ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗରେ ପିସି କାରବାର : ୭ଯନ୍ତ୍ରୀଙ୍କ ନାମରେ ଏତଲା

କାର୍ଯ୍ୟାନୁଷ୍ଠାନ ନହେଲେ ଚକାବନ୍ଦ ଆନ୍ଦୋଳନ: କଂଗ୍ରେସ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପିସି କାରବାର ଅଭିଯୋଗ ନେଇ ଥାନାରେ ଏତଲା ଦେଇଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧୀନରେ ୨୫୦ଟି ପ୍ରକଳ୍ପ ମାଧ୍ୟମରେ ୭୦କୋଟି ଟଙ୍କାର ଦୁର୍ନୀତି ହୋଇଛି ଓ ଏଥିରେ ୭ଜଣ ଯନ୍ତ୍ରୀ ସଂପୃକ୍ତ ଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଶତପଥୀ, ସହକାରୀ ଯନ୍ତ୍ରୀ ନିରାକାର ବିଶ୍ୱାଳ, ଏଷ୍ଟିମେଟର ଆର.କେ ଅଗ୍ରଓ୍ଵାଲ, କନିଷ୍ଠ ଯନ୍ତ୍ରୀ କାବିନ ବେହେରା, ବୁଦୁରାମ ସିଂହ, ସଂଜୀବ ଖାଲକୁ ଓ ପିତମ ମୁର୍ମୁ ପ୍ରମୁଖ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଏତଲାରେ ଦର୍ଶାଯାଇଛି। ଏ ନେଇ ଦଳ ନିକଟରେ ଭିଡିଓ ପ୍ରମାଣ ରହିଥିବା କୁହାଯାଇଛି। ସପ୍ତାହକ ମଧ୍ୟରେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ନଚେତ କଂଗ୍ରେସ ପକ୍ଷରୁ ସାରା ଜିଲ୍ଲାରେ ଚକା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଏତଲା ଦେଇଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଦିଲୀପ କୁମାର ବେହେରା, ସରୋଜ ପାତ୍ର, ତାଜ ଇମ୍ରାନ ସରିଫ, ଉତ୍ତମ ତ୍ରିପାଠୀ, କୁନା ପାଢ଼ୀ, ଫିରୋଜ ଖାନ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ଏନେଇ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ପିତମ ମୁର୍ମୁଙ୍କୁ ଫୋନରେ ଯୋଗାଯୋଗ କରିବାରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଥିଲେ। କନିଷ୍ଠ ଯନ୍ତ୍ରୀ ବୁଦୁରାମ ସିଂହଙ୍କୁ ପଚାରିବାରୁ ଉଦ୍ଦେଶ୍ୟ ମୂଳକ ଭାବେ ଅଭିଯୋଗ କରାଯାଇଛି। ଏଥିରେ କୌଣସି ସତ୍ୟତା ନଥିବା କହିଥିଲେ। ରବିବାର ଛୁଟି ଯୋଗୁଁ ଅନ୍ୟ ୫ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।

ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେତେକ ଭିଡିଓ ଦେଖାଯାଇଥିଲା। ଏଥିରେ ସହକାରୀ ଯନ୍ତ୍ରୀ, ୩ ଜଣ କନିଷ୍ଠ ଯନ୍ତ୍ରୀ, କ୍ୱାଲିଟି କଣ୍ଟ୍ରୋଲର ଓ ଜଣେ ନିର୍ବାହୀ ଯନ୍ତ୍ରୀ ପିସି କାରବାରରେ ଲିପ୍ତ ଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର