ପୁରୀ: ଫାଇବର ଡଙ୍ଗା ତିଆରି କେମିକାଲ୍‌ ବିସ୍ଫୋରଣ ଯୋଗୁଁ ୩ ସାଙ୍ଘାତିକ ଆହତ

ବ୍ରହ୍ମଗିରି: ଶୁକ୍ରବାର ସକାଳ ୯ଟା ପରେ ଅରଖକୁଦା ମେରାଇନ୍‌ ଥାନା ଅନ୍ତର୍ଗତ ଅରଖକୁଦା ଭାଗବତ ସାହିରେ ଫାଇବର୍‌ ଡଙ୍ଗା ତିଆରି ରାସାୟନିକ ପଦାର୍ଥରେ ନିଅାଁ ଲାଗି ବିସ୍ଫୋରଣ ଘଟିବାରୁ ୩ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ସଙ୍କଟଜନକ ସ୍ୱାସ୍ଥ୍ୟାବସ୍ଥାରେ ଥିବା ଆହତମାନେ ହେଉଛନ୍ତି: ୧୭ ବର୍ଷିୟ ଅଭିରାମ ବେହେରା ଓ ଅବିନାଶ ବେହେରା ଏବଂ ୪୩ ବର୍ଷିୟ ବବ୍ରୁବାହନ ବେହେରା।

ଅଭିରାମ ଓ ଅବିନାଶ ଫାଇବର୍‌ ଅଏଲ୍‌ ଓ କାଟାଲିକ୍‌ ଏକ୍ସିଲେଟର୍‌ ନାମକ ଦୁଇ ରାସାୟନିକ ପଦାର୍ଥ ମିଶାଇ ଦେବା ପରେ ସେଥିରେ ଦିଆଶିଲି ମାରି ନିଅାଁ ଲଗାଇ ବ୍ରୁବାହନଙ୍କୁ ଡଙ୍ଗା ତିଆରି କୌଶଳ ଦେଖାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପ୍ରଭାବରେ ଜଣେ ନାବାଳକଙ୍କର ମୁହଁ, ପେଟ ଓ ହାତ ଛିନ୍ନଚ୍ଛତ୍ର ହୋଇ ଯାଇଥିବା ବେଳେ ଅନ୍ୟ ଜଣଙ୍କର ଗୋଡ଼, ପିଠି ଓ ହାତ ନଷ୍ଟ ହୋଇଛି। ବବ୍ରୁବାହନଙ୍କର ଗୋଡ଼, ହାତ ଓ ପିଠି ଖଣ୍ଡିଆ ଖାବରା ହୋଇ ଯାଇଛି।

ଦୁଇ ରାସାୟନିକ ପଦାର୍ଥ ବବ୍ରୁବାହନଙ୍କ ଘର ବାହାରେ ରଖାଯାଇଥିଲା।

ତିନି ଆହତଙ୍କୁ ସଙ୍ଗେ ସଙ୍ଗେ ରେବେଣା-ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ମେରାଇନ୍‌ ଥାନା ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର