ପୁରୀ : ଗତ ରଥଯାତ୍ରା ସମୟରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଓ ବିଭ୍ରାଟ ସୃଷ୍ଟି କରିଥିବା ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ଦଣ୍ଡିବ ପ୍ରଶାସନ। ଜଣେ କି ଦୁଇଜଣ ନୁହେଁ, ୨୪ଜଣଙ୍କର ତାଲିକା ପ୍ରସ୍ତୁତ କରି ପରିଚାଳନା କମିଟିର ଅନୁମୋଦନ ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। କାହିଁକି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ସଂସ୍କାର ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟର କାର୍ଯ୍ୟାନ୍ଵୟନ ଓ ବ୍ରହ୍ମବିଭ୍ରାଟ ରିପୋର୍ଟ ନେଇ ବି ଆଲୋଚନା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ରଥଯାତ୍ରା ଉପରେ ସମୀକ୍ଷା କରାଯାଇଥିଲା। ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ବହୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କେଉଁ ସବୁ ସ୍ଥାନରେ ଉଲ୍ଲଂଘନ କରିଛନ୍ତି, ସେ ନେଇ ତର୍ଜମା କରିଥିଲେ କମିଟି। ସେବାୟତ ଓ କର୍ମଚାରୀଙ୍କ ବିଶୃଙ୍ଖଳାର ତାଲିକା ଧରାଇଥିଲା ପ୍ରଶାସନ।
ସିସିଟିଭି ଫୁଟେଜ୍ ଆଧାରରେ ୨୪ ଜଣ ବିଶୃଙ୍ଖଳାକାରୀ ସେବାୟତ ଓ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଥିବା ପରିଚାଳନା କମିଟି ସାମ୍ନାକୁ ତଥ୍ୟ ଆସିଥିଲା। ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇବା ସହିତ କୌଣସି ବି ପରିସ୍ଥିତିରେ ଏହି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ନିଷ୍ପତ୍ତି ନିଆଯାଇଥିଲା ଓ ଏସବୁ କର୍ମଚାରୀ ଏବଂ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ କରିବାକୁ ସହମତି ହୋଇଥିଲା। ଉତ୍ତର ସନ୍ତୋଷଜନକ ନ ହେଲେ ଦଣ୍ଡବିଧାନ ହେବ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ସିସିଟିଭି ଫୁଟେଜ୍ର ସାନି ଯାଞ୍ଚ ଚାଲିଛି। ଆଉ କେହି ଯଦି ବିଶୃଙ୍ଖଳା କରିଥିବା ଫୁଟେଜ୍ରୁ ଧରାପଡ଼େ ତେବେ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ।
ପରେ ରୋଷଘର, ଚୁଲା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା, ସେବାୟତଙ୍କୁ ପରିଚୟପତ୍ର ସମେତ ସୁପ୍ରିମକୋର୍ଟଙ୍କ ୯ଟି ପ୍ରସ୍ତାବ ଉପରେ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା। ରୋଷଘର, ଚୁଲା, ପରିଚୟପତ୍ର, ଯାତ୍ରୀ ସେବାକୁ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ଦୁଇଟି ପରାମର୍ଶ ସବ୍କମିଟି ଗଠନ କରାଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ, ପରିଚାଳନା କମିଟିର ସଭ୍ୟ ସଦସ୍ୟ ରହିଛନ୍ତି।
ସେହିପରି ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ଓ ଶ୍ରୀମନ୍ଦିର ଆଇନରେ ପରିବର୍ତନ ହେଲେ ଶ୍ରୀମନ୍ଦିରର ୮୦୦ ବର୍ଷର ପରମ୍ପରା ଭଙ୍ଗ ହେବ। ତେଣୁ ଏହା ଉପରେ କିଛି ନିଷ୍ପତ୍ତି ନେବା ପୂର୍ବରୁ ସୁପ୍ରିମ୍କୋର୍ଟଙ୍କୁ ସମୟ ମାଗିବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିବା ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି। ସେପ୍ଟେମ୍ବର ୫ରେ ପରବର୍ତୀ ଶୁଣାଣି ଥିବାବେଳେ ସୁପ୍ରିମ୍କୋର୍ଟଙ୍କୁ ଏହି ଦିନ ଅଧିକ ସମୟ ମଗାଯିବ।
ଅନ୍ୟପକ୍ଷରେ ଏହା ଉପରେ ବିଶେଷ ଆଲୋଚନା ଓ ଆବଶ୍ୟକ ବିଚାର ବିମର୍ଶ ପାଇଁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସବ୍କମିଟି ଗଠନ ହୋଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇ ଜଣ ସଦସ୍ୟ ରହିବେ।
ଅନ୍ୟପକ୍ଷରେ ବ୍ରହ୍ମବିଭ୍ରାଟ ରିପୋର୍ଟ ଉପରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏକ ୩ ଜଣିଆ ସବ୍କମିଟି ଗଠନ କରିଥିଲେ। ସବ୍କମିଟି ଆଜି ପର୍ଯ୍ୟନ୍ତ କୌଣସି ରିପୋର୍ଟ ଦେଇନଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଖୁବ୍ ଶୀଘ୍ର ବ୍ରହ୍ମ ବିଭ୍ରାଟ ରିପୋର୍ଟ ଉପସ୍ଥାପନ ପାଇଁ କମିଟିର ସଦସ୍ୟ ଜିଦ୍ ଧରିଥିଲେ। ଆଲୋଚନା ପରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବ୍ରହ୍ମ ବିଭ୍ରାଟ ରିପୋର୍ଟ ଦାଖଲ କରିବାକୁ ସବ୍କମିଟିକୁ ନିର୍ଦେଶ ଦିଆଯାଇଛି। ବ୍ରହ୍ମ ବିଭ୍ରାଟ ରିପୋର୍ଟ ଆସିବା ପରେ ପରବର୍ତୀ ପରିଚାଳନା କମିଟିରେ ଆଲୋଚନା ହୋଇ ଏହାକୁ ସାର୍ବଜନୀନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ ମହାପାତ୍ର କହିଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ, ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।