ରାଷ୍ଟ୍ରପତିଙ୍କ ନାମରେ ମିଛ : ସେବାୟତ କହିଲେ ବଦନାମ୍‌ ପାଇଁ ଷଡ଼୍‍ଯନ୍ତ୍ର; ଜିଲ୍ଲାପାଳ, ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

ପୁରୀ : ଭାରତର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ନାମରେ ଜିଲ୍ଲା ପ୍ରଶାସନ କହିଥିବା ମିଛ ଧରାପଡ଼ିଯାଇଛି। ରାଷ୍ଟ୍ରପତିଙ୍କୁ କୌଣସି ଦୁର୍ବ୍ୟବହାର ହୋଇନାହିଁ କି ସେ ଏ ସଂକ୍ରାନ୍ତରେ କାହାକୁ କିଛି ଅଭିଯୋଗ କରିନଥିବା ସଂପର୍କରେ ଆଜି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ତମ୍ବିତୋଫାନ ହେଲାଣି।

ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଗଣମାଧ୍ୟମ ଆଗରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ବି ଚମକାଇ ଦେବା ଭଳି। ରାଷ୍ଟ୍ରପତିଙ୍କ ଦର୍ଶନ ବିଶୃଙ୍ଖଳା ନେଇ କୌଣସି ଚିଠି ଆସିନାହିଁ କି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଅସନ୍ତୋଷ ପ୍ରକାଶ କରାଯାଇନାହିଁ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ନାମରେ ପରିଚାଳନା କମିଟି ବିବରଣୀରେ ଯାହା ଉଲ୍ଲେଖ କରିଥିଲେ ତାହା ମିଛ ବୋଲି ସ୍ପଷ୍ଟ ହୋଇଛି। ବିନା ଚିଠିରେ ରାଷ୍ଟପତି ଓ ତାଙ୍କ ପତ୍ନୀଙ୍କ ଦେହରେ କିଛି ସେବକ ଘସି ହୋଇଥିବା, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇବା ଓ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରି ଏ ପ୍ରକାର ମିଛକୁ ବୈଠକ ବିବରଣୀରେ ଉଲ୍ଲେଖ କରିବା ନେଇ ବିବାଦ ମୁଣ୍ଡ ଟେକିଛି।

ରାଷ୍ଟ୍ରପତିଙ୍କଠୁ ଚିଠି ଆସି ନାହିଁ ବୋଲି କଥା ସ୍ପଷ୍ଟ ହେବା ପରେ ସେବାୟତ ସମାଜ ଆଜି ତାତିଛନ୍ତି। ସେବାୟତଙ୍କୁ ସମଗ୍ର ଦେଶରେ ବଦନାମ୍‌ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଷଡ଼୍‍ଯନ୍ତ୍ର ରଚନା କରିଛି ବୋଲି ଅଭିଯୋଗ ଉଠିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ପଛରେ ଯିଏ ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଆଜି ସୁଆର ସେବକ ଦାମୋଦର ମହାସୁଆର ସିଂହଦ୍ଵାର ଥାନାରେ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା ଦେଇଛନ୍ତି। ଘଟଣା ପ୍ରକରଣରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେବାୟତ ସମାଜ ପକ୍ଷରୁ ମାନହାନି ମକଦ୍ଦମା କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଏତେ ବଡ଼ ମିଛ କିଏ କହିଲା? ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବିବରଣୀରେ କିଏ ଏହାକୁ ଉଲ୍ଲେଖ କରିଛି ତାକୁ ନେଇ ମଧ୍ୟ ଏବେ ସନ୍ଦେହ ଉପୁଜିଛି। ବିବରଣୀ ମୁତାବକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମସ୍ତ ତଥ୍ୟ ରଖିଥିଲେ। ତେବେ ଏ ତଥ୍ୟ ମୁଖ୍ୟ ପ୍ରଶାସକ କାହା ପାଖରୁ ପାଇଥିଲେ? ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କାହା ପାଖକୁ ଏ ନିର୍ଦ୍ଦେଶ ଆସିଥିଲା। ଏ ସମସ୍ତ ଘଟଣାରେ ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଫସିଯାଇଛି।

ବୈଠକର ବିବରଣୀ ମୁତାବକ, ଗତ ମାର୍ଚ୍ଚ ୧୮ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀ ଶ୍ରୀମନ୍ଦିରରେ ମହାପ୍ର୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ବେଳେ ଗର୍ଭଗୃହରେ ମହାମହିମ ରତ୍ନ ସିଂହାସନରେ ମଥା ରଖିବାକୁ ଉଦ୍ୟମ କରୁଥିବା ବେଳେ ଖୁଣ୍ଟିଆ ମେକାପ ସେବକ ଆଡେଇଲେ ନାହିଁ। କେତେକ ସେବକ ମହାମହିମ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ପତ୍ନୀଙ୍କ ଦେହରେ ଘସି ହୋଇ ଯାଇଥିଲେ। ଯାହାକୁ ନେଇ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ବିଭିନ୍ନ ଗଣମାଧ୍ୟମ ସାମ୍ନାରେ ଜଣେ ସେବକ ଯେପରି ମନ୍ତବ୍ୟ ରଖିଲେ ସେଥିରେ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅସନ୍ତୋଷ ପ୍ରକାଶ କରିଥିଲା। ଏ କଥା ମୌଖିକ ଭାବେ ନୁହେଁ, ସମସ୍ତ କଥାକୁ ଗତ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକର ବିବରଣୀରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର