ଭୁବନେଶ୍ୱର : ଚଳିତବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିସନର, ଓଏସ୍ଆରଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ସମସ୍ତ ଜିଲ୍ଲାପାଳ, ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ଗାଇଡଲାଇନ୍ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି ଲୋକ ପ୍ରଭାବିତ ନ ହୁଅନ୍ତି ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ ଏପ୍ରିଲ ୧ରୁ ଜୁନ୍ ୧୫ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଏହି ସମୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯେପରି ଅଧିକ ବସ୍ ଚଳାଚଳ ନ କରେ ସେଥିପାଇଁ ବସ୍ ସୂଚୀରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ କୁହାଯାଇଛି। ପ୍ରତ୍ୟେକ ବସ୍ରେ ପିଇବା ପାଣି, ବରଫ ପ୍ୟାକ୍, ଓଆରଏସ୍ ରଖିବା ବାଧ୍ୟତାମୂଳକ କରାଯାଇଛି। ବସ୍ ରହଣୀସ୍ଥଳରେ ଯେପରି ଯାତ୍ରୀ ଛାଇରେ ଛିଡ଼ା ହେବେ ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହେବ। କୌଣସି ବସ୍ରେ ଯେପରି ଅଧିକ ଭିଡ଼ ନହୁଏ, ଲୋକ ଛିଡ଼ା ହୋଇ ନଯାଆନ୍ତି ସେଥିପାଇଁ ଆରଟିଓମାନେ ଯାଞ୍ଚ କରିବାକୁ କୁହାଯାଇଛି। ଏହାବାଦ୍ ପ୍ରତ୍ୟେକ ବସଷ୍ଟାଣ୍ଡ ଓ ବସଷ୍ଟପ୍ରେ ଜଳଛତ୍ର ଖୋଲିବା ଏବଂ ଏହାକୁ ନିୟମିତ ଚଳାଇବା, ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ଏବଂ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲି ସ୍ଥିତି ଉପରେ ନିୟନ୍ତ୍ରଣ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ବସ୍ ଓ ଟ୍ରକ୍ ସଂଘ, ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।