ବିଜେଡିକୁ ଫେରିଲେ ଘଡ଼ାଇ

ଭୁବନେଶ୍ବର : ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜେଡିକୁ ଫେରିଛନ୍ତି। ତାଙ୍କ ଉପରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ବିବୃତି ଜାରି ହେଲା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ ଶ୍ରୀ ଘଡ଼ାଇଙ୍କ ଭୂମିକା କ’ଣ ହେବ, ତାହା ଏବେ ଆଲୋଚନାର ବିଷୟ ହୋଇଛି। ସାତ ଥର ବିଧାୟକ ଥିବା ପ୍ରଫୁଲ୍ଲ ଘଡ଼ାଇ ରାଜ୍ୟ ରାଜନୀତିରେ ଅନ୍ୟତମ ତୁଙ୍ଗ ରାଜନେତା। ଏକଦା ବିଜେଡିର ଅତ୍ୟନ୍ତ କ୍ଷମତାଶାଳୀ ମନ୍ତ୍ରୀ ଭାବେ ପରିଚିତ ଥିଲେ। ୨୦୦୪ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୨ ମେ’ ୨୯ ତାରିଖରେ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଗୋଟି ଚାଳନାରେ ରାଜ୍ୟ ରାଜନୀତିରେ ଯେଉଁ ଝଡ଼ ସୃଷ୍ଟି ‌େହାଇଥିଲା ସେଥିରେ ଶ୍ରୀ ଘଡ଼ାଇ ନବୀନଙ୍କ କୋପଦୃଷ୍ଟିର ଶିକାର ହୋଇଥିଲେ। ପ୍ୟାରୀଙ୍କ ସହ ନିବିଡ଼ ସମ୍ପର୍କ ଯୋଗୁଁ ଯେଉଁ କେତେ ଜଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବିଦା କରିଥିଲେ, ତାଙ୍କ ମଧ୍ୟରେ ଶ୍ରୀ ଘଡ଼ାଇ ଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ୨୦୧୪ ନିର୍ବାଚନରେ ତାଙ୍କୁ ଟିକେଟ୍ ବି ମିଳି ନ ଥିଲା। ତାଙ୍କ ନିର୍ବାଚନମଣ୍ଡଳୀ ସୁକିନ୍ଦାରେ ପୁଅ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପ୍ରାର୍ଥୀ କରାଗଲା। ଅବଶ୍ୟ ଶ୍ରୀ ଘଡ଼ାଇ ସକ୍ରିୟ ପ୍ରଚାରରେ ଭାଗ ନେଇଥିଲେ ଓ ଗଡ଼ ରକ୍ଷା କରିବାକୁ ସମର୍ଥ ହୋଇଥିଲେ।

୨୦୧୪ ‌େସପ୍ଟମ୍ବର ମାସରେ ଗଣମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଶ୍ରୀ ଘଡ଼ାଇଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ତେବେ ତାଙ୍କ ପୁଅ ପ୍ରୀତିରଞ୍ଜନ ବିଜେଡିରେ ରହିଥିଲେ। ବହିଷ୍କାର ପରେ ଶ୍ରୀ ଘଡ଼ାଇ ଏକପ୍ରକାର ନିରବ ହୋଇଯାଇଥିଲେ। ସେ ଅନ୍ୟ ଦଳକୁ ଯାଇ ନ ଥିଲେ କି ବିଜେଡି ବିରୋଧରେ ବି କାର୍ଯ୍ୟ କରି ନ ଥିଲେ। ବହିଷ୍କାର ହେବାର ଦୀର୍ଘ ଦୀର୍ଘ ସାଢ଼େ ଚାରି ବର୍ଷ ପରେ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରିନିଆଯାଇଛି।

ସମ୍ବନ୍ଧିତ ଖବର