ପୁରୀରେ ଇ-ଷ୍ଟାମ୍ପିଂ ବ୍ୟବସ୍ଥା ଆରମ୍ଭ

ପୁରୀ: ପୁରୀ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ ଆଜିଠାରୁ ଇ-ଷ୍ଟାମ୍ପିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଅନ୍‍ଲାଇନ୍‍ରେ ଏବେ କିଣାବିକା ହେଉଥିବାରୁ ଏହି ଷ୍ଟାମ୍ପ ପେପର ମଧ୍ୟ ଅନ୍‍ଲାଇନ୍‍ ଉପଲବ୍ଧ ହେବାକୁ ଯାଉଛି। ଏହି ବ୍ୟବସ୍ଥାକୁ ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଜିଆର ଉପେନ୍ଦ୍ରନାଥ ମଲ୍ଲିକ ଲୋକାର୍ପିତ କରିଛନ୍ତି। ଡେପୁଟି ଆଇଜିଆର ଦେବରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ଓ ପୁରୀ ଉପନିବନ୍ଧକ ପ୍ରମୁଖଙ୍କ ଉପସ୍ଥିତିରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ସେଣ୍ଟ୍ରାଲ ରେକର୍ଡ଼ କିପିଂ ଏଜେନ୍‍ସି ଅଧୀନରେ ଷ୍ଟକ୍‌ ହୋଲ୍‍ଡିଂ କର୍ପୋରେସନ ଅଫ୍‍ ଇଣ୍ଡିଆ ଲିମିଟେଡ଼୍‍ ଏଠାରେ ଏହି ବ୍ୟବସ୍ଥା ଜରିଆରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବାପାଇଁ ସ୍ୱୀକୃତିପ୍ରାପ୍ତ ହୋଇଛି। ଏହି ଆଧୁନିକ ବ୍ୟବସ୍ଥାରେ ଓଡ଼ିଶା ୨୦ ନମ୍ବର ରାଜ୍ୟ ହୋଇଥିବା ବେଳେ ରାଜ୍ୟରେ ୧୪ ତମ ଜିଲ୍ଲା ଭାବରେ ପୁରୀରେ ଏହି ସେବା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ସହ ମାନୁଆଲ ଷ୍ଟାମ୍ପ ପେପରରେ ପଞ୍ଜିକରଣ ଜାରି ରହିବ ବୋଲି ଡିଏସ୍‌ଆର କହିଛନ୍ତି। ତା ଛଡ଼ା ପୂର୍ବରୁ ଷ୍ଟାମ୍ପ ଭେଣ୍ଡରଙ୍କର ଷ୍ଟାମ୍ପ ପେପର ବିକ୍ରି କରିବା ପାଇଁ ୩ ଲକ୍ଷ ସୀମା ରହୁଥିଲା। ହେଲେ ଏହି ବ୍ୟବସ୍ଥାରେ ସୀମା ରହିବ ନାହିଁ। ପ୍ରତ୍ୟେକ ସମୟରେ ଭିନ୍ନଭିନ୍ନ ପ୍ରକାରର ଷ୍ଟାମ୍ପ ପେପର ଉପଲବ୍ଧ ହେବ। ପ୍ରତ୍ୟେକ ଷ୍ଟାମ୍ପ ପେପରରେ ଏକ ୟୁନିକ ଆଇଡ଼ି, ବାରକୋଡ଼୍‍ ଓ ସିକ୍ୟୁରିଟି ବକ୍ସ ରହିଛି। ଫଳରେ ନକଲ କରିବା ସମ୍ଭବ ହେବ ନାହିଁ। ସେହିଭଳି ନଗଦ କାରବାର ବିନା ଏହି କାରବାର କରିହେବ। ଏଥିପାଇଁ ଦୁଇଟି ବ୍ୟାଙ୍କ୍‍ ପିଏନ୍‍ବି ଓ କାନାରା ବ୍ୟାଙ୍କ୍‍କୁ ଏହି ସେବାପାଇଁ ଅନୁବନ୍ଧିତ କରାଯାଇଛି। ପରବର୍ତ୍ତିି ସମୟରେ ଅନ୍ୟ ବ୍ୟାଙ୍କ୍‍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ହେବାକୁ ଯାଉଛି। ଏହି ପେପର ହଜିଗଲେ ବା ନଷ୍ଟ ହୋଇଗଲେ ତାହାର ଅପବ୍ୟବହାର ହୋଇ ପାରିବ ନାହିଁ। ପେପରର ୟୁଆଇଡ଼ି ନମ୍ବର ଜରିଆରେ ଏହାର ନକଲ ବାହାର କରାଯାଇ ପାରିବ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଷ୍ଟକ ହୋଲ୍‍ଡିଂ କର୍ପୋରେସନ ଅଫ୍‍ ଇଣ୍ଡିଆ ଲିମିଟେଡ଼୍‍ର ଆଞ୍ଚଳିକ ପ୍ରବନ୍ଧକ ଅକ୍ଷୟ କୁମାର ଚାନ୍ଦ, ଶାଖା ପ୍ରବନ୍ଧକ କୌଶିକ ଭଟ୍ଟାଚାର୍ଯ୍ୟ ଓ ଶ୍ୱେତପଦ୍ମା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର