ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହାହେଲେ ପ୍ରସୂତି, ଚଟାଣରେ ଚିକିତ୍ସା

ଝରିଗାଁ : ଗାଁକୁ ରାସ୍ତା ନ ଥିବାରୁ ଆଉ ଜଣେ ପ୍ରସୂତିଙ୍କୁ ଆଜି ନାହିଁନଥିବା ହୀନସ୍ତା ହେବାକୁ ପଡ଼ିଛି। ଏହି ପ୍ରସୂତି ଜଣଙ୍କ ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମଧ୍ୟ ଶଯ୍ୟା ଅଭାବ ଦର୍ଶାଇ ଚଟାଣରେ ଶୁଆଇ ଚିକିତ୍ସା କରାଯାଇଥିଲା। ଏମିତି ଅକଥନୀୟ ଯନ୍ତ୍ରଣାର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତର ଦିପୁଭଟ୍ଟା ଗ୍ରାମ ହୀରା ସାନ୍ତା (୨୦)।

ସୂଚନା ଅନୁଯାୟୀ, ଦିପୁଭଟ୍ଟା ଗ୍ରାମର ଅମିନ ସାନ୍ତାଙ୍କ ପତ୍ନୀ ହୀରା ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ବର୍ଷା ଯୋଗୁଁ ଗାଁ ରାସ୍ତା କାଦୁଅରେ ଭର୍ତି ହୋଇଯାଇଥିଲା। ଏମିତି ରାସ୍ତାରେ ପୁଣି ରାତି ଅନ୍ଧାରରେ ଗର୍ଭବତୀଙ୍କୁ ମେଡିକାଲ ନେବା ସମ୍ଭବ ହୋଇପାରି ନଥିଲା। ତେଣୁ ଗାଁର କିଛି ମହିଳା ଓ ଦିଶାରୀଙ୍କ ସହାୟତା ନେଇଥିଲେ ପରିବାର ଲୋକ। ଭୋର ପ୍ରାୟ ୪ଟାରେ ବହୁ କଷ୍ଟରେ ମୃତ ଶିଶୁ କନ୍ୟାକୁ ପ୍ରସବ କରିଥିଲେ। ତେବେ ପ୍ରସବ ପରେ ଯନ୍ତ୍ରଣା ବଢ଼ି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ମେଡିକାଲ ନେବାକୁ ବାଧ୍ୟ ହୋଇଥିଲେ। ତେବେ, ରାସ୍ତା ଅବସ୍ଥା ଭଲ ନଥିବାରୁ ଆମ୍ବୁଲାନ୍‌ସଟି ଗାଁ ଠାରୁ ୨କିଲୋମିଟର ଦୂର ଢେପଗୁଡା ନିକଟରେ ଅଟକି ଯାଇଥିଲା। ଏହାପରେ ଆରମ୍ଭ ହୋଇଥିବା ଦୁର୍ଦଶା। ଝିପିଝିପି ବର୍ଷା ସତ୍ତ୍ୱେ ପରିବାର ଲୋକ ଓ ସଂପର୍କୀୟ ଗୁରୁତର ହୀରାଙ୍କୁ ଏକ ଖଟିଆରେ ଭାର କରି ଦୀର୍ଘ ୨କିଲୋମିଟର ବୋହି ଆଣିବା ପରେ ଆମ୍ବୁଲାନ୍‌ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିବା ଦେଖି ଡା. ଆଶୁତୋଷ ମିଶ୍ର ହୀରାଙ୍କୁ ଉମରକୋଟ ମେଡିକାଲ ସ୍ଥାନାନ୍ତର କରିଥିଲେ। ଅନ୍ୟପଟେ ଉମରକୋଟ ମେଡିକାଲରେ ଶଯ୍ୟା ଅଭାବ ଦର୍ଶାଇ ପ୍ରସୂତିଙ୍କୁ ଚଟାଣରେ ଶୁଆଇ ଦିଆଗଲା। ସ୍ୱାସ୍ଥ୍ୟ ସେବା ଅଭାବରୁ ଗୋଟିଏ ପଟେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟପଟେ ଚଟାଣରେ ପକାଇ ଚିକିତ୍ସା କରାଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚିକିତ୍ସା ପରେ ହୀରାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର