ଶ୍ରୀମନ୍ଦିରରେ ୪ ଧାଡ଼ିଆ ଦର୍ଶନ ବ୍ୟବସ୍ଥା ଖୁବ୍‌ଶୀଘ୍ର : ଆଇନ ବିଭାଗକୁ ରିପୋର୍ଟ ଦେଲା ତିନିଜଣିଆ କମିଟି

ପୁରୀ : ସୁପ୍ରିମ୍‌କୋର୍ଟଙ୍କ ଶ୍ରୀମନ୍ଦିର ସଂସ୍କାର ଛାଟ ପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅନେକ ପରିବର୍ତନ ଅଣାଯାଇଛି। ବଂଶାନୁକ୍ରମିକ ସେବା, ଅନ୍ନଦାନ ଆଟିକା ବନ୍ଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଆଦେଶକୁ ବାଦ୍‌ ଦେଲେ ଦାନଦକ୍ଷିଣା ଆଦାୟ ବନ୍ଦ ସହ ସୁପ୍ରିମ୍‌କୋର୍ଟଙ୍କ ଅନ୍ୟାନ୍ୟ ଆଦେଶକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିବା ଦିଗରେ ତତ୍ପରତା ଦେଖାଇଛି। ଏହି କ୍ରମରେ ଶ୍ରୀମନ୍ଦିରର ସୁପରିଚାଳନା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଆଦେଶକ୍ରମେ ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଆ କମିଟି ଆଜି ଏକ ବିସ୍ତତ ରିପୋର୍ଟ ଆଇନ ବିଭାଗକୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ, ଶ୍ରୀମନ୍ଦିରରେ ୪ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଚାରିଟି ଧାଡ଼ିରୁ ଗୋଟିଏ ଧାଡ଼ି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ରହିବ। ଅନ୍ୟ ଗୋଟିଏ ଧାଡ଼ି ଭିଆଇପି ବା ଅଧିକ ମୂଲ୍ୟର ଟିକେଟ୍‌ଧାରୀଙ୍କ ପାଇଁ ରହିବ। ତୃତୀୟ ଧାଡ଼ି ମହିଳାଙ୍କ ପାଇଁ ଓ ଚତୁର୍ଥ ଧାଡ଼ି ସର୍ବସାଧାରଣଙ୍କ ପାଇଁ ରହିବ। ଟିକେଟ୍‌ରେ ଶୁଳ୍କ ଓ ନିଃଶୁଳ୍କ ବ୍ୟବସ୍ଥା ରହିବ। ଗୋଟିଏ ଟିକେଟ୍‌ ୪ ଘଣ୍ଟା ପାଇଁ ବୈଧ ରହିବ। ଭକ୍ତମାନେ ପ୍ରବେଶ ଓ ପ୍ରସ୍ଥାନ ବେଳେ ନିଜ ଆଡ଼ୁ କୌଣସି ପଣ୍ଡା ହସ୍ତକ୍ଷେପ କରିବେ ନାହିଁ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ଟିକେଟ୍‌ (ପ୍ରବେଶ ପତ୍ର) ଧରିଯିବେ। ସଂପୂର୍ଣ୍ଣ ଘଟଣା ସିସିଟିଭି ନଜରରେ ରହିବ। ଏଥିପାଇଁ ସିଂହଦ୍ୱାର ଥାନା ନିକଟରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ। ଭକ୍ତମାନେ ଧାଡ଼ିରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ନାଟମଣ୍ଡପ ଓ ଜଗମୋହନରେ ବି ଧାଡ଼ିରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏପରି କିଛି ପ୍ରସ୍ତାବ ସହ ଆଇନ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି ତିନିଜଣିଆ କମିଟି। ଏଥିସହ ଜିଲ୍ଲା ଜଜ୍‌ ଦେଇଥିବା ରିପୋର୍ଟର କିଛି ଅଂଶ ଓ ତଦନ୍ତ କମିସନ୍‌ଙ୍କ ସୁପାରିଶ ମଧ୍ୟ ଦାଖଲ କରାଯାଇଥିବା ସୂଚନା ମିଳିଛି। ଆଇନ ବିଭାଗ ଆସନ୍ତା ୪ ତାରିଖରେ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର