ରାସ୍ତା ନଥିବାରୁ ପ୍ରସୂତିଙ୍କୁ ଯମଯନ୍ତ୍ରଣା: ଖଟିଆରେ ବୁହାହେଲେ ୫ କିମି

ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚି ପାରିଲେନି; ଗଛମୂଳେ ପ୍ରସବ

କେନ୍ଦୁଝର : ଗାଁକୁ ରାସ୍ତା ନାହିଁ। ଜଙ୍ଗଲିଆ ରାସ୍ତାରେ ନାଳ ପାର ହୋଇ ୫ କିମି ଗଲେ ଗାଡ଼ି ମିଳିଥାଏ। ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ଯିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ରୋଗୀ ଓ ପ୍ରସୂତିଙ୍କୁ ଡାକ୍ତରଖାନା ନେବାକୁ ହେଲେ ସାଙ୍ଗିରେ ବୋହିବାକୁ ପଡ଼ିଥାଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖଣିଜ ସମ୍ପଦଭରା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପରରାଇଗଡ଼ା ପଞ୍ଚାୟତ ଛଡ଼ାଡ଼ିହି ଗ୍ରାମରେ। ଗ୍ରାମର ଜଣେ ପ୍ରସୂତିଙ୍କୁ ଆଜି ୫ କିମି ଖଟିଆରେ ବୋହି ନିଆଯାଇଥିଲା। ସେଠାରୁ ଡାକ୍ତରଖାନା ଯିବା ବାଟରେ ଆମ୍ବୁଲାନ୍ସରେ ମହିଳା ପ୍ରସବ କରିଛନ୍ତି।

ଛଡ଼ାଡ଼ିହି ଗ୍ରାମକୁ ରାସ୍ତା ନଥିବାରୁ ଲୋକେ ଗାଡ଼ି ଧରିବା ପାଇଁ ୫ କିମି ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ଜଳଡ଼ିହି ଛକକୁ ଆସିଥାନ୍ତି ଗ୍ରାମବାସୀ। ଗ୍ରାମର ଲୁଲୁ ଦେହୁରୀଙ୍କ ସ୍ତ୍ରୀ ପଦ୍ମିନୀ ଆଜି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ପଦ୍ମିନୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲେ ମଧ୍ୟ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବାକୁ ମନା କରିଥିଲା। ଆଶାଦିଦିଙ୍କ ଘର ଗାଁ’ରୁ ୭ କିମି ଦୂର। ଫୋନ୍‌ ଲାଗୁ ନଥିବାରୁ ତାଙ୍କୁ ମଧ୍ୟ ଯୋଗାଯୋଗ କରାଯାଇ ପାରିନଥିଲା। ପରେ ଗ୍ରାମବାସୀ ୧୦୨ ଜନନୀ ଏକ୍ସପ୍ରେସକୁ ଯୋଗାଯୋଗ କରିଥିଲେ। ହେଲେ ରାସ୍ତା ନଥିବାରୁ ପ୍ରସୂତିଙ୍କୁ ଜଳଡ଼ିହି ଛକ ପର୍ଯ୍ୟନ୍ତ କୌଣସି ଉପାୟରେ ଆଣିବାକୁ କୁହାଯାଇଥିଲା। ସେଠାରୁ ୧୦୨ ଯୋଗେ ଡାକ୍ତରଖାନା ନିଆଯିବ ବୋଲି କୁହାଯାଇଥିଲା।

ଶେଷରେ ଗ୍ରାମବାସୀ ପଦ୍ମିନୀଙ୍କୁ ଏକ ଖଟିଆରେ ବୋହି ନେଇ ୫ କିମି ଦୂର ଜଳଡ଼ିହି ଛକରେ ପହଞ୍ଚିଥିଲେ। ସେତେବେଳକୁ ଜନନୀ ଏକ୍ସପ୍ରେସ ଆସି ନଥିଲା। ଡାକ୍ତରଖାନା ନେବା ପାଇଁ କୌଣସି ବ୍ୟବସ୍ଥା ନଥିବା‌ରୁ ବାଧ୍ୟ ହୋଇ ଏକ ଗଛମୂଳରେ ପଦ୍ମିନୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପ୍ରାୟ ଦେଢ଼ଘଣ୍ଟା ପରେ ଜନନୀ ଏକ୍ସପ୍ରେସ ସେଠାରେ ପହଞ୍ଚି ତାଙ୍କୁ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ କେନ୍ଦୁଝର ନେଇଯିବାକୁ ପରାମର୍ଶ ଦେଇଥିଲେ। କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବାଟରେ ପଦ୍ମିନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଉଭୟ ମା’-ଛୁଆ ସୁସ୍ଥ ଥିବା ଜଣାପଡ଼ିଛି। ଏଭଳି ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର