ବୋଉ ପିନ୍ଧୁଥିବା ଶାଢ଼ୀ କେମିତି ତିଆରି ହୁଏ ଦେଖି ଆଶ୍ଚର୍ଯ୍ୟ ହୋଇଗଲା କାଇଁଚ

ଧୂଳିଖେଳ ସରିନଥିଲେ ବି କାଇଁଚକୁ ନୂଆ ନୂଆ ଅଙ୍ଗନୱାଡି ଯିବାକୁ ପଡୁଛି | ସକାଳୁ ଆସି ଦିଦି ଘରୁ ଡ଼ାକିନେଉଛନ୍ତି, ତା ବୟସର କିଛି ସହପାଠୀଙ୍କ ସହ ଗୀତ ସାଙ୍ଗକୁ ଅ ଆ ବି ଶିଖୁଛି | ଏହା ପରେ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛି | ଆମେ କହୁଛୁ ସୋନପୁରର କାଇଁଚର କଥା | ବୟସ ୩ ପୁରି ୪ ଚାଲୁଛି | ଦିନେ ଦିଦି କହିଲେ ଆଜି ଚାଲ ବୁଲିବାକୁ ଯିବା | କିଛି ନୂଆ କଥା ଜାଣିବ | ନିଜର ସାଙ୍ଗମାନଙ୍କ ସହ କାଇଁଚ ଆଉ ଏକ ଗାଁକୁ ବୁଲିବାକୁ ଗଲା | ପ୍ରଥମେ ଦେଖିଲା ଜଣେ କୁମ୍ଭାର କିଭଳି ଦୀପ ତିଆରି କରୁଛନ୍ତି | ମାଟିଦୀପ, ମାଟି ହାଣ୍ଡି ଦେଖି କାଇଁଚର ମନକୁ ଆସିଲା ଘରେ ନିତି ଚଉଁରା ମୂଳରେ ବୋଉ ଜାଳୁଥିବା ଦୀପ କଣ ଏହିଠାରେ ତିଆରି ହୁଏ | ଓଦା ମାଟିକୁ କେମିତି ଦୀପଟିଏ କରିହୋଇଯାଏ ମନକୁ ପ୍ରଶ୍ନ ଆସିଥିଲା |

ଏହା ପରେ ଅଙ୍ଗନୱାଡି ଦିଦି କାଇଁଚ ଓ ତା ସାଙ୍ଗମାନଙ୍କୁ ନେଇ ଜଣେ ବୁଣାକାର ମହିଳାଙ୍କ ପାଖକୁ ଯାଇଥିଲେ | ତନ୍ତରେ ରେଶମୀ ସୁତାରେ କେମିତି ଶାଢ଼ୀ ବୁଣା ହୁଏ କାଇଁଚ ଆଖିରେ ଦେଖିଲା | ବୋଉ ପିନ୍ଧୁଥିବା ଶାଢ଼ୀ ହେଉ ବା ଗାଁ ଦାଣ୍ଡରେ ଖେଳି ଆସିବା ପରେ ବୋଉ ଯେଉଁ ପଣତରେ ତା ମୁହଁ ପୋଛିଦିଏ ସିଏ କଣ ଏମିଟି ତିଆରି ହୁଏ କାଇଁଚ ଭାବିଥିଲା |

ସୋନପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ କୁନି କୁନି ଶିଶୁ ମାନଙ୍କୁ ଆଖିରେ ଦେଖୁଥିବା ସାମଗ୍ରୀର ପ୍ରସ୍ତୁତି ବାବଦରେ ଅବଗତ କରାଯାଇଥିଲା | ମସ୍ତିସ୍କ ବିକାଶରେ ଚାରିପାଖରେ ଘଟୁଥିବା ଘଟଣାବଳୀ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ସେଥିପାଇଁ ଏଭଳି ଏକ ସୁନ୍ଦର ପ୍ରୟାସ କରାଯାଇଛି |

(କାଇଁଚ କେବଳ ନାମ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି)

ସମ୍ବନ୍ଧିତ ଖବର