ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ : ୨୦ ଆହତ, ୫୦ରୁ ଊର୍ଦ୍ଧ୍ୱ ଗିରଫ

ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ବିକ୍ଷୋଭ ବେଳେ ଦମନଲୀଳା

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଅସ୍ଥାୟୀ ଭାବେ କର୍ଯ୍ୟରତ ଥିବା ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର କର୍ମୀମାନେ ଆଜି ୫ ଦଫା ଦାବିରେ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୁଲିସର ଅଚାନକ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବାରୁ କିଛି ସମୟ ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ଲୋୟର ପିଏମ୍‌ଜି ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା। ଲାଠି ମାଡ଼ରେ ପ୍ରାୟ ୨୦ ଜଣ କର୍ମୀ ଆହତ ହୋଇଥିବାବେଳେ ପୁଲିସ ୫୦ରୁ ଊର୍ଧ୍ୱ କର୍ମୀଙ୍କୁ ଗିରଫ କରିଛି।

ଗ୍ରାମ ରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମାକୁ ପେ ଓ ଗ୍ରେଡ୍‌ ପେ ଥାଇ ୯ହଜାର ଟଙ୍କାକୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ନର୍ବାହୀ ଅଧିକାରୀ ପଦବିରେ ଶତପ୍ରତିଶତ ନିଯୁକ୍ତି, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଆକସ୍ମିକ ବିୟୋଗ ଓ ଅକର୍ମଣ୍ୟ ପାଇଁ ସାରକାରୀ ଅନୁକମ୍ପା ରାଶି ପ୍ରଦାନ କରିବା ଆଦି ଦାବିରେ ଆଜି ମଧ୍ୟାହ୍ନରେ ସଂଘର ହଜାର ହଜାର କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ଆଡ଼କୁ ଯାଉଥିଲେ। ଏହି ଶୋଭାଯାତ୍ରା ଯୋଗୁଁ ମାଷ୍ଟରକ୍ୟାଣ୍ଟିନ ଛକରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଟ୍ରାଫିକ୍‌ ଜାମ୍‌ ହୋଇଯିବାରୁ ସମ୍ପୂର୍ଣ୍ଣ ରୂପେ ଯାତାୟାତ ଠପ୍‌ ହୋଇଯାଇଥିଲା। ଯାହାକୁ ନେଇ ପୁଲିସ ଓ ସଂଘ କର୍ମୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା ଏବଂ ପୁଲିସ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଗିରଫ କରିଥିଲା।

ତେବେ ପୁଲିସ ଲାଠିଚାର୍ଜରେ କି ଗିରଫରେ ଡରିଯାଇ ନଥିଲେ ଆନ୍ଦୋଳନକାରୀ। କିଛି ସମୟ ପରେ ପୁଣି କର୍ମୀମାନେ ଏକତ୍ରିତ ହୋଇ ନାରାବାଜି କରି ବିଧାନସଭା ଆଡ଼କୁ ଯାଇଥିଲେ। ସେଠାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଉତ୍ତ୍ୟକ୍ତ କର୍ମୀମାଙ୍କ ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କର୍ମୀମାନଙ୍କୁ ବ୍ୟାରିକେଡ୍‌ ପୂର୍ବରୁ ଅଟକାଇ ଦିଆ ଯାଇଥିଲା। ଫଳରେ ସେଠାରେ କର୍ମୀମାନେ ଧାରଣାରେ ବସି ରହି ଆଗାମୀ ବିଜେପୁର ଉପ ନିର୍ବାଚନରେ ଏହାର ଜବାବ ଦେବେ ବୋଲି କହିଥିଲେ। ଦାବି ପୂରଣ ନ ହେବା ଯାଏ ଆନ୍ଦେଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସଭାପତି ବଦ୍ରିନାରାୟଣ ମହାନ୍ତି କହିଥିଲେ। ତେବେ ସନ୍ଧ୍ୟାରେ ପୁଣିଥରେ ପୁଲିସ ଧାରଣାସ୍ଥଳରେ ପହଞ୍ଚି ବଳପୂର୍ବକ ସଂଘର କର୍ମୀମାନଙ୍କୁ ସେଠାରୁ ଉଠାଇ ଦେଇଥିଲା।

ସମ୍ବନ୍ଧିତ ଖବର