭଳି ହୁଏ ତେବେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିବେ।

ସମ୍ବନ୍ଧିତ ଖବର