ଗଡ଼ ସଜାଡ଼ୁଛନ୍ତି ମାଓବାଦୀ

ମାଲକାନଗିରି : ଅର୍ଧ ସାମରିକ ବଳର ଘନଘନ ଅପରେସନ ଓ ଏନକାଉଣ୍ଟର ଯୋଗୁଁ ଗତ କିଛି ମାସ ହେଲା ଶାନ୍ତ ରହିଥିବା ମାଓ ସଂଗଠନ ପୁଣି ଉଗ୍ର ହେବାରେ ଲାଗିଛି। ନିଜ ଗଡରେ ପୂର୍ବ ପତିଆରାକୁ ଫେରି ପାଇବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ଏଥିପାଇଁ ସଂଗଠନର ଭୂମିଗତ ଆଗ ଧାଡିର ନେତା ସାମ୍ନାକୁ ଆସିଲେଣି। ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଭେଟି ସମର୍ଥନ ଯୋଗାଡ କରିବା ପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ଏହି ତଥାକଥିତ ନେତା। ଯାହାର ସଦ୍ୟତମ ଉଦାହରଣ ହେଲା ମାଓ ନେତା ଅରା ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ବିଚ୍ଛିନ୍ନାଞ୍ଚଳର ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚେରୁବେରୁ ନିକଟସ୍ଥ ଜଂଗଲରେ ପ୍ରଜାମେଳି କରିବା। ଶହ ଶହ ସଂଖ୍ୟାରେ ଆଦିବାସୀଙ୍କୁ ଏକଜୁଟ କରି ପୁଲିସ ବିରୋଧରେ ଉସୁକାଇବା ସହ ସଂଗଠନ ସବୁବେଳେ ସେମାନଙ୍କ ସହ ଥିଲା ଓ ଆଗକୁ ବି ରହିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏଭଳି ପ୍ରଜାମେଳି ପଛର ଅସଲ ଉଦ୍ଦେଶ୍ୟ ଥିଲା ଯୁବବର୍ଗଙ୍କୁ ସଂଗଠନ ପ୍ରତି ଆକୃଷ୍ଟ କରିବା। କାରଣ ସଂଗଠନର ବହୁ ନେତା ଓ ସଦସ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି କିମ୍ବା ପୁଲିସ ନିକଟରେ ଆତ୍ମସମର୍ପଣ କରି ସାରିଛନ୍ତି। ତେଣୁ ଦିନକୁ ଦିନ ସଦସ୍ୟ ସଂଖ୍ୟା କମୁଥିବାରୁ ପୂର୍ବଭଳି ଆଉ ବଡ ଧରଣର ହମଲା କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଏଥିପାଇଁ ସେମାନେ ବିଚ୍ଛିନ୍ନାଞ୍ଚଳକୁ ସଂଗଠନ ସଜାଡିବାର ପ୍ରୟୋଗଶାଳା ଭାବେ ବ୍ୟବହାର କରୁଥିବା ଜଣାପଡିଛି। ଗତ କିଛି ଦିନ ମଧ୍ୟରେ ଏକାଧିକ ପ୍ରଜାମେଳି ତାହାର ସବୁଠାରୁ ବଡ ପ୍ରମାଣ।

ସମ୍ବନ୍ଧିତ ଖବର