ତେଜୁଛି ଆନ୍ଦୋଳନ : ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶଙ୍କରାଚାର୍ଯ୍ୟ

ସରକାରକୁ ଘେରିଲେ ନିରଂଜନ, ସିଂହଦ୍ୱାର ଥାନାରେ ଏତଲା

ପୁରୀ : ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ଶ୍ରୀମନ୍ଦିର ପରିଚାଳନା କମିଟି ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସ୍ଥିତି ଜଟିଳ ହେବାରେ ଲାଗିଲାଣି। ଏହାକୁ ନେଇ ଆଜି ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ବିଷୋଦ୍‌ଗାର ଆରମ୍ଭ ହୋଇଛି। ସେବାୟତ, ସ୍ୱେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ପ୍ରଶାସନ ଓ ସରକାରଙ୍କୁ ଖାଲି ଘେରିନାହାନ୍ତି, ଏହା ଚରମ ଦାୟିତ୍ୱହୀନତାର ନିଦର୍ଶନ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ପ୍ରଶାସନିକ ଚରମ ଅବହେଳାକୁ ସୂଚାଉଛି ବୋଲି ଆଜି ପୁରୀ ଗସ୍ତରେ ଆସିଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି। ସେହିଭଳି ଜଗତ୍‌ଗୁରୁ ଶଙ୍କରାଚାର୍ଯର୍୍ୟ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ସରକାରୀସ୍ତରରେ ଯାଞ୍ଚ କମିସନ ଗଠନ ଏବଂ ରତ୍ନ ଭଣ୍ଡାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ହାଇକୋର୍ଟ ଚାବି ଖୋଜିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜଗଦ୍‌ଗୁରୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଅନ୍ୟପକ୍ଷରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ପୁରୀ ଯୁବ କଂଗ୍ରେସ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଯୁବ କଂଗ୍ରେସର ସାଧାରଣ ସଂପାଦକ ବିଶ୍ୱନାଥ ଦାସ ଏ ନେଇ ଥାନରେ ଏତଲା ଦେବା ସହିତ ଚାବି ହଜିବା ଘଟଣାର ତଦନ୍ତ ଦାବି କରିଛନ୍ତି। ବିଜେପି ପୁରୀ ଶାଖା ମଧ୍ୟ ଚାବି ହଜିବା ଘଟଣାକୁ ନେଇ ସରକାରଙ୍କୁ ଦାୟୀ କରିଛି। ଦଳ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେପଟେ ସେବାୟତ ସମାଜ ମଧ୍ୟ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଆଡକୁ ଆଙ୍ଗୁଳି ଦେଖାଇଛି। ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏଥି ପାଇଁ ରାଜ୍ୟ ଆଇନ ବିଭାଗକୁ ଦାୟୀ କରି ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ରାଜ୍ୟ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଏହି ବିବାଦ ଭିତରକୁ ଟାଣିଛି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରତ୍ନ ମନ୍ଦିରର ଚାବି ହଜିବା ପ୍ରସଙ୍ଗରେ ସମସ୍ତ ଜଗନ୍ନାଥପ୍ରେମୀଙ୍କ ମନରେ କୁଠାରଘାତ ହୋଇଛି । ଜଗନ୍ନାଥ ସଂସ୍କୃତି ପ୍ରେମୀ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନିରବ ରହିବା ସହ ସାଢେ ୪ କୋଟି ଓଡିଆଙ୍କ ଭାବାବେଗ ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରତ୍ନ ଭଣ୍ଡାର ଚାବି କିଏ ରଖିଛି, କେବେ ରତ୍ନ ଭଣ୍ଡାର ଖୋଲା ହୋଇଥିଲା, ଯଦି ଚାବି ହଜିଛି କିଏ ହଜେଇଛି ତାହାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଗୋଲକ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଏପ୍ରିଲ ୪ ତାରିଖ ଦିନ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ରତ୍ନ ଭଣ୍ଡାର ଚାବି ନ ମିଳିବାରୁ ଯାଞ୍ଚକାରୀ ଦଳ ବାହାର ଭଣ୍ଡାର ଘରୁ ଭିତର ଭଣ୍ଡାର ଘର ଯାଞ୍ଚ କରିଥିଲେ। ସେହିଦିନ ସନ୍ଧ୍ୟାରେ ଏହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚାବି ନଥିବାରୁ ଭଣ୍ଡାର ଖୋଲା ଯାଇନଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ। ଜିଲ୍ଲାପାଳ ମଧ୍ୟ ରତ୍ନ ଭଣ୍ଡାର ଚାବି ୧୯୭୦ରୁ ଟ୍ରେଜେରିକୁ ଫେରିନଥିବା କହିଥିଲେ। ସେଦିନର ବୈଠକରୁ ରତ୍ନଭଣ୍ଡାର ଚାବି ହଜିଥିବା ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର