ଆଗୁଆ ନିର୍ବାଚନ ପ୍ରସ୍ତୁତି : ରଣନୀତିରେ ମାତିଲେ ଦଳ

ନେତାମାନଙ୍କୁ ନେଇ କଳ୍ପନାଜଳ୍ପନା, ବିଜୟ, ଦିଲ୍ଲୀପ, ଖାରବେଳ, ବୈଜୟନ୍ତଙ୍କ ଉପରେ ନଜର

ଭୁବନେଶ୍ୱର : ବିଜେଡି ସାଂସଦ ପିନାକୀ ମିଶ୍ର ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟିଲେ। ମୟୂରଭଂଜ ବିଜେଡି ନେତାଙ୍କୁ ଡିସେମ୍ବରକୁ ପ୍ରସ୍ତୁତ ରହିବା ଲାଗି ବିଜେଡି ମୁଖିଆ ଦେଲେ ଇସାରା। ଆଉ ତାର ୨୪ ଘଣ୍ଟା ନ ପୂରୁଣୁ ତେଲେଙ୍ଗାନା ସରକାର ବିଧାନସଭା ଭଙ୍ଗ କରିଦେଇ ଭବିଷ୍ୟବାଣୀ କରିଛନ୍ତି ଯେ ଆସନ୍ତା ନଭେମ୍ବର ଶେଷ ବେଳକୁ ନିର୍ବାଚନ କରିବା ନେଇ କେନ୍ଦ୍ରରୁ ସଙ୍କେତ ମିଳୁଛି।

କେନ୍ଦ୍ର ସରକାର ବା ନିର୍ବାଚନ କମିସନ ଆଗୁଆ ନିର୍ବାଚନ ସଂକ୍ରାନ୍ତରେ ଠୋସ୍‌ ଭାବେ କିଛି କହିନାହାନ୍ତି। କିନ୍ତୁ ଏହି ତିନିଟି ଘଟଣା ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଆଗୁଆ ନିର୍ବାଚନ ସମ୍ଭାବନା ପ୍ରସଙ୍ଗରେ କେବଳ କଳ୍ପନାଜଳ୍ପନା ପାଇଁ ଖୋରାକ ଯୋଗାଇଛି ତା ନୁହେଁ, ବାତାବରଣ ବି ବଦଳିବା ଆରମ୍ଭ କରିଛି। କିନ୍ତୁ ସବୁ ଦଳର ନେତା ହଠାତ୍‌ ନିର୍ବାଚନ ମନସ୍କ ହୋଇପଡିଛନ୍ତି। ବିଧାନସଭା ଗୃହ ବାହାରେ ଏହାର ଛାପ ଦେଖାଗଲାଣି। ଦଳମତ ନିର୍ବିଶେଷରେ ବିଧାୟକମାନଙ୍କ ମଧ୍ୟରେ ହିସାବନିକାସ ଆରମ୍ଭ ହୋଇଯାଇଛି। କେମିତି ବିଧାନସଭା ସରିବ ଓ ନିର୍ବାଚନମଣ୍ଡଳୀକୁ ଯିବେ, ସେ ଚିନ୍ତା ଘାରିଛି ସଦସ୍ୟଙ୍କୁ। କିଏ ଆସନ ବଦଳାଇବ, କିଏ ଲୋକସଭାକୁ ଯିବେ, ଅନ୍ୟ ଦଳରୁ ମିଳୁଥିବା ନିମନ୍ତ୍ରଣରୁ ରକ୍ଷା କରିବେ ନା ବର୍ତମାନ ଦଳରେ ଟିକେଟ୍‌ ମିଳୁ ନ ମିଳୁ ପଡି ରହିବେ, ଏସବୁ ନେଇ ସାଥୀ ସହଯୋଗୀ, ଶୁଭେଚ୍ଛୁଙ୍କ ଠାରୁ ପରାମର୍ଶ ନେଉଛନ୍ତି।। ନିର୍ବାଚନ କ୍ଷେତ୍ରରେ ସେମାନଙ୍କ ଉପସ୍ଥିତି କିଭଳି ଅଛି, ପ୍ରମୁଖ ଆଶାୟୀଙ୍କୁ କିଭଳି ବଶ କରାଯାଇପାରିବ, ନିର୍ଦିଷ୍ଟ କେଉଁ ପ୍ରସଙ୍ଗଟି ତଣ୍ଟିରେ କଣ୍ଟା ଭଳି ଅଟକିଛି, ସର୍ବୋପରି ଏସବୁକୁ ଆୟତ୍ତ କରିବାର ମନ୍ତ୍ରଟି କଣ, ସେ ନେଇ ବି ସେମାନେ ବିଚାର ବିମର୍ଶ ଆରମ୍ଭ କରିଦେଲେଣି।

ଏପଟେ ଆଶାୟୀ ପ୍ରାର୍ଥୀ ହଠାତ୍‌ ନିର୍ବାଚନମଣ୍ଡଳୀ ଛାଡି ରାଜଧାନୀକୁ ଚାଲିଆସିଛନ୍ତି। କଳେ ବଳେ କୌଶଳେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବାଦ ଦେଇ ଟିକେଟ୍‌ ହାତେଇବାକୁ ସୁପ୍ରିମୋଙ୍କ ନିକଟତମ ମହଲରେ ଲବି ଆରମ୍ଭ କରିଦେଇଛନ୍ତି। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିରେ ସମାନ ଚିତ୍ର ପରିଦୃଷ୍ଟ ହେଲାଣି। ବିଜେଡିର ଚାରି କାର୍ପଟଦାରଙ୍କ ଦୁଆର ମୁହଁରେ ମାଳ ମାଳ ଗାଡି ଲାଗୁଛି। ସଚିବାଳୟରେ ମଧ୍ୟ କିଛି ନେତା ପଇଁତରା ମାରିବା ଆରମ୍ଭ କରିଦେଇଛନ୍ତି।

ରାଜନୀତିର ପାଣିପାଗ ଏଭଳି ରୂପ ନେଇଛି ଯେ ତା ଆଗରେ ପ୍ରବଳ ବର୍ଷା ଓ ସକ୍ରିୟ ମୌସୁମୀର ବି ପ୍ରଭାବ ଫିକା ପଡିଯାଇଛି। ସବୁ ରାଜନୈତିକ ଦଳ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିସାରିଲେଣି। ଆଜି ବିଜେଡି ସାଧାରଣ ସଂପାଦକ ଅରୁଣ ସାହୁ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି।

ଶ୍ରୀ ସାହୁ କହିଛନ୍ତି, ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଭାବୁଛନ୍ତି ଯେ କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଯିବେ। ଯଦି କେନ୍ଦ୍ର ଆଗୁଆ ନିର୍ବାଚନକୁ ଯାଏ, ତା’ହେଲେ ଓଡ଼ିଶାରେ ବିଜେଡି ମଧ୍ୟ ଅନୁରୂପ ଭାବେ ନିର୍ବାଚନକୁ ଯିବ। ବିଜେଡି ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସପକ୍ଷରେ ସର୍ବଦା ରହିଛି। ଆମେ ପ୍ରସ୍ତୁତ ଅଛୁ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମୋ ପାଖରେ ଯାହା ଖବର ଅଛି, ବିଜେପି ଆଗୁଆ ନିର୍ବାଚନ ଚାହୁଁଛି। କେନ୍ଦ୍ର ସରକାର ବିପଦରେ ଥିବା ସମୟରେ ଓଡ଼ିଶା ଓ ତେଲେଙ୍ଗାନା ସବୁ ବେଳେ ସାହାଯ୍ୟ କରି ଆସିଛନ୍ତି। ଏବେ ତେଲେଙ୍ଗାନା ବିଧାନସଭା ଭଙ୍ଗ କରିସାରିଲେଣି। ଓଡ଼ିଶା ମଧ୍ୟ ବିଭିନ୍ନ ଆଳ ଦେଖାଇ ଆଗୁଆ ନିର୍ବାଚନକୁ ଯିବାପାଇଁ ସଜବାଜ ହେଉଛି।

ବିଜେଡି ସମସ୍ତ ୧୪୭ ଟି ଆସନରେ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସବୁ ଆସନ ଉପରେ ଦଳର ଫୋକସ ରହିଛି। ନିର୍ବାଚନମଣ୍ଡଳୀରେ ପତିଆରା ନଥିବା ୫୦ରୁ ଅଧିକ ନେତାଙ୍କ ଟିକେଟ୍‌ କଟିପାରେ। ଏମାନଙ୍କ ମଧ୍ୟରୁ କିଛି ଟାଣୁଆ ନେତାଙ୍କୁ ଦଳ ପରବର୍ତୀ ସମୟରେ ରାଜ୍ୟସଭା ଓ ବିଧାନ ପରିଷଦରେ ଥଇଥାନ କରିବାକୁ ଯୋଜନା କରିଛି।

ଏଭଳି ପ୍ରସ୍ତୁତି କିନ୍ତୁ ବିରୋଧୀ ଶିବିରରେ ନାହିଁ। କଂଗ୍ରେସର ଜଣେ ଆଗଧାଡିର ନେତା କହିଛନ୍ତି, ଦଳ ସବୁ ଆସନରେ ପ୍ରାର୍ଥୀ ଦେଇପାରେ, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାରକୁ ପ୍ରତିହତ କରିବା ଲାଗି ୭୦ଟି ବଚ୍ଛା ବଚ୍ଛା ସିଟ୍‌ରେ କମର କଷାଯିବ। ସେସବୁ ଆସନ ଦଖଲ ଲାଗି ଆପ୍ରାଣ ଉଦ୍ୟମ ହେବ। ଏ ନେଇ ଠୋସ୍‌ ରଣନୀତି ପ୍ରସ୍ତୁତି ଚାଲିଛି।

ବିଜେପିର ସମରସଜ୍ଜା ବି ସମାନ। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ବିଜେଡିକୁ ଅଟକାଇବା ଲାଗି ଦଳର ସଂଗଠନ ଥିବା ୭୦ଟି ଆସନରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। କିନ୍ତୁ ୧୪୭ ଆସନ ପାଇଁ ପ୍ରସ୍ତୁତ ଚାଲିଛି ଓ ଦଳ ପ୍ରାର୍ଥୀ ଦେବ।

ସେହିଭଳି ବାମଦଳ ସମେତ ଅନ୍ୟ ଛୋଟ ରାଜନୈତିକ ଦଳର ନିଷ୍ପତ୍ତି କଣ ହେବ, ତାହା ମଧ୍ୟ ନିର୍ଣ୍ଣୟ ହୋଇନାହିଁ। ଏମାନେ ପ୍ରାକ୍‌ ନିର୍ବାଚନୀ ବୁଝାମଣା ଆଧାରରେ ଯିବେ ନା ଏକୁଟିଆ ଲଢିବେ, ସେ ସଂକ୍ରାନ୍ତରେ ତର୍ଜମା ଆରମ୍ଭ ହୋଇଛି।

ଏପଟେ ଅନେକ ନେତାଙ୍କ ରାଜନୈତିକ ଭାଗ୍ୟ କଣ ହେବ, ସେମାନେ କାହା ସହିତ ରହିବେ, ଏକା ଲଢିବେ ନା ମେଣ୍ଟ କରିବେ ଅଥବା ଅନ୍ୟ କୌଣସି ଦଳରେ ମିଶିବେ ତାହା ଏଯାଏ ନିର୍ଣ୍ଣୟ ହୋଇନାହିଁ। ଏସବୁ ନେତାଙ୍କ ଉପରେ ଏବେ ଫୋକସ ଦୃଢୀଭୂତ ହୋଇଛି। ବିଜେପି ନେତା ବିଜୟ ମହାପାତ୍ର ଏହି ତାଲିକାର ଶୀର୍ଷରେ ଅଛନ୍ତି। ଶ୍ରୀ ମହାପାତ୍ରଙ୍କ ସ୍ଥିତି ଏମିତି ଯେ ସେ ବିଜେପିରେ ନାହାନ୍ତି କହିଲେ ଚଳେ। ତାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ତେବେ ବିଜୟ ବିଜେଡିରେ ମିଶିବେ କି ୨୦୦୪ ଭଳି କଂଗ୍ରେସ ସହିତ ମେଣ୍ଟ କରିବେ ଅଥବା ଶେଷ ମୁହୂର୍ତରେ ଧର୍ମେନ୍ଦ୍ର-ବିଜୟ ହାତ ମିଳାଇବେ ତାହା ଉପରେ ସମସ୍ତଙ୍କ ନଜର। ସେହିଭଳି ସାଂସଦ ଦିଲ୍ଲୀପ ରାୟଙ୍କୁ ନେଇ ବି ନାନା କଳ୍ପନାଜଳ୍ପନା ଚାଲିଛି। ଏମାନଙ୍କ ସମର୍ଥକ ବି ଉଭୟ ନେତାଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି। ଏହାବ୍ୟତୀତ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ, ଐର ଖାରବେଳ ସ୍ୱାଇଁ, ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ନିଷ୍ପତ୍ତିକୁ ରାଜନୈତିକ ମହଲ ଉତ୍ସୁକତାର ସହିତ ଅପେକ୍ଷା କରୁଛନ୍ତି।

ସମ୍ବନ୍ଧିତ ଖବର