ପୁଲିସ୍ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବ: ନୂଆ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର : ନୂଆ ପୋଲିସ କମିସନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି । ଆଜି ଭୁବନେଶ୍ୱରରେ ପୋଲିସ କମିସନରେଟ୍ କାର୍ଯ୍ୟାଳୟରେ ସେ ବିଦାୟୀ କମିସନର ୱାଇ.ବି ଖୁରାନିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ କମିସନର କହିଛନ୍ତି , ‘ଲୋକଙ୍କ ଆସ୍ଥାଭାଜନ ହେବା ପ୍ରଥମ କାମ ହେବ। ସେବା ମନୋଭାବ ଉପରେ ଗୁରୁତ୍ୱ ଦିଆଯିବ। ଜନସାଧାରଣଙ୍କୁ ପୁଲିସ କାର୍ଯ୍ୟକ୍ରମରେ ଭାଗୀଦାର କରାଯିବ। ମହାନଗରର ଟ୍ରାଫିକ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯିବ । ଆଗକୁ ହକି ବିଶ୍ୱକପ ହେବାକୁ ଥିବାରୁ ଏହାର ସୁପରିଚାଳନାକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂଆ ପୋଲିସ କମିସନର । ଖେଳାଳିମାନେ ଯେଭଳି ଭୁବନେଶ୍ୱରରୁ ଭଲ ଅନୁଭୂତି ନେଇ ଫେରିବେ ସେ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଚଳିତ ମାସରେ ଦୁଇଟି ମଡେଲ ଥାନା ଖୋଲାଯିବ ବୋଲି କହିଛନ୍ତି ନୂଆ ପୋଲିସ କମିସନର ।

ସୂଚନାଯୋଗ୍ୟ, ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର୍ ହେଉଛନ୍ତି ସତ୍ୟଜିତ ମହାନ୍ତି । ୧୯୯୦ ମସିହାରେ ସେ ଜୟପୁର ଏଏସପି ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଏହାପରେ ପୁରୀ ଅତିରିକ୍ତ ଏସପି, କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱର ଏସପି ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା । ଏହାପରେ ଭିଜିଲାନ୍ସ ଏସପି, ଅତିରିକ୍ତ ପରିବହନ କମିସନର୍ ଭାବେ ସତ୍ୟଜିତ ମହାନ୍ତି କାମ କରିଥିଲେ । ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଏହାପରେ ତାଙ୍କର ପଦୋନ୍ନତି ହୋଇଥିଲା । ପଶ୍ଚିମାଞ୍ଚଳ ଓ ଅଗ୍ନିଶମ ତଥା ଗୃହରକ୍ଷୀ ବିଭାଗୀୟ ଆଇଜି ଭାବେ ମଧ୍ୟ ସେ କାମ କରିଛନ୍ତି ।

୨୦୦୪ ମସିହାରେ ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ସମ୍ମାନଜନକ ପୁଲିସ ମେଡାଲ ପ୍ରଦାନ କରାଯାଇଥିଲା। ସ୍ନାତକୋତ୍ତର ଶିକ୍ଷା ବ୍ୟତୀତ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ମାନବାଧିକାର ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ୍ କରିଛନ୍ତି । ପୁଲିସ ବିଭାଗରେ ସୁଧାରୀକରଣକୁ ଗୁରୁତ୍ୱ ଦେଉଥିବା ସତ୍ୟଜିତ ତିନୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସତ୍ୟଜିତ ଲିଖିତ ପୁସ୍ତକ ମଧ୍ୟରେ ରହିଛି ହ୍ୟୁମାନ୍ ରାଇଟସ, ପୋଲିସ୍ ଇନ୍ ଇଣ୍ଡିଆ ରୋଲ୍ ରେସପନ୍ସିବିଲିଟି ଆଣ୍ଡ ଆକାଉଣ୍ଟେବିଲିଟି ଓ ହ୍ୟୁମାନ୍ ବିହେଭିୟର୍ ଆଣ୍ଡ ପୋଲିସ୍ ଏଥିକ୍ସ । ନିକଟରେ ଜାତୀୟ ପୋଲିସ୍ ମିସନର ଏକଜିକ୍ୟୁଟିଭ୍ କମିଟିକୁ ସତ୍ୟଜିତ ମହାନ୍ତି ମନୋନୀତ ହୋଇଛନ୍ତି । ଟେନିସ୍ ଖେଳରେ ବିଶେଷ ରୁଚି ରଖନ୍ତି ସତ୍ୟଜିତ୍ ।

ସମ୍ବନ୍ଧିତ ଖବର