ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜନୀତି
ରାଜ୍ୟ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି : ଧର୍ମେନ୍ଦ୍ର, ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ବିଜେପିର ଏତଲା, ବିଜେଡି କହିଲା, ଯୋଜନାର ସଫଳତାରେ ବିଜେପି ଈର୍ଷାନ୍ବିତ
ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟରେ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଗତକାଲି କହିଥିଲେ। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅବିଶ୍ବସନୀୟ ବୋଲି ବିଜେପି ଅଭିଯୋଗ କରିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭତ୍ସର୍ନା କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରି ଏପରି ତଥ୍ୟ ଦେବା ବେଆଇନ୍ ଓ ଅପରାଧ ସହ ସମାନ ବୋଲି ଦଳ ପକ୍ଷରୁ କୁହାଯିବା ସହ କ୍ୟାପିଟାଲ୍ ଥାନାରେ ସ୍ବାସ୍ଥ୍ୟ ବିଭାଗ ଓ ଲୋକସମ୍ପର୍କ ବିଭାଗ ସଚିବଙ୍କ ନାମରେ ଏତଲା ଦିଆଯାଇଛି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଥାନାରେ ଏତଲା ଦେବା ସହ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଥିଷଲ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨ ମାସରେ ୧ କୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ପହଞ୍ଚିଥିବା କଥା ରାଜ୍ୟ ସରକାର ବିଜ୍ଞାପନ ଦେଇଛନ୍ତି। ବିଜ୍ଞାପନଟି ସତ ହେଲେ କଥାଟି ମିଛ। ୨୦୧୬-୧୭ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଜ୍ବର, କାଶ ଓ ପେଟବଥା ପରି ଚିକିତ୍ସା ପାଇଁ ଓଡ଼ିଶାରେ ବର୍ଷତମାମ ୧୨ ଲକ୍ଷ ଯାଏ ଲୋକ ସ୍ବାସ୍ଥ୍ୟ ସେବା ପାଇଥିବା ଉଲ୍ଲେଖ କରିଛନ୍ତି। ୨୦୧୭-୧୮ର ହିସାବ ଦେଇ ନାହାନ୍ତି। ଯଦି ୧୫ ଲକ୍ଷ ପରିବାରର ୪ ଜଣ ଲେଖାଏ ଚିକିତ୍ସିତ ହୋଇଥିବେ, ତେବେ ଏହି ସଂଖ୍ୟା ୬୦ ଲକ୍ଷହୋଇପାରିବ। କିନ୍ତୁ ୧ କୋଟିର ଯେଉଁ ହିସାବ ଦିଆଯାଇଛି, ତାହା ଦିନରେ ଲଣ୍ଠନ ଦେଖାଇବା ସଦୃଶ। ସେହିପରି ରାଜ୍ୟ ବାହାରେ ଓଡ଼ିଆ ଲୋକମାନଙ୍କୁ ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା ମିଳିପାରିବ ନାହିଁ। ସୁରଟରେ ବହୁ ସଂଖ୍ୟାରେ ଓଡ଼ିଆ ରହୁଥିଲା ବେଳେ ସେଠାରେ କେଉଁ ମେଡିକାଲ ସହ ରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେଉ ନ ଥିବାରୁ ଶ୍ରୀ ପ୍ରଧାନ ତାହାର ସମାଲୋଚନା କରିଛନ୍ତି।
ଅପର ପକ୍ଷେର ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତାରେ ବିଜେପି ଈର୍ଷାନ୍ବିତ ହୋଇପଡ଼ିଛି। ୧ କୋଟି ଲୋକ ଉପକୃତ ହେଲା ପରେ ବିଜେପି ବିବ୍ରତ ହୋଇ ନକରାତ୍ମକ ପ୍ରଚାର କରୁଛି। କୌଣସି ତଥ୍ୟ ଓ ଭିତ୍ତି ନ ଥାଇ ବିଜେପି ଏମିତି ଅଭିଯୋଗ ଆଣୁଛି। ଓଡ଼ିଶାର ବିକାଶ, ବିଶେଷ କରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଜେପି ଏବେ ପ୍ରତିବନ୍ଧକ ହେବାକୁ ଚେଷ୍ଟା କରୁଛି। ଓଡ଼ିଶାର ଲୋକମାନେ ଏହାକୁ ବରଦାସ୍ତ କରିବେ ନାହିଁ। ଠିକ୍ ସମୟରେ ଏହାର ଜବାବ ଦେବେ ବୋଲି ଶ୍ରୀ ପାତ୍ର ଚେତାଇ ଦେଇଛନ୍ତି।