ମହାପ୍ରଭୁଙ୍କୁ ଲାଗି ହେବ ଦୁଇ ପୋଡ଼ ପିଠା!

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରୁଥିବା ମହାପ୍ରଭୁ ମାଉସୀ ମା ଘରେ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଅମଳରୁ ରହି ଆସିଛି। ବାହୁଡ଼ା ଯାତ୍ରା ସମୟରେ ମହାପ୍ରଭୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକି ମାଉସୀଙ୍କ ଦ୍ୱାରା ପ୍ରସ୍ତୁତ ପୋଡ଼ପିଠା ଖାଇଥାନ୍ତି। କିନ୍ତୁ ମାଉସୀ ମା’ଙ୍କ ବଂଶାନୁକ୍ରମିକ ସେବାକୁ ନେଇ ବିବାଦ ଦେଖା ଦେଇଥିବାରୁ ଚଳିତ ବର୍ଷ ମହାପ୍ରଭୁଙ୍କୁ ଦୁଇ ପୋଡ଼ପିଠା ଲାଗି ହେବ ବୋଲି ଜଣାପଡ଼ିଛି। ବଂଶାନୁକ୍ରମିକ ସେବାକୁ ନେଇ କୋର୍ଟରେ ମାମଲା ଓ ଏଥି ଯୋଗୁ ପୋଡ଼ପିଠା ସେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାହାରିକୁ ସ୍ୱୀକୃତି ଦେଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ମିଳିଥିବା ସୂଚନା ମୁତାବକ, ୧୮୯୯ ମସିହାରେ ରଥୀ ଦାଶ ମାଉସୀ ମା’ଙ୍କ ସେବା କରି ଆସୁଥିଲେ। ତାଙ୍କ ମୃତ୍ୟୁ ପରେ ପୁଅ ଲୋକନାଥ ଦାଶଙ୍କ ଦ୍ବାରା ଏହି କାର୍ଯ୍ୟ ସଂପାଦନ ହେଉଥିଲା। ଲୋକନାଥଙ୍କର ଗୋଟିଏ ପୁଅ ଓ ତିନି ଝିଅ ଥିଲେ। ଅବିବାହିତ ଅବସ୍ଥାରେ ପୁଅ ଓ ଦୁଇ ଝିଅଙ୍କର ମୃତ୍ୟୁ ହୋଇସାରିଛି। ତିନି ଝିଅଙ୍କ ଭିତରୁ ଜଣେ ମାତ୍ର ଝିଅ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଦୁଇ ପୁଅ ମନୋରଂଜନ ମିଶ୍ର ଓ ଜ୍ୟୋତିରଂଜନ ମିଶ୍ର ଥିଲେ। ଦୁଇ ପୁଅରୁ ଜ୍ୟୋତିରଂଜନଙ୍କ ମୃତ୍ୟୁ ପରେ ବଂଶରେ ଏକମାତ୍ର ପୁଅ ମନୋରଂଜନ ହିଁ ରହିଛନ୍ତି। ଏଣୁ ମନୋରଂଜନ ବଂଶାନୁକ୍ରମିକ ସେବା ପାଇଁ ହକ୍‍ଦାର ବୋଲି ଦାବି କରି ଆସୁଛନ୍ତି। ଅନ୍ୟପକ୍ଷରେ ବିଶ୍ୱନାଥ ମିଶ୍ର ବଂଶାନୁକ୍ରମିକ ସେବା ପାଇଁ ହକ୍‍ଦାର ବୋଲି ବି ଦାବି କରି ଆସୁଛନ୍ତି। ଏହି ବାଦବିବାଦ ପରେ ସିଭିଲ୍‍ ଜଜ୍‍ (ଜୁନିୟର ଡିଭିଜନ୍‍)ଙ୍କ କୋର୍ଟଙ୍କ ନିକଟରେ ଏକ ମାମଲା (କେସ୍‍ ନଂ-୯୨/୨୦୧୮) ଦାଏର ହୋଇଛି। ମାମଲାଟି ବିଚାରାଧୀନ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଚଳିତ ବର୍ଷ କାହାରିକୁ ପୋଡ଼ପିଠା ସେବା ସଂପନ୍ନ ପାଇଁ ସ୍ୱୀକୃତି ପ୍ରଦାନ କରିନାହାନ୍ତି। ଏଭଳି ପରିସ୍ଥିତିରେ ଦୁଇ ଜଣ ଅଲଗା ଅଲଗା ପୋଡ଼ପିଠା ମହାପ୍ରଭୁଙ୍କୁ ଲାଗି କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର